Unknown

ନାନାବାୟା ଗୀତ

ନନ୍ଦକିଶୋର ବଳ

 

ମୁଖବନ୍ଧ

Imageଓଡ଼ିଆ ସାହିତ୍ୟରେ ବହୁକାଳରୁ ଯଥାର୍ଥ ଓଡ଼ିଆ ପ୍ରାୟଶଃ ଦେଖା ଦେଇନାହାନ୍ତି—ଏ କଥା ବିଶେଷତଃ ସର୍ଜନ ସାହିତ୍ୟରେ ସତ୍ୟ । ମୁଁ ପ୍ରସଙ୍ଗାନ୍ତରରେ କହିଥିଲି, ଗୌଡ଼ୀୟ ବୈଷ୍ଣବମାନେ ସ୍ପଷ୍ଟତଃ ପରାଧୀନ ଓଡ଼ିଶାରେ ଯେପରି ବଙ୍ଗଳାର ଧର୍ମଭାବ ସଙ୍ଗେ ବଙ୍ଗଳାର ଭାଷା, ଶୈଳୀ ଓ ବିନ୍ୟାସ−ଶୃଙ୍ଖଳା ଜାଣି ନ ଜାଣି ଭର୍ତ୍ତି କରୁଥିଲେ, ରାଧାନାଥ ସେହିପରି ବଙ୍ଗଳାବାଟେ ରୋମାନ୍ କବି ଓଭିଡ଼୍‍ଙ୍କର କାମ−କାହାଣୀ ସବୁ ଓଡ଼ିଶାର ଜାତୀୟସାହିତ୍ୟ ବୋଲି ଓଡ଼ିଆରେ ଭର୍ତ୍ତି କରୁଥିଲେ । ଅନ୍ୟତଃ ମଧୁସୂଦନ ମଧ୍ୟ ବଙ୍ଗଳାରୁ ବ୍ରାହ୍ମଧର୍ମର ତଥାକଥିତ ପବିତ୍ରଭାଷା ଓ ଭାବ ଆମଦାନି କରିବାରେ ଲାଗିଥିଲେ । ଏ କଥା ଅନେକେ ବୁଝନ୍ତି ନାଇ, ବୁଝିଲେ ବି ଚିନ୍ତାକରି ପ୍ରକାଶ କରିବାରେ ହୁଏତ ସାହସ କରନ୍ତି ନାଇ । ଏହି ପରିସ୍ଥିତିରେ କବି ନନ୍ଦକିଶୋର ଛଟପଟ ହୋଇ ଓଡ଼ିଆର ପ୍ରାଣପ୍ରକାଶ କରିବାରେ ଲାଗିପଡ଼ିଥିବାର ସ୍ପଷ୍ଟ ସୂଚନା ତାଙ୍କ ଟିପାଖାତା (Diary)ରେ ଅଛି :—

 

“ମୋର ବ୍ରାହ୍ମଧର୍ମପ୍ରତି ଆବାଲ୍ୟ ଆସ୍ଥା ଓ ସହାନୁଭୂତି ଥିଲେହେଁ କେତେଗୁଡ଼ିଏ ବିଷୟରେ ମୋର ସନ୍ଦେହ ଚିରଦିନ ରହିଅଛି । ସେ କଥା ଶୁଣି ଅନେକ ବ୍ରାହ୍ମବନ୍ଧୁ ସୁନ୍ଦର ଯୁକ୍ତି ପ୍ରଦର୍ଶନ କରନ୍ତି, କେହି କେହି ବିଦୂପ କରନ୍ତି; କିନ୍ତୁ ରାଓ ସର୍ବଦା ସେ ବିଷୟରେ ମୋ ସହିତ ସହାନୁଭୂତି ପ୍ରଦର୍ଶନ କରୁଥିଲେ । ସେହି ସନ୍ଦେହ ମଧ୍ୟରୁ ଗୋଟିଏ ହେଉଛି ଭାଷା । ବ୍ରାହ୍ମସମାଜ ଓଡ଼ିଶାରେ ସ୍ଥାୟୀ ଓ ବିସ୍ତୃତ ହେଲେ ଓଡ଼ିଆ ଭାଷାର କି ଦଶା ହେବ ? ରାଧାନାଥ, ମଧୁସୂଦନ, ଫକୀରମୋହନ, ବିଶ୍ୱନାଥ ସମସ୍ତେ ବ୍ରାହ୍ମଭାବାନୁପ୍ରାଣିତ ହୋଇ ସାହିତ୍ୟ ସୃଷ୍ଟି କରିଅଛନ୍ତି ସତ୍ୟ; କିନ୍ତୁ ସେମାନଙ୍କ ବାଲ୍ୟଜୀବନ ଓଡ଼ିଆ ଭାଷାନୁକୂଳ ବ୍ରାହ୍ମସମାଜର ବଙ୍ଗଳା−ଉପାସନା, ବଙ୍ଗଳା ପୁସ୍ତକ ପଠନ, ବଙ୍ଗାଳୀମାନଙ୍କ ସହିତ ବୈବାହିକ ମିଳନ, ସର୍ବଦା ବଙ୍ଗଳାରେ ଆଳାପ, ପତ୍ରାଦି ଲିଖନ, ପରିବାରରେ ଭାଇ ଦେଈ, ବା ଅପା, ନନା, ନାନୀ ପରିବର୍ତ୍ତେ ଦାଦା, ଦିଦି ସମ୍ବୋଧନ ବଙ୍ଗଳା ପ୍ରଭାବ, ଏ ସବୁର ପରିଣାମ ଫଳ କି ଓଡ଼ିଆ ଭାଷାର ଅନୁକୂଳ ?” (ରାଓଙ୍କ ସ୍ମୃତି—ନନ୍ଦକିଶୋର ଗ୍ରନ୍ଥାବଳୀ, ପୃଷ୍ଠା ୧୧୧୮−୧୯)

 

ଅନ୍ୟ ପ୍ରକାରରେ ଏଇ ଚିନ୍ତା ଓ ଭାବର ସ୍ୱତଃପ୍ରକାଶ କରି ନନ୍ଦକିଶୋରଙ୍କଠାରୁ ବାହାରିଥିଲା, ବିଶୁଦ୍ଧ ପଲ୍ଲୀ−ପ୍ରାଣତା । ରାଧାନାଥ ଚିଲିକାପରି ସାଧୁ ବର୍ଣ୍ଣନାତ୍ମକ କାବ୍ୟରେ ମଧ୍ୟ ଓଡ଼ିଶାର ପଲ୍ଲୀ, ପ୍ରାନ୍ତର, ହ୍ରଦ, ପର୍ବତ, ଉପତ୍ୟକା, ଅଧିତ୍ୟକା ଆଦିର ସୁନ୍ଦର ଚିତ୍ର ଦେଇଚନ୍ତି । ଏଇପରି ବର୍ଣ୍ଣନାର ବୈଶିଷ୍ଟ୍ୟ ରାଧାନାଥଙ୍କ ଲେଖାରେ ଅନ୍ୟତ୍ର ଅତି ରମଣୀୟ ଆତ୍ମପ୍ରକାଶ କରିଥିବାର ଦେଖାଯାଏ । ମାତ୍ର ଯଥାର୍ଥ ପଲ୍ଲୀଚିତ୍ର ସେ ସବୁରେ ନାଇ । ମଧୁବାବୁ ତ ପୁରପଲ୍ଲୀରୁ ବାହାରେ । ତାଙ୍କ କଥା ଛାଡ଼ । ପଲ୍ଲୀଚିତ୍ର କଳ୍ପନା କରି ଯୌବନରେ ଥରେ ହୁଏତ ସେ କହିଥିଲେ-

 

“ଛାଡ଼ି ବନ୍ଧୁ ନଗର ଚହଳ,

ଯିବା ଚାଲ ଯେଉଁ ସ୍ଥାନେ      ଗୋପାଳ କୃଷକମାନେ

ଆନନ୍ଦେ କାଟନ୍ତି ଦିନ, ସୁଖେନ୍ଦୁ ବିମଳ

ଯାହାଙ୍କର ଚିତ୍ତାକାଶେ ସବଦା ଉଜ୍ଜ୍ୱଳ ।”

ପୁଣି:—

“ନଦୀକୂଳେ ସରୋବର ତୀରେ

ସରଳା କୁମାରୀଚୟ      ତୋଳି ନୀଳ କୁବଳୟ

ପୂଜନ୍ତି ଦେବ ଶଙ୍କରେ ବାଲୁକା ମନ୍ଦିରେ

ଜଳାର୍ଦ୍ର କୁନ୍ତଳ ଧୀରେ କମ୍ପଇ ସମୀରେ ।”

 

ଏ ସବୁ ସଙ୍ଗେ ନନ୍ଦକିଶୋରଙ୍କର ଅନ୍ୟାନ୍ୟ କାବ୍ୟ ମଧ୍ୟରେ ପଲ୍ଲୀଚିତ୍ରର ଯେ କୌଣସି ସ୍ଥାନରୁ ତୁଳନା ପାଇଁ ଉଦ୍ଧାର କରାଯାଇପାରେ ।

 

ନନ୍ଦକିଶୋରଙ୍କ ‘ନିର୍ଝରିଣୀ’—ବିଶେଷରେ ତାହାର ‘କାକବାରତା କବିତାଟି ଓଡ଼ିଶାରେ କାବ୍ୟକଳାର ଗୋଟିଏ ଅଦ୍ଭୁତ ସୃଷ୍ଟି । ଏହା ସବୁଠି ଥିଲା ଅଥଚ କାହିଁ ନଥିଲା । ଆଜିକାଲି ଏହାର ଅନୁକୃତି—କୌତୁକ ପରି ଲେଖାମାନ ଶ୍ରଦ୍ଧେୟ ଗୋଦାବରୀଶ ମହାପାତ୍ର ଯେପରି କୂଟ−ସଙ୍କେତରେ ସମାଜ ସମାଲୋଚନାରେ ବ୍ୟବହାର କରନ୍ତି, ତାହା ଦେଖିଲେ ‘ନିର୍ଝରିଣୀ’ କବିଙ୍କ କାବ୍ୟ−କଳାର ଦିବ୍ୟଦୃଷ୍ଟି ପ୍ରାଣରେ ଉଲ୍ଲାସ ଆଣେ । ଏହି ଦିବ୍ୟଦୃଷ୍ଟି (vision) ଦେଖି କବିଙ୍କ ଯଥାର୍ଥ ଲୋକପ୍ରାଣତା କଳନା କରାଯାଏ । ଏ କ୍ଷେତ୍ରରେ ନନ୍ଦକିଶୋର ଓଡ଼ିଶାରେ ଏକାବେଳକେ ନମସ୍ୟ । ତାଙ୍କ ‘ଡାମରା କାଉ’ ଅମରକୀର୍ତ୍ତି ଅର୍ଜନ କରି ବସିଚି । ଏ କୀର୍ତ୍ତି ନିକଟରେ ଅତିକ୍ରାନ୍ତ ହେବାର ନୁହେଁ । ଏହା ସାଙ୍ଗକୁ ନନ୍ଦକିଶୋରଙ୍କ ପ୍ରାଣର ଆଉ ଗୋଟିଏ ନୂତନ ସ୍ଫୂର୍ତ୍ତି ହେଉଚି ତାଙ୍କର ‘ନାନାବାୟା ଗୀତ’ । ମା କୋଳରେ ପିଲାକୁ ଶୁଆଇବାର ଓ ଶାନ୍ତ କରିବାର ଗୀତ ପୃଥିବୀରେ ସର୍ବତ୍ର ଅଛି । ପ୍ରଜନନରେ ସଂଗୀତର ପ୍ରଥମ ପ୍ରତିଷ୍ଠା । ଅତି ଗଦ୍ୟମୟ ସୈନିକଜୀବନର ପ୍ରାରମ୍ଭ ମଧ୍ୟ ସଂଗୀତରେ ଗଢ଼ା ହୁଏ । ଇଂରେଜିରେ ତାକୁ କହନ୍ତି ‘Nursery songs’—ଓଡ଼ିଶାରେ ତାହାର ଗୋଟିଏ ସେପରି ପ୍ରତିଷ୍ଠିତ ନାମ କିଛି ଥିବାର ମନେ ହେଉନାହିଁ । ନନ୍ଦକିଶୋର ତା’ ନାମ ଦେଇଛନ୍ତି ‘ନାନାବାୟା ଗୀତ’ । ଖାଲି ପୁରପଲ୍ଲୀ କାହିଁକି ଓଡ଼ିଶାର ବନ ପ୍ରାନ୍ତର ମଧ୍ୟ ଏହି ଗୀତରେ ପୂର୍ଣ୍ଣ । ଏ ସଙ୍ଗୀତ ମାନବପ୍ରାଣଗଠନର ଆଦି ଉପାଦାନ । ଏହା ସର୍ବତ୍ର ଅଛି । କିନ୍ତୁ ଖୋଜିଲେ ସହଜରେ ମିଳେ ନାଇ । ଏହା ଅତି ପୁରାଣ ପରମ୍ପରାରେ ପ୍ରତିଷ୍ଠିତ ହେଲେ ମଧ୍ୟ ପଦ ପଦାର୍ଥ−ଯୋଜନାରେ ଏହାର ତାଦୃଶ ସଂଗତି ନାଇ । ଏହା ସ୍ୱଭାବସୁନ୍ଦର । ଇନ୍ଦ୍ରଧନୁର ବର୍ଣ୍ଣ−ବିଭବ ତଥା ଦୂର ବନାନ୍ତର ଅନାଶକ୍ତ ଧୂମ୍ରନୀଳିମା ପ୍ରଭୃତି ପରି କାବ୍ୟକଳାର ସ୍ୱାଭାବିକ ଉପାଦାନ ସଙ୍ଗେ ଏହାର କଥଞ୍ଚିତ୍ ତୁଳନା କରାଯାଇ ପାରେ । ପଲ୍ଲୀପ୍ରାଣରୁ ଏହାକୁ ଛାଣି ବାହାର କରି ଫିଟାଇ ଦେଖାଇ ଦେଲେ−ନନ୍ଦକିଶୋର । ଦେଖ ‘କାକବାରତା’ରେ:—

ଉଞ୍ଚ ପରବତ ଘୁଞ୍ଚି ଘୁଞ୍ଚିକା

ତହିଁରେ ବସିଛି ତିନି ମଞ୍ଜିକା ।

ତିନି ତିନି ପଣ ଅଠର ପଣ

ଭାଇଙ୍କି ଡକାଇ କଉଡ଼ି ଗଣ

କଉଡ଼ି ଗଣାରେ ପାହିଲା ରାତି,

ଚୋର ନେଇଗଲା କଜଳପାତି ।

ଷାଠିଏ ଟଙ୍କାର ବଳଦ ମଲା,

ଏକା କାଳୀଗାଈ ମଥାନ କଲା ।

 

ସେହିପରି ‘ନାନାବାୟା ଗୀତରୁ ଚୁଟିଆ ମୂଷା’—

ଚୁଟିଆ ମୂଷାରେ ଚୁଟେଇ ମୂଷି

ଧାନ ଆମାରକ ଖାଉଥବା ବସି ।

କରୁଥା ଯାହା ତୋ ମନର ଖୁସି

ଘର ଛାଡ଼ି ମୁହିଁ ଯାଉଛି ରୁଷି ।

 

ଟିକି ଟିକି ଧାନ ଶଏ ଭରଣ,

ସାତଟା ଅମାର କଲୁଣି ଶୂନ୍ୟ ।

ଗଣେଶ ବାହନ ଅଟୁରେ ମୂଷା,

ତୋତେ ମାରିବାକୁ ନାହିଁ ଭରସା ।

 

ପାଠ ନ ଆସିବ ମାରିଲେ ତୋତେ

ଅବଧାନ ବେତ ମାରିବେ ମୋତେ ।

ଟୁକୁ ମୂଷାରେ ଟୁକେଇ ମୂଷି

ଖାଇବୁ ଯେତେକ ଖାରେ ଖୁସି ।’’

 

ଏହିପରି ଗୀତମାନ ଉଦାହରଣ ଦେଇ ଦେଖେଇଦେବା ଯେପରି ସହଜ, ଭାଷାରେ ଉଦ୍‌ଘାଟନ କରି ଏହାର ପ୍ରାଣ ପ୍ରକାଶ କରିବା ସେପରି ସହଜ ନୁହେ । ଶୁଣିଲେ ଲୋକେ ମନେକରିବେ, ଏ ତ ଥିଲା, ଏଥିରେ ଅଧିକା କ’ଣ ଅଛି ? ଏହିପରି ନିତି−ଥିଲା ଜିନିଷରେ ଯାହା ଅଧିକ ଥାଏ ତାହାଇ ହେଉଚି ସେ ଜିନିଷର ପ୍ରାଣ । ଜୀବନ୍ତ ବସ୍ତୁରେ ପ୍ରାଣ ଥାଏ; କିନ୍ତୁ ଦିଶୁନ ଥାଏ । ବସ୍ତୁରେ ସେଇ ଟିକିକ ଅଧିକା । ଏ କବିତାସବୁରେ ସେହି ଅଧିକା ଜିନିଷଟି ଅଧିଗମ୍ୟ, ହୁଏତ ସ୍ପଷ୍ଟ ବର୍ଣ୍ଣନୀୟ ନୁହେ ।

 

ଆଉ ଗୋଟିଏ ନୂଆ କଥା କହି ଏ ଲେଖାଟି ସାରିଦିଏ । ନନ୍ଦକିଶୋର ଯେତେବେଳେ ସରକାରୀ ଚାକିରି ପାଇଥିଲେ, ସେତେବେଳେ ଖାଣ୍ଟି ଓଡ଼ିଆ−ଭାବ−ଭାବିତ ସରକାରୀ ଚାକିରିଆ ବି ବେଶୀ ନ ଥିଲେ । ସରକାରୀ ଚାକିରି ପାଇବା ଗୋଟିଏ ଗୌରବାବହ ବିଷୟ ଥିଲା । ପୁଣି ଓଡ଼ିଆଏ ଚାକିରି ପାଇଲେ କି ନାଇ, ତାହା ଦେଖିବା ପାଇଁ ଆମ ଶିଷ୍ଟ ବିଶିଷ୍ଟ ଲୋକେ ଚାହିଁ ବସିଥିଲେ । ଏସବୁ ଭିତରେ ପୁରୋଦୃଷ୍ଟିସମନ୍ୱିତ ଯଥାର୍ଥ ମହାଭାରତୀୟ ଭାବ ପ୍ରକାଶ ଗାଇବା ଏକପ୍ରକାର ଅସମ୍ଭବ ଥିଲା । ସେତେବେଳେ ମଧ୍ୟ ନନ୍ଦକିଶୋର ‘ହିନ୍ଦୀ’ ଯେ ଦିନେ ମହାଭାରତୀୟ ଜାତୀୟ ଭାଷା ହେବ, ଏହା କଳ୍ପନା କରିଥିଲେ ଓ ସେହି ଦିଗରେ କାର୍ଯ୍ୟ କରାହେଉ ବୋଲି ବିଚକ୍ଷଣ ବଙ୍ଗାଳୀମାନଙ୍କୁ ମଧ୍ୟ ଆହ୍ୱାନ କରିଥିବାର ପ୍ରମାଣ ମିଳେ । ନିମ୍ନରେ ତାଙ୍କର ସେହି ବିଷୟକ ଲେଖାଟି ଉଦ୍ଧାର କରାଗଲା :—

 

“ବଙ୍ଗଭାଷୀ କହନ୍ତି କି ସେମାନେ ନିଜ ସାହିତ୍ୟକୁ ଅତି ଉନ୍ନତ କରିଅଛନ୍ତି । କିନ୍ତୁ ବାସ୍ତବିକ ଇଉରୋପୀୟ ଓ ସଂସ୍କୃତ ସାହିତ୍ୟର ତୁଳନାରେ ଏପରି କି ଉନ୍ନତି ହୋଇଅଛି ଯେ ତାହାର ଖାତରରେ ମାତୃଭୂମିର ଏକତ୍ୱସାଧନ ଓ ଦୁଃଖମୋଚନ ରୂପ ମହତ୍‌କାର୍ଯ୍ୟରେ ବଙ୍ଗବାସୀ ସଦୃଶ ସ୍ୱଦେଶଭକ୍ତଙ୍କୁ ବାଧାଦେବ ? ଅପରନ୍ତୁ ବଙ୍ଗବାସୀ ଅତି ବିଚକ୍ଷଣ ଓ ବୁଦ୍ଧିମାନ୍ । ଅଳ୍ପଦିନ ମଧ୍ୟରେ ସେ ହିନ୍ଦୀ ପରି ଗୋଟିଏ ଉନ୍ନତ ଭାଷାକୁ ଆହୁରି ଉନ୍ନତତର କରିପାରିବେ ଓ ତାହା ସେ ସହଜରେ କରିପାରନ୍ତି । ମୁକୁଳ ନାମକ ମାସିକ ପତ୍ରିକାର ୩ୟ ଭାଗ, ୧ମ ସଂଖ୍ୟାରେ ଆମ୍ଭେମାନେ ପଢ଼ିଥିଲୁ ଯେ ସ୍ୱନାମ ଧନ୍ୟ ସ୍ୱର୍ଗୀୟ ନବୀନଚନ୍ଦ୍ର ରାୟ ହିନ୍ଦୀ ଭାଷାରେ ବ୍ୟାକରଣାଦି ନାନା ପୁସ୍ତକ ରଚନା କରି ଉତ୍ତର−ପଶ୍ଚିମାଞ୍ଚଳର ମହତ୍ ଉପକାର କରିଯାଇଛନ୍ତି । ଆମ୍ଭେମାନେ ଆଶାକରୁ ସକଳ ପ୍ରତିଭାବାନ ବଙ୍ଗବାସୀ ସେହିପରି ସ୍ୱୀୟ ନାମ ଧନ୍ୟ କରି କ୍ଷୁଦ୍ର ବଙ୍ଗ ପରିବର୍ତ୍ତେ ବିଶାଳ ଭାରତକୁ ଉନ୍ନତ କରିପାରିବେ ଏବଂ ପତିଭାବାନ୍ ମହାରାଷ୍ଟ୍ରୀବୃନ୍ଦ ଓ ଭାରତର ପ୍ରତ୍ୟେକ ପ୍ରଦେଶର ଅଧିବାସୀବୃନ୍ଦ ସ୍ୱଦେଶର କଲ୍ୟାଣ ପାଇଁ ସେମାନଙ୍କ ସହାୟ ହେବେ ଏବଂ ଆର୍ଯ୍ୟାବର୍ତ୍ତର ଲଳିତ ଓ ଓଜସ୍ୱିନୀ ଭାଷା ହିନ୍ଦୀ ହିମାଳୟଠାରୁ କୁମାରିକା ପର୍ଯ୍ୟନ୍ତ ଦେଶନିବାସୀ ପ୍ରତ୍ୟେକ ହୃଦୟକୁ ସଂଯୋଗ କରିବ ।” (ଭାରତର ଭବିଷ୍ୟତ୍ ଭାଷା—ନନ୍ଦକିଶୋର ଗ୍ରନ୍ଥାବଳୀ, ପୃ ୧୦୩୭−୩୮)

 

ବ୍ୟକ୍ତିଗତ କଥା କହିବା ହୁଏତ ଠିକ୍ ନ ହୋଇପାରେ । କିନ୍ତୁ ଏଠି ପଦେ ଅଧେ କହିଦେବାକୁ ମନ ହେଉଚି, କାହିଁକିନା, ନନ୍ଦକିଶୋର ମୋ ପକ୍ଷରେ ଏ ପର୍ଯ୍ୟନ୍ତ ପୂରାପୂରି ଇତିହାସର ବସ୍ତୁ ହୋଇନାହାନ୍ତି । ତାଙ୍କ କବିତ୍ୱ ସଙ୍ଗେ ବ୍ୟକ୍ତିତ୍ୱ ମୋ ସ୍ମୃତିରେ ମିଶିକରି ଅଛି । ତେଣୁ ତାଙ୍କୁ ଦେଖିବାରେ ମୋ ଦୃଷ୍ଟିଭଙ୍ଗିରେ ପୂରାପୂରି ନିର୍ବ୍ୟପେକ୍ଷତା ଫୁଟି ନାଇ ବୋଲି କେହି ହୁଏତ ମନେ କରିପାରନ୍ତି । ସେଥିପାଇଁ ମୋ ନିଜ ଅନୁଭୂତି କଥା ଟିକଏ କହିଦେବା ମନ୍ଦ ହେବ ନାଇ ।

 

ମୁଁ ଯେତେବେଳେ କଲିକତାରେ ଏମ୍. ଏ. ଓ ବି. ଏଲ୍. ପରୀକ୍ଷା ଦେବାପାଇଁ ପଢ଼ୁଥିଲି, ସେତେବେଳେ ଓଡ଼ିଶା ଶିକ୍ଷାବିଭାଗର ଆଉ ଦୁଇ ତିନିଜଣଙ୍କ ସହିତ ଭଲ ଶିକ୍ଷତ ହୋଇପାରିବାର ଯୋଗ୍ୟତା ଅର୍ଜନ କରିପାରିବାଲାଗି ସେ କଲିକତାକୁ ପ୍ରେରିତ ହୋଇଥିଲେ । ମୋର ତାଙ୍କ ସହିତ ଖୁବ ଭାବଆଳାପ ଥିଲା—ମଧ୍ୟେ ମଧ୍ୟେ ମୁଁ ବରାବର ତାଙ୍କ ବସାକୁ ଆସୁଥିଲି । ମୋର ଏମ୍. ଏ. ପରୀକ୍ଷା ପାଇଁ ମନୋବିଜ୍ଞାନରେ ଯେଉଁସବୁ ପୁସ୍ତକ ପାଠ୍ୟ ଥିଲା, ସେହି ପୁସ୍ତକରୁ ଖଣ୍ଡେ ଅଧେ ମଧ୍ୟ ତାଙ୍କର ପାଠ୍ୟ ଥିଲା । ଦୁହେଁ ବେଳେ ବେଳେ ସେହି ବିଦ୍ୟାର ମଧ୍ୟ ଆଲୋଚନା କରୁଥିଲୁ । ସେତେବେଳେ ସେ ଅନେକ ଥର ମତେ ଦେଖାଇଛନ୍ତି ତାଙ୍କର ଲେଖାସବୁ, ଯାହାକି ଅତି ସୁନ୍ଦର ଓ ସରଳ ଇଂରେଜି ବୋଲି ତାଙ୍କ ଶିକ୍ଷକ ଭାରି ବହୁମାନ କରୁଥିଲେ । ସେକାଳେ ଭଲ ଇଂରେଜି ଲେଖିବାର ମମତା ଅନେକଙ୍କର ଥିଲା । ନନ୍ଦକିଶୋର ସେଥିରୁ ଜଣେ । ସେଇ ସମ୍ପର୍କରେ ଓଡ଼ିଆ କବିତା ପ୍ରସଙ୍ଗରେ ଇଂରେଜି କାବ୍ୟକବିତା କଥା ଆମ ଦୁହିଁଙ୍କ ଭିତରେ ପଡ଼ୁଥିଲା । ସେଥିରେ ଓ୍ୱାର୍ଡ଼ସଓ୍ୱାର୍ଥ ପ୍ରଭୃତି ହ୍ରଦତୀରନିବାସୀ (Lake Districts) ଇଂରେଜ କବିମାନଙ୍କ ପ୍ରତି ତାଙ୍କ ପ୍ରାଣରେ ଗାଢ଼ ଆଦର ଥିବାର ମୁଁ ଜାଣେ । ଥରେ କଥା ପଡ଼ିଥିଲା ପୋପ୍ ଡ଼୍ରାଇଡ଼େନ୍‌ଙ୍କ ଭଳି ବଡ଼ ବଡ଼ କାବ୍ୟ ଲେଖିବା କବିଙ୍କ ପରେ ଓ୍ୱାର୍ଡ଼ସଓ୍ୱାର୍ଥ ପ୍ରଭୃତି ହ୍ରଦତୀରବର୍ତ୍ତୀ କବିମାନଙ୍କ ଗୋଟିକିଆ କବିତା ଲେଖା ଯେପରି ଇଂରେଜି ସାହିତ୍ୟକୁ ନିଃଶ୍ୱାସ ମାରିବାକୁ ଅବକାଶ ଦେଇଥିଲା, ଆଜି ଓଡ଼ିଶାରେ ମଧ୍ୟଯୁଗର କାବ୍ୟକଳାପରେ ସେହିପରି କବିତା ଲେଖା ହେବା ଦରକାର । ନନ୍ଦକିଶୋରଙ୍କ ‘ବସନ୍ତକୋକିଳ’ ଭଳି କବିତା ବହୁପରିମାଣରେ ଏହି ଭାବରେ ପ୍ରଭାବିତ ପ୍ରାଣରୁ ବାହାରିଥିବା ନିତାନ୍ତ ଅସଙ୍ଗତ ବା ଅସମ୍ଭବ ନୁହେ । ସୂକ୍ଷ୍ମଭାବରେ କଳନା କରି ବସିଲେ, ସେଥିରେ ପ୍ରକୃତି ଓ ପ୍ରକାରର ସାମଞ୍ଜସ୍ୟ ହୁଏତ ଖୁବ୍ ଦେଖାଯିବ । ସ୍ଥଳବିଶେଷରେ ଇଂରେଜି ଭାବକୁ ଶିରୋଭୂଷଣ କରି ନିଜେ ନନ୍ଦକିଶୋର କବିତା ଲେଖିଥିବାର ମଧ୍ୟ ଦେଖାଯାଏ ।

 

ଗୁଣଗ୍ରାହିତା ମଧ୍ୟ ତାଙ୍କର କିପରି ଥିଲା ମୁଁ ନିଜ ଅନୁଭବରୁ ଜାଣେ । ପୁରୀ ଜିଲ୍ଲାରେ ଡେପୁଟି ଇନ୍‌ସ୍ପେକ୍ଟର ଥିଲାବେଳେ ମୁଁ ମୋ ନିଜ ରଚିତ ‘ପ୍ରଣୟିନୀ’ ଓ ‘କୋଣାର୍କେ’ ଦୁଇଖଣ୍ଡି କାବ୍ୟ ତାଙ୍କୁ ଦେଇଥିଲି । ସେ ତାକୁ ପଢ଼ିସାରି ଆସି ମୋତେ କୁଣ୍ଢାଇ ପକାଇ ଯାହା କହିଥିଲେ ସେଥିରୁ କିୟଦଂଶ ହେଉଚି, “ନୀଳକଣ୍ଠ, କି ଅମୃତ ନିସ୍ୟନ୍ଦରେ ଭାବଧାରା ସହିତ ଶଦ୍ଦ ଗଳି ପଡ଼ୁଛି-? ପଢ଼ିଲେ ଛାଡ଼ି ହେଉନାହିଁ ।”

 

ମୋର ପରି ବ୍ୟକ୍ତିଗତ ଭାବରେ ତଥା ସାହିତ୍ୟିକଭାବରେ ଜାଣିଥିବା ଅନେକ ଲୋକ ଏବେ ବି ଜୀବିତ ଅଛନ୍ତି । ତେଣୁ ତାଙ୍କ କାବ୍ୟ ଓ ସାହିତ୍ୟର ଯଥାର୍ଥ ଆଲୋଚନାପାଇଁ ପ୍ରାଣବନ୍ତ ଯୁବକ ହୁଏତ ଦରକାର । ସେ ନିଜ କାବ୍ୟ−ସାହିତ୍ୟ କଳନାରେ ଯେଉଁ ପୁରୋଦୃଷ୍ଟିରେ ଆତ୍ମଦାନ କରିଥିଲେ, ଆଜି ପ୍ରବର୍ଧମାନ ଓଡ଼ିଆ ସାହିତ୍ୟରେ ତାହାର ପ୍ରଭାବ ଓ ପ୍ରେରଣା ସେହି ପ୍ରାଣବନ୍ତ ଯୁବକମାନେ କଳନା କରି ଦେଖାନ୍ତୁ । ଶରୀର ସଂବଂଧରୁ ଅତୀତ ହେଲେ ବ୍ୟକ୍ତିର ନିର୍ମଳ ପ୍ରତିଭା ଓ ଆତ୍ମାର ଅନାବିଳ ପ୍ରକାଶ ଦେଖାପଡ଼େ । ସେହି ଭାବରେ ମୁଁ କହୁଚି, କବି ନନ୍ଦକିଶୋରଙ୍କ ପ୍ରଭାବ ଆଜି ସର୍ଜନ ସାହିତ୍ୟର ପୃଷ୍ଠରଟ୍ଟରୂପେ ଖୁବ୍ ଉପାଦାନ ଯୋଗାଉଚି । ତାହା ମୁଁ ଆଉ ବିଶେଷ କହି ବୁଝାଇବି ନାଇ । ଯୁବକମାନେ ଏଥିରେ ଯେପରି ଅଜ୍ଞାତଭାବରେ ଉଦ୍‍ବୁଦ୍ଧ ହେଉଛନ୍ତି, ତାହା ସେମାନେ ବିଚାର ଦୃଷ୍ଟିରେ ଦେଖିଲେ ବୁଝିପାରିବେ ଓ ବାଟ ଦେଖାଇବାକୁ ସମର୍ଥ ହେବେ ।

 

ନିଉକାପିଟାଲ୍, ଭୁବନେଶ୍ୱର

 

 

ନୀଳକଣ୍ଠ ଦାସ

ତା ୧୨। ୪ । ୧୯୫୫

 

 

 

 

ଜୀବନୀ

ଊନବିଂଶ ଶତାଦ୍ଦୀ ଉତ୍କଳ ପକ୍ଷରେ ବଡ଼ ସଙ୍କଟ କାଳ ଥିଲା । କାରଣ, ଏହି ଶତାଦ୍ଦୀରେ ହିଁ ଉତ୍କଳ ବାସ୍ତବରେ ପରାଧୀନତା ଦୁଃଖ ବିଶେଷଭାବରେ ଭୋଗ କରିଥିଲା । ମୋଗଲ ଓ ମରହଟ୍ଟାମାନେ ଏହି ଦେଶର ଲୋକ ଥିଲେ । ସେମାନଙ୍କ ଶାସନରେ ଦେଶର ସାମରିକ ଶକ୍ତି ଏକପ୍ରକାର ଲୋପ ପାଇଥିଲେହେଁ ତାହା କଳା ଓ ସାହିତ୍ୟ ଉପରେ ସେପରି ଆଘାତ ଦେଇପାରି ନ ଥିଲା । ଏହି ଯୁଗରେ ପୁରୀ ମନ୍ଦିରର ଭୋଗମଣ୍ଡପ ନିର୍ମାଣ ସଙ୍ଗେ ସଙ୍ଗେ ଉତ୍କଳ ଦେଶର କେତେଗୁଡ଼ିଏ ଶ୍ରେଷ୍ଠ କାବ୍ୟଗ୍ରନ୍ଥ ରଚିତ ହୋଇଥିଲା । ଊନବିଂଶ ଶତାଦ୍ଦୀର ପ୍ରଥମ ପାଦରେ ଉତ୍କଳ ଇଂରେଜ ରାଜଶକ୍ତିର ଅଧୀନ ହେଲା । ସେତେବେଳକୁ ବ୍ୟବସାୟସୂତ୍ରରେ ଇଂରେଜମାନେ ଏ ଦେଶରେ ଏକପ୍ରକାର ପରିଚିତ ହୋଇଯାଇଥିଲେ । ବ୍ୟବସାୟିସୁଲଭ ନମନୀୟତା ପରିବର୍ତ୍ତେ ରାଜଶକ୍ତି−ସଙ୍ଗତ କଠୋରତା ସେମାନଙ୍କଠାରେ ଉପଲବ୍‍ଧି କରି ଦେଶବାସୀ କ୍ଷୁବ୍‍ଧ୍ ହେଲେ ଏବଂ ସେମାନଙ୍କୁ ବହିଷ୍କାର କରିବାକୁ ଉଦ୍ୟମ କଲେ; ମାତ୍ର ତାହା ବିଫଳ ହେଲା । ଇତିହାସରେ ଏହା ପାଇକବିଦ୍ରୋହ ନାମରେ ବର୍ଣ୍ଣିତ ।

 

ତତ୍‍କାଳୀନ ସୂର୍ଯ୍ୟାସ୍ତ ନିଲାମ ଆଇନ ଅନୁଯାୟୀ ଅଧିକାଂଶ ଭୂମ୍ୟଧିକାରୀ ସେମାନଙ୍କର ପୈତୃକ ସମ୍ପଦ ହରାଇବାରୁ ଦେଶର ଅଭିଜାତ ସଂପ୍ରଦାୟ ପ୍ରାୟ ଉଚ୍ଛନ୍ନ ହୋଇଗଲେ । କଳା ଓ ସାହିତ୍ୟ ଏହାଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେଲା । ଏହା ଦ୍ୱିତୀୟ ପାଦର କଥା । ଶତାଦ୍ଦୀର ତୃତୀୟ ପାଦରେ ଦିବ୍ୟସିଂହ ଦେବଙ୍କ ନବମ ଅଙ୍କରେ କରାଳ “ନଅଙ୍କ” ଦୁର୍ଭିକ୍ଷ ପଡ଼ିଲା । ତାହା ଉତ୍କଳର ମେରୁଦଣ୍ଡକୁ ଭାଙ୍ଗିଦେଲା । ଫକୀରମୋହନଙ୍କ ଲିଖିତ ବିବରଣୀ ଅନୁଯାୟୀ ଏ ଦୁର୍ଭିକ୍ଷରେ ପ୍ରାୟ ୩୦ ଲକ୍ଷ ଲୋକ କାଳଗ୍ରାସରେ ପତିତ ହୋଇଥିଲେ । ମାତ୍ର ଉତ୍କଳର ସୌଭାଗ୍ୟକୁ ଏହି ଯୁଗରେ କେତେକ ପ୍ରାତଃସ୍ମରଣୀୟ ମନୀଷୀ ଜନ୍ମଲାଭ କରି ଏହି ଜାତିକୁ ବଞ୍ଚାଇ ରଖିପାରିଥିଲେ ।

 

ନଅଙ୍କ ଦୁର୍ଭିକ୍ଷରେ ଉତ୍କଳ ଆର୍ଥକ, ନୈତିକ ଓ ଜନଶକ୍ତି ଦୃଷ୍ଟିରେ ଅତି ଶୋଚନୀୟ ଅବସ୍ଥାର ସମ୍ମୁଖୀନ ହୋଇଥିଲାବେଳେ ଶାସକଗୋଷ୍ଠୀ ଶାସନ ସୁବିଧାର ଛଳନାରେ ଏହାର ସାହିତ୍ୟ ଉପରେ ଏପରି ଆଘାତ ଦେବାକୁ ଚେଷ୍ଟା କଲେ ଯେ, ତଦ୍ଦ୍ୱାରା ଜାତିର ସତ୍ତା ଲୁପ୍ତପ୍ରାୟ ହେବାକୁ ବସିଲା । “ଓଡ଼ିଆ ସ୍ୱତନ୍ତ୍ର ଭାଷା ନୁହେଁ” ଏହି ଯୁକ୍ତିରେ ଓଡ଼ିଶାର ସ୍କୁଲ କଚେରିମାନଙ୍କରୁ ତାହା ଉଠାଇ ଦେବାର ପ୍ରସ୍ତାବ କରାଗଲା । ସେତେବେଳେ ଜନନେତା ମଧୁସୂଦନ ଯୁବକ ଓ କଲିକତାପ୍ରବାସୀ ଏବଂ ଦେଶରେ ସଂପୂର୍ଣ୍ଣ ଅଜ୍ଞାତ । ଯୁବକ ଫକୀରମୋହନଙ୍କ ନେତୃତ୍ୱରେ ଗୌରୀଶଙ୍କର, ନନ୍ଦକିଶୋର ଦାସ, ବିଚ୍ଛନ୍ଦ ପଟ୍ଟନାୟକ ପ୍ରଭୃତି ଏହା ବିରୁଦ୍ଧରେ ତୀବ୍ର ଆନ୍ଦୋଳନ କଲେ । ମାତ୍ର ବିଦ୍ୟାଳୟମାନଙ୍କରେ ପଢ଼ାଇବାର ଗଦ୍ୟସାହିତ୍ୟ କାହିଁ ? ବିଚ୍ଛନ୍ଦ ପଟ୍ଟନାୟକ କେତେ ବଙ୍ଗଳା ପାଠ୍ୟପୁସ୍ତକ ଓଡ଼ିଆରେ ଅନୁବାଦ କଲେ । ପଣ୍ଡିତ ପ୍ରଭାକର ଚୂଡ଼ାମଣି କେତେଖଣ୍ଡି ଶିଶୁପାଠ୍ୟ ଗଦ୍ୟପୁସ୍ତକ ମୌଳିକ ରଚନାରୂପେ ପ୍ରକାଶ କଲେ । ମାତ୍ର ଫକୀରମୋହନ ହିଁ ଓଡ଼ିଆ ଗଦ୍ୟସାହିତ୍ୟର ଜନକରୂପେ ଆବିର୍ଭୂତ ହେଲେ । ସେ ଉଚ୍ଚଶିକ୍ଷାର ସେପରି ସୁବିଧା ପାଇ ନ ଥିଲେହେଁ ଅଧ୍ୟବସାୟ ଓ ପ୍ରତିଭାବଳରେ ଭାରତ ଇତିହାସ ପ୍ରଭୃତି ଗଦ୍ୟପୁସ୍ତକ ରଚନା କଲେ । ଏହା ୧୮୭୦ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା । ପରେ ତାଙ୍କର ପଦାଙ୍କ ଅନୁସରଣ କରି ପ୍ୟାରୀମୋହନ ଉତ୍କଳ ଇତିହାସ ରଚନା କରିଥିଲେ । ରାଧାନାଥଙ୍କ ପ୍ରାଥମିକ ଗଦ୍ୟ ରଚନା ‘ଇତାଲୀୟ ଯୁବା’ ଓ ‘ବିବେକୀ’ ପ୍ରଭୃତି ଟିକଏ ମାର୍ଜ୍ଜିତ ଭାଷାରେ; ମାତ୍ର ତାହା ଫକୀରମୋହନଙ୍କ ଶୈଳୀ ଅନୁସରଣ କରି ଲେଖାଯାଇଥିଲା । ମଧୁସୂଦନ ରାଓଙ୍କ “ପ୍ରବନ୍ଧମାଳା” ପ୍ରଭୃତି ଉଚ୍ଚକୋଟୀର ଗଦ୍ୟ ପାଠ୍ୟପୁସ୍ତକମାନଙ୍କ ଉପରେ ବଙ୍ଗଦେଶର କାଳୀପ୍ରସନ୍ନ ଘୋଷ, ବିଦ୍ୟାସାଗରଙ୍କ ରଚିତ ‘ନିଶୀଥ ଚିନ୍ତା’, ‘ନିଭୃତ ଚିନ୍ତା’, ‘ପ୍ରଭାତ ଚିନ୍ତା’ ପ୍ରଭୃତି ଗଦ୍ୟ ପୁସ୍ତକମାନଙ୍କର ପ୍ରଭାବ ଅଧିକ ମାତ୍ରାରେ ପଡ଼ିଥିବାର ଜଣାଯାଏ । ତାଙ୍କର ପଦ୍ୟାବଳୀରେ ଉତ୍କଳ ପ୍ରାଚୀନ କବିମାନଙ୍କ ଅପେକ୍ଷା ବଙ୍ଗଦେଶର ମାଇକେଲ ମଧୁସୂଦନ ଓ ରବୀନ୍ଦ୍ରନାଥ ପ୍ରମୁଖଙ୍କ ପ୍ରଭାବ ବିଶେଷଭାବରେ ପଡ଼ିଛି । ପ୍ରାଚୀନ ଓଡ଼ିଆ ଓ ବୈଦେଶିକ କବିମାନଙ୍କର କାବ୍ୟଗ୍ରନ୍ଥରାଜି ଆଦର୍ଶରୂପେ ସମ୍ମୁଖରେ ସ୍ଥାପନ କରି ଆଧୁନିକ ସୁରୁଚିସଙ୍ଗତ ଭାବରେ ଉତ୍କୃଷ୍ଟ କାବ୍ୟଗ୍ରନ୍ଥମାନ ରଚନା କଲେ । ମାତ୍ର ଉତ୍କଳର ଜନ-ସାହିତ୍ୟ ରଚନା ଦିଗରେ ସେମାନେ ବିଶେଷ ମନୋଯୋଗ ଦେଇନାହାନ୍ତି । ତଥାପି ଶିକ୍ଷା, ସାହିତ୍ୟ ଓ ରାଜନୀତିର ପୁନରୁତ୍‍ଥାନ ଦୃଷ୍ଟିରେ ଏହାକୁ ଉତ୍କଳର Rennaissance ବା ଅଭ୍ୟୁଦୟ ଯୁଗ କୁହାଯିବ ।

 

ଏହି ଅଭୁଦୟ ଯୁଗରେ ହିଁ ଉତ୍କଳର ଆଧୁନିକ ଜନ−କବିତାର ସ୍ରଷ୍ଟା କବି ନନ୍ଦକିଶୋରଙ୍କ ଜନ୍ମ । ଏ ଦିଗରେ ଉତ୍କଳମଣି ଗୋପବନ୍ଧୁଙ୍କର ଦାନ ମଧ୍ୟ ଅନନ୍ୟସାଧାରଣ । ଏହି ଦୁଇ ବରେଣ୍ୟ ଜନ−ସାହିତ୍ୟସ୍ରଷ୍ଟାଙ୍କର ଆବିର୍ଭାବ ଓ ତିରୋଭାବ ପ୍ରାୟ ଏକା ସମୟରେ ଘଟିଛି ।

 

ଇତିହାସପ୍ରସିଦ୍ଧ ଚୌଦ୍ୱାର ଏବଂ ଲଳିତଗିରି ଓ ଉଦୟଗିରି ପର୍ବତମାଳାର ପ୍ରତିଚ୍ଛବି ବକ୍ଷରେ ଧାରଣ କରି ପୁଣ୍ୟତୋୟା ବିରୂପା ନଦୀ ଉତ୍କଳରେ ପ୍ରସିଦ୍ଧିଲାଭ କରିଅଛି । ଏହି ବିରୂପାନଦୀର ପୂର୍ବ ଉପକୂଳରେ ସମୃଦ୍ଧିଶାଳୀ କୁସୁପୁର ଗ୍ରାମ ଅବସ୍ଥିତ । ଏହା କଟକ ଜିଲ୍ଲାର ମାହାଙ୍ଗାଥାନା ଅନ୍ତର୍ଗତ । କୁସୁପୁର ନିକଟରେ ବିରୂପା ନଦୀ ପଶ୍ଚିମରୁ ଉତ୍ତରକୁ ବହି ଯାଉଅଛି । ଏହାର ଅନତିଦୂରରେ ନଦୀର ଉତ୍ତରକୂଳରେ ଅଳତିଗିରି ଓ ଉଦୟଗିରି ପର୍ବତମାଳା ନିସର୍ଗର ମନୋହର ପ୍ରାଚୀରବତ୍ ଦଣ୍ଡାୟମାନ ରହିଛନ୍ତି । ପୂର୍ବଦିଗରେ କିଞ୍ଚିତ୍‍ଦୂରରେ ନଦୀର ଅପରପାର୍ଶ୍ୱରେ ଚନ୍ଦନ ତରୁରାଜିଶୋଭିତ ଲଳିତଗିରି ପର୍ବତମାଳା । ଗ୍ରାମର ଦକ୍ଷିଣଦିଗରେ ପଟ୍ଟାମୁଣ୍ଡାଇ କେନାଲ ଏବଂ ଶସ୍ୟଶ୍ୟାମଳ କ୍ଷେତ୍ର ବ୍ୟତୀତ ଦୁଇତିନି ମାଇଲ୍ ବ୍ୟବଧାନରେ କୌଣସି ଜନବସତି ନାହିଁ । ପଲ୍ଲୀଟିର ଏହି ପ୍ରକାରର ଅବସ୍ଥାନ ଏବଂ ପାରିପାର୍ଶ୍ୱିକ ମନୋମୁଗ୍‍ଧକର ଦୃଶ୍ୟରାଜି କବିତ୍ୱ ଉନ୍ମେଷର ଅନୁକୂଳ । ଯେଉଁମାନେ ବଙ୍ଗର ଅମରକବି ବଙ୍କିମଚନ୍ଦ୍ରଙ୍କର ବିଖ୍ୟାତ ‘ସୀତାରାମ’ ଉପନ୍ୟାସ ପାଠ କରିଛନ୍ତି, ସେମାନେ ଉକ୍ତ ଗ୍ରନ୍ଥର ପ୍ରଥମ ଖଣ୍ଡ ଏକାଦଶ ପରିଚ୍ଛେଦରେ ଏ ଅଞ୍ଚଳର ନିସର୍ଗସୁନ୍ଦର ଦୃଶ୍ୟରାଜି କବି ହୃଦୟକୁ କିପରି ମୁଗ୍‍ଧ କରିଥିଲା ତାହା ପ୍ରଣିଧାନ କରିପାରିବେ ଏହିପ୍ରକାର ପରିବେଷ୍ଟନୀ ମଧ୍ୟରେ ଥିବା କୁସୁପୁର ଗ୍ରାମରେ ୧୮୭୫ ମସିହା ଡିସେମ୍ବର ୨୨ ତାରିଖ ୧୨୮୩ ସାଲ ପୌଷ ୯ ଦିନ ବୁଧବାର କୃଷ୍ଣପକ୍ଷ ଏକାଦଶୀ ତିଥିରେ ପଲ୍ଲୀକବି ନନ୍ଦକିଶୋର ଜନ୍ମଗ୍ରହଣ କରିଥିଲେ ।

 

ପୂର୍ବେ ଏହି କୁସୁପୁର ଗ୍ରାମର ନାମ କୁସୁମପୁର ଥିଲା । କବିଙ୍କ ପିତା ଭଜନାନନ୍ଦ ଜେନା ନିଷ୍ଠାପର ଓ ସଚ୍ଚରିତ୍ର ବ୍ୟକ୍ତି ଥିଲେ । ଜନନୀ ହିରଣ୍ମୟୀଦେବୀ କୋମଳହୃଦୟା ଓ ଧର୍ମପ୍ରାଣା ଥିଲେ-। ନନ୍ଦକିଶୋର ପିତାଙ୍କର ଚତୁର୍ଥ ପୁତ୍ର । ଶୈଶବକାଳରେ ତାଙ୍କର ପିଉସୀ ଜାନକୀ ଦେବୀ ନନ୍ଦକିଶୋରଙ୍କୁ ପୋଷ୍ୟପୁତ୍ରରୂପେ ଗ୍ରହଣ କରିଥିଲେ । ଜାନକୀ ଦେବୀ ଆଲମଗିରିଗଡ଼ର ବିଖ୍ୟାତ ବଳବଂଶୀୟଜମିଦାରଙ୍କ ଘରେ ବିବାହ କରିଥିଲେ ଏହି ସ୍ଥାନ କୁସୁପୁରଠାରୁ ପ୍ରାୟ ୫ ମାଇଲ ଦୂରବର୍ତ୍ତୀ । ନନ୍ଦକିଶୋରଙ୍କ ଅନ୍ୟ ଭାଇମାନଙ୍କ ନାମ ଦୟାନିଧି, ନରହରି ଓ ନିତ୍ୟାନନ୍ଦ । ଏମାନଙ୍କର ଚରିତ୍ରା କବି ସ୍ୱୀୟ ‘କନକଲତା’ ଉପନ୍ୟାସରେ ଉଲ୍ଲେଖ କରିବାର ଜଣାଯାଏ ନନ୍ଦକିଶୋର ପିଲାଦିନେ ରସାନନ୍ଦ ନାମରେ ପରିଚିତ ଥିଲେ । ତାଙ୍କ ଜନ୍ମର ଅଳ୍ପକାଳ ପରେ ମାତା ହିରଣ୍ମୟୀଙ୍କର ମୃତ୍ୟୁ ହୋଇଥିଲା । ତେଣୁ ନନ୍ଦକିଶୋର ଶୈଶବ ଅବସ୍ଥାରୁ ପୋଷ୍ୟମାତା ଓ ପିଉସୀ ଜାନକୀ ଦେବୀଙ୍କ ଗୃହରେ ଲାଳିତପାଳିତ ହୋଇଥିଲେ । ପୋଷ୍ୟପୁତ୍ର ହେବାପରେ ରସାନନ୍ଦ କୌଳିକ ‘ଜେନା’ ଉପାଧି ତ୍ୟାଗକରି ନନ୍ଦକିଶୋର ବଳ ନାମରେ ପରିଚିତ ହୋଇଥିଲେ-। ନୈସର୍ଗିକ ଆକର୍ଷଣ ଅତିକ୍ରମ କରି ନ ପାରି ନନ୍ଦକିଶୋର ସ୍ୱୀୟ ଜେଷ୍ଠଭ୍ରାତାମାନଙ୍କ ସହ କୁସୁପୁର ଗ୍ରାମରେ ପ୍ରାୟ ଅବସ୍ଥାନ କରୁଥିଲେ । ଜାନକୀ ଦେବୀଙ୍କ ମୃତ୍ୟୁପରେ ନନ୍ଦକିଶୋରନିଜର ପ୍ରିୟ କୁସୁପୁର ଗ୍ରାମରେ ସ୍ଥାୟୀଭାବରେ ବସବାସ କଲେ ।

 

ନନ୍ଦକିଶୋରଙ୍କ ପରିବାର ଗ୍ରାମର ଏକ ବିଶିଷ୍ଟ ଅଭିଜାତ ବଂଶ । ତାଙ୍କର ପୂର୍ବପୁରୁଷ ଖୋର୍ଦ୍ଧାର ଶାସକଗୋଷ୍ଠୀଙ୍କ ସମ୍ପର୍କୀୟ ବ୍ୟକ୍ତି ଥିଲେ । ପ୍ରାୟସାର୍ଦ୍ଧ ତିନି ଶତ ବର୍ଷ ପୂର୍ବେ କବିଙ୍କ ବଂଶର ଆଦିପୁରୁଷ ଯାଦବାନନ୍ଦ ଓ ମାଧବାନନ୍ଦ ସମ୍ରାଟ୍ ପ୍ରତାପରୁଦ୍ର ଦେବଙ୍କ ସେନା ବିଭାଗରେ କାର୍ଯ୍ୟ କରୁଥିଲେ । ପ୍ରତାପରୁଦ୍ରଙ୍କ ଆଦେଶରେ ରାଜଧାନୀ ହଠାତ୍ ଖୋର୍ଦ୍ଧାର ରଥିପୁର ଦୁର୍ଗରୁ କଟକର ବାରବାଟି ଦୁର୍ଗକୁ ସ୍ଥାନାନ୍ତରିତ ହେବାରୁ ସେନାଦଳସହ ଏହି ଭ୍ରାତୃଯୁଗଳ ମଧ୍ୟ କଟକ ଆସିଲେ । ପ୍ରତାପରୁଦ୍ରଙ୍କପରେ ତିରିଶ ବର୍ଷ ଅତୀତ ନ ହେଉଣୁ ଉତ୍କଳର ରାଜନୈତିକ ଅବସ୍ଥାର ବିପର୍ଯ୍ୟୟ ଘଟିଲା । ସେହି ସମୟରେ ଯାଦବାନନ୍ଦ ଓ ମାଧବାନନ୍ଦ କୁସୁପୁର ଗ୍ରାମରେ ବାସକରିବାକୁ ଲାଗିଲେ । କାଳକ୍ରମେ ସେମାନଙ୍କ ବଂଶଧରଗଣ କୁସୁପୁର ଓ ତନ୍ନିକଟବର୍ତ୍ତୀ ଗ୍ରାମମାନଙ୍କ ଭୂମ୍ୟଧିକାରିସ୍ୱତ୍ତ୍ୱ ଲାଭ କଲେ । ଏହି ମାଧବାନନ୍ଦଙ୍କ ଦଶମ ପୁରୁଷରେ ଅନନ୍ତଚରଣ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଭଜନାନନ୍ଦ ଓ ଗୋପୀନାଥ ନାମରେ ଦୁଇ ପୁତ୍ର ଓ ଜାନକୀ ନାମୀ କନ୍ୟା ଥିଲେ । ଏହି ଜାନକୀ କବି ନନ୍ଦକିଶୋରଙ୍କ ଜନନୀ । ଜନକବିତାର ସ୍ରଷ୍ଟା ନନ୍ଦକିଶୋରଙ୍କ ବ୍ୟତୀତ ଆଉ କେତେକ ବିଖ୍ୟାତ ବ୍ୟକ୍ତି ମଧ୍ୟ କୁସୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି । ଓଡ଼ିଶାର ପ୍ରଥମ ଡେପୁଟୀ କଲେକ୍ଟର ସ୍ୱର୍ଗତ ନରସିଂହଚରଣଦାସ ଓ ତାଙ୍କପୁତ୍ର ସ୍ୱର୍ଗତ ରାୟବାହାଦୁର ନନ୍ଦକିଶୋର ଦାସ ଏହିଗ୍ରାମରେ ଜନ୍ମଲାଭ କରିଥିଲେ । ଉତ୍କଳର ଶିଳ୍ପିଗୁରୁ ସ୍ୱର୍ଗତ ବିମ୍ବାଧର ବର୍ମା ଏବଂ କବି ଓ ଔପନ୍ୟାସିକ ଜ୍ଞାନୀନ୍ଦ୍ର ବର୍ମା ଏହି ଗ୍ରାମର ସନ୍ତାନ । ଏମାନେ ସଂପର୍କରେ ନନ୍ଦକିଶୋରଙ୍କ ପୌତ୍ର ଅଟନ୍ତି । ଶିଳ୍ପୀ ବିମ୍ବାଧର ତରୁଣ ବୟସରେ ଗ୍ରାମରେ ଅବସ୍ଥାନ କରୁଥିଲାବେଳେ ନନ୍ଦକିଶୋର ଅବସର ଗ୍ରହଣ ପରେ ସ୍ୱ ପଲ୍ଲୀର ପଲ୍ଲବମୟ ଅଙ୍କର ଆଶ୍ରୟ ଗ୍ରହଣ କରିଥିଲେ । ସେତେବେଳେ ଉଭୟଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ସ୍ଥାପିତ ହୋଇଥିଲା । ବିମ୍ବାଧର ସେତେବେଳେ ନାଟ୍ୟକର । କବି ଓ ଶିଳ୍ପୀ ଉଭୟେ ମିଶି “ମୋଗଲ−ମହାନାୟକ” ନାମକ ଏକ ନାଟକ ରଚନା କରିଥିଲେ । ନନ୍ଦକିଶୋର ଏହି ନାଟକର ବିଷୟବସ୍ତୁ ଯୋଗାଇଥିଲେ-। ଏହାର ପଟ୍ଟଭୂମିରେ ଆଲମଗିରି ଗଡ଼ର ଏକ ଇତିହାସ ନିବଦ୍ଧ ଥିଲା । କିନ୍ତୁ ପରବର୍ତ୍ତୀକାଳରେ ଏ ଲେଖାର ଆଉ କୌଣସି ସନ୍ଧାନ ମିଳିନାହିଁ ।

 

ନନ୍ଦକିଶୋରଙ୍କ ବାଲ୍ୟକାଳରେ ଆଜିକାଲି ପରି ପଲ୍ଲୀଗ୍ରାମମାନଙ୍କରେ ବିଦ୍ୟାଳୟ କିମ୍ବା ପାଠଶାଳା ନ ଥିଲା । କୌଣସି କୌଣସି ଗ୍ରାମରେ ଥିବା ଚୌପାଢ଼ୀରେ କ୍ଷିତିବଂଶୀୟ ଶିକ୍ଷକ ଜଣେ ଜଣେ ରହି ଗ୍ରାମର ମୁଖ୍ୟବ୍ୟକ୍ତିଙ୍କ ପିଲାମାନଙ୍କୁ ସେ କାଳ ରୀତିରେ ହିସାବକିତାବ ଏବଂ ଗୀତ ଭାଗବତ ଶିକ୍ଷା ଦେଉଥିଲେ । କିନ୍ତୁ ଏହି ସମୟରେ କୁସୁପୁର ଗ୍ରାମର ଚୌପାଢ଼ୀଟି ଭାଙ୍ଗିଯାଇଥିବାରୁ ଜଣେ ସ୍ଥାନୀୟ ଶିକ୍ଷକଙ୍କ ନିକଟରେ ନନ୍ଦକିଶୋର ବାଲ୍ୟପାଠ ଶେଷ କରିଥିଲେ-। ଏହି ଶିକ୍ଷକଙ୍କ ନାମ ଅନନ୍ତ ମିଶ୍ର । ସେ ଅଷ୍ଟାବକ୍ରସଦୃଶ ଏବଂ ଖଞ୍ଜ ଥିଲେ । ସେ ନିଜର ଗୃହପ୍ରାଙ୍ଗଣରେ ମାଟିର ଗୋଟିଏ କ୍ଷୁଦ୍ର ବେଦୀ ଉପରେ ଅଖାପାଲ ଖଣ୍ଡିଏ ବିଛାଇ ତହିଁ ଉପରେ ବସି ଛାତ୍ରମାନଙ୍କୁ ଶିକ୍ଷାଦାନ କରୁଥିଲେ । ଚଳତ୍‍ଶକ୍ତିହୀନ ଥିବାରୁ ୪।୫ ହାତ ଦୀର୍ଘ ଖଣ୍ଡେ ବେତ ଧରି ସେ ଛାତ୍ରମାନଙ୍କୁ ଶାସନ କରୁଥିଲେ । ଏହି ଗୃହ−ପାଠଶାଳାରେ ସତରଫଳାଠାରୁ ଆରମ୍ଭ କରି ପଣକିଆ, ଶୋଧି, ଓଡ଼ାଙ୍କ, ମେଲାଙ୍କ ପ୍ରଭୃତି ଖଡ଼ିପାଠ ତାର ସ୍ୱରରେ ସଙ୍ଗୀତ ଭଙ୍ଗୀରେ ଆବୃତ୍ତ କରୁଁ କରୁଁ ଛାତ୍ରମାନେ ଲେଖନରେ ବ୍ୟାପୃତ ହେଉଥିଲେ । କୌଣସି ଛାତ୍ରର ସ୍ୱର ଅନୁଚ୍ଚ ହେଲେ କିମ୍ବା କେହି ଆବୃତ୍ତ ବା ଲେଖନ ପାଠ ଭଲ ନ କଲେ ଶିକ୍ଷକଙ୍କ ଦୀର୍ଘ ବେତ ଛାତ୍ରର ପୃଷ୍ଠଦେଶ ସଶଦ୍ଦରେ ସ୍ପର୍ଶ କରୁଥିଲା । ଏହି ଖଞ୍ଜ ଶିକ୍ଷକଙ୍କର ଗୁରୁ ବା ଲଘୁ ଶଙ୍କା ଉପସ୍ଥିତ ହେଲେ ବୟସ୍କ ଚାଟମାନେ ଗୋଟିଏ ଚାରିଚକବିଶିଷ୍ଟ ଛୋଟ ଗାଡ଼ିରେ ତାଙ୍କୁ ବସାଇ ଶଙ୍କା ସ୍ଥାନକୁ ନେବାଆଣିବା କରୁଥିଲେ । Cane is the last resource ରୂପେ ସେତେବେଳେ ପ୍ରାୟ ସବୁଦେଶର ଅନ୍ୟ କୌଣସି କାର୍ଯ୍ୟପାଇଁ ଅଯୋଗ୍ୟ ଶିକ୍ଷିତ ବ୍ୟକ୍ତିଙ୍କୁ ଜୀବିକାର୍ଜନ ପାଇଁ ଶିକ୍ଷକତା ଅବଲମ୍ବନ କରିବାକୁ ହେଉଥିଲା । ଏବଂବିଧ ପାଠଶାଳାରେ କବି ତାଙ୍କର ବାଲ୍ୟଶିକ୍ଷା ସାଙ୍ଗକରି ସ୍ଥାନୀୟ ଜମିଦାରୀ କଚେରିରେ ସିରସ୍ତାକାର୍ଯ୍ୟରେ ତାଲିମ ହେଲେ-। ସେତେବେଳେ ତାଙ୍କର ବୟସ ୧୨ ବର୍ଷ ମାତ୍ର । ବାଲ୍ୟକାଳର ଏହି ପାଠଶାଳାର ଅନୁଭୂତି କବି ନିଜର “ପଲ୍ଲୀଚିତ୍ର” କବିତାରେ କେତେକାଂଶରେ ପରିବେଷଣ କରିଥିବାର ଦେଖାଯାଏ ।

 

କବିଙ୍କ ଶୈଶବକାଳରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ବିପୁଳ ପରିବର୍ତ୍ତନ ଘଟିଥିଲା । ସେ କାଳରେ ଶିକ୍ଷା ବିଭାଗ ଗୋଟିଏ ସ୍ୱତନ୍ତ୍ର ବିଭାଗ ହୋଇ ନଥିଲା । ଜିଲ୍ଲା କଲେକ୍ଟରଙ୍କ ଜଣେ ଅଧସ୍ତନ ଡେପୁଟୀ ମାଜିଷ୍ଟ୍ରେଟଙ୍କ ଉପରେ ଶିକ୍ଷା ସମସ୍ୟା ନ୍ୟସ୍ତ ଥିଲା । ମହାମତି ଲର୍ଡ଼ ରିପନ୍‍ଙ୍କଦ୍ୱାରା ଜିଲ୍ଲା ବୋର୍ଡ଼, ମ୍ୟୁନିସିପାଲିଟୀ ପ୍ରଭୃତ ସ୍ୱାୟତ୍ତ ଶାସନ ବିଭାଗମାନ ଗଠିତ ହୁଅନ୍ତେ କଟକ ଜିଲ୍ଲାପାଇଁ ସ୍ୱର୍ଗତ ମଧୁସୂଦନ ରାଓ ଶିକ୍ଷାବିଭାଗର ପ୍ରଥମ ଡେପୁଟୀ ଇନ୍‍ସ୍‌ପେକ୍ଟର ନିଯୁକ୍ତ ହେଲେ । କବିବର ରାଧାନାଥରାୟ ସେ ସମୟରେ ଓଡ଼ିଶା ଶିକ୍ଷାବିଭାଗର ଜଏଣ୍ଟ ଇନ୍‍ସ୍‌ପେକ୍ଟର ଥିଲେ । ରାଧାନାଥ ଓ ମଧୁସୂଦନ ଶିକ୍ଷାପ୍ରସାର ଉଦ୍ଦେଶ୍ୟରେ ଏ ଅଞ୍ଚଳକୁ ଆସିଥିଲେ । କବିଙ୍କର ଅନ୍ୟତମ ବାଲ୍ୟଗୁରୁ କୃଷ୍ଣଚନ୍ଦ୍ର ପଣ୍ଡା ତାଙ୍କୁ ନିକଟବର୍ତ୍ତୀ ଲାଳିତଗିରି ଓ ଉଦୟଗିରି ତଥା ପ୍ରାଚୀନ ପୁଷ୍ପଗିରି ବିହାରର କଳାଶିଳ୍ପ ସଙ୍ଗରେ ବୁଲାଇ ଦେଖାଇ ଥିଲେ । କୃଷ୍ଣଚନ୍ଦ୍ର ପଣ୍ଡା ମହାସିହପୁର ମଧ୍ୟ ଭର୍ଣ୍ଣାକୁଲରସ୍କୁଲରେ ପଢ଼ି ଭର୍ଣ୍ଣାକୁଲର ପାସ କରିଥିଲେ । ମଧୁସୂଦନଙ୍କଦ୍ୱାରା ପ୍ରୋତ୍ସାହିତ ହୋଇ ଗ୍ରାମର ବିଶିଷ୍ଟ ଉତ୍ସାହୀ ବ୍ୟକ୍ତି ନିତ୍ୟାନନ୍ଦ ଜେନାଙ୍କ ସମ୍ପାଦକତାରେ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଗଲା । କବିଙ୍କ ଜ୍ୟେଷ୍ଠାଗ୍ରଜ ଦୟାନିଧି ଜେନା ସେମାନଙ୍କର ଏ କାର୍ଯ୍ୟରେ ବିଶେଷ ସହଯୋଗ କରିଥିଲେ । ଏହା ୧୮୮୭ ମସିହାର କଥା । ନନ୍ଦକିଶୋର ଓ ତାଙ୍କର ସମବୟସ୍କ କେତେକ ଯୁବକ ପ୍ରଥମେ ଏହି ସ୍କୁଲରେ ଛାତ୍ରରୂପେ ଗୃହୀତ ହେଲେ । ଜମିଦାରୀ ସିରସ୍ତାରେ ତାଲିମ ହେଉଥିବା ନନ୍ଦକିଶୋରଙ୍କ ଭାଗ୍ୟ ଏହିଠାରୁ ସଂପୂର୍ଣ୍ଣ ପରିବର୍ତ୍ତିତ ହୋଇଗଲା । ୧୮୯୦ ମସିହାରେ ନନ୍ଦକିଶୋରଙ୍କ ସମେତ ୯ ଜଣ ଛାତ୍ର ଉ:ପ୍ରା: ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ନନ୍ଦକିଶୋର ଜିଲ୍ଲା ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଉ:ପ୍ରା: ବୃତ୍ତି ଲାଭ କଲେ । ଏହି ସମୟରେ ନନ୍ଦକିଶୋରଙ୍କଠାରେ ପ୍ରଥମେ କବିତାର ଉନ୍ମେଷ ଘଟିଥିଲା । ପରୀକ୍ଷା ଦେବାକୁ ସେ କଟକ ଯିବା ପୂର୍ବରୁ କୃତକାର୍ଯ୍ୟତା ନିମିତ୍ତ ପ୍ରାର୍ଥନା କରି ଗ୍ରାମଦେବତା ନାରାୟଣଚଣ୍ଡୀଙ୍କ ଉଦ୍ଦେଶ୍ୟରେ ଗୋଟିଏ ସ୍ତୋତ୍ର ରଚନା କରି ଦେବତାଙ୍କ ମନ୍ଦିରରେ ପାଠ କରିଥିଲେ ।

 

ଏହାପରେ ନନ୍ଦକିଶୋର କଟକ ଟାଉନ ସ୍କୁଲରେ (ବର୍ତ୍ତମାନ ଭକ୍ତମଧୁ ବିଦ୍ୟାପୀଠ) ଭର୍ତ୍ତିହେଲେ । ବାଗ୍ମୀ ବିଶ୍ୱନାଥ କର ସେତେବେଳେ ପ୍ରଧାନ ଶିକ୍ଷକ ଓ ଭକ୍ତକବି ମଧୁସୂଧନ ବିଦ୍ୟାଳୟର ସଂପାଦକ । ଏହି ଦୁଇ ଜଣ ସ୍ୱନାମଧନ୍ୟ ମନୀଷୀଙ୍କ ସଂସ୍ପର୍ଶରେ ଆସିବା ଫଳରେ ନନ୍ଦକିଶୋରଙ୍କ ଶିକ୍ଷା, କବିଜୀବନ, ଚରିତ୍ରଗଠନ ଓ ଧର୍ମମତ ଉପରେ ସେମାନଙ୍କର ଯଥେଷ୍ଚ ପ୍ରଭାବ ପଡ଼ିଥିଲା । ସେତେବେଳେ ନନ୍ଦକିଶୋରଙ୍କ ଜ୍ୟେଷ୍ଠ ଗ୍ରଜ ଦୟାନିଧି ନରାଜ ଇଷ୍ଟେଟ୍‌ର ପରିଚାଳକରୂପେ କଟକରେ ଅବସ୍ଥାନ କରୁଥିଲେ । କଟକ ସହରରେ ତାହାଙ୍କ ତତ୍ତ୍ୱାବଧାନରେ ରହି ନନ୍ଦକିଶୋର ପଢ଼ା ଆରମ୍ଭ କଲେ । ଦୟାନିଧି ଏକାଧାରରେ ତାଙ୍କର ଅଗ୍ରଜ, ଅଭିଭାବକ, ଉପଦେଷ୍ଟା ଓ ପୃଷ୍ଠପୋଷକ ଥିବାରୁ ନନ୍ଦକିଶୋରଙ୍କ ଅଧ୍ୟୟନର ପଥ ସୁଗମ ହୋଇଥିଲା । ବିଶ୍ୱନାଥ କବିଙ୍କର କୁଳପୁରୋହିତ, ପ୍ରତିବେଶୀ ପୁଣି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିବାରୁ ନନ୍ଦକିଶୋରଙ୍କ ବିଦ୍ୟାଧ୍ୟୟନରେ ସର୍ବଦା ସତର୍କ ଦୃଷ୍ଟି ରଖିଥିଲେ ଏବଂ ନନ୍ଦକିଶୋରଙ୍କ ମେଧାବୀତାରେ ବିଶେଷ ପ୍ରୀତ ହୋଇଥିଲେ ।

 

ନନ୍ଦକିଶୋର ଟାଉନ ସ୍କୁଲରୁ କୃତିତ୍ୱସହକାରେ ମାଇନର ପାସ୍ କରି ବୃତ୍ତିଲାଭ କଲେ ଏବଂ ଗଣିତରେ କୃତିତ୍ୱ ପାଇଁ ଗୋଟିଏ ବିଶେଷ ବୃତ୍ତି ମଧ୍ୟ ପାଇଲେ । ସେତେବେଳେ ଟାଉନ ସ୍କୁଲ ଉଚ୍ଚ ଇଂରାଜୀ ସ୍କୁଲ ସ୍ତରକୁ ଉନ୍ନୀତ ହୋଇ ନ ଥିବାରୁ ନନ୍ଦକିଶୋର କଟକ କଲେଜିଏଟ୍ ସ୍କୁଲରେ ନାମ ଲେଖାଇଲେ । ମଧୁସୂଦନ ସେଠାରେ ପ୍ରଧାନ ଶିକ୍ଷକ । ଏହି ସମୟରେ ନନ୍ଦକିଶୋର ଗୁରୁ ମଧୁସୂଦନଙ୍କ ପ୍ରତ୍ୟକ୍ଷ ପ୍ରଭାବରେ ପଡ଼ିଥଲେ । ସେତେବେଳକୁ ମଧୁସୂଦନଙ୍କ ପ୍ରଭାବରେ ପଡ଼ି ବିଶ୍ୱନାଥ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ନନ୍ଦକିଶୋର ବ୍ରାହ୍ମଧର୍ମ ପ୍ରତି ଆକୃଷ୍ଟ ହୋଇ ରୀତିମତ ବ୍ରାହ୍ମ ସମାଜକୁ ଯିବାଆସିବା କଲେ । ମାତ୍ର ତାଙ୍କର ଅଭିଭାବକମାନେ ଏ କାର୍ଯ୍ୟକୁ ଅନୁମୋଦନ କଲେ ନାହିଁ । ବିଶ୍ୱନାଥଙ୍କ ଧର୍ମାନ୍ତରଗ୍ରହଣ ସେତେବେଳେ ହିନ୍ଦୁ ସମାଜରେ ଚାଞ୍ଚଲ୍ୟ ସୃଷ୍ଟି କରିଥାଏ । ସୁତରାଂ ନନ୍ଦକିଶୋରଙ୍କ ପଢ଼ାପଢ଼ି ବନ୍ଦ କରିଦେବାର ମସୁଧା ହେଲା । କିନ୍ତୁ ଅଗ୍ରଜ ଦୟାନିଧି ଅତି ଧୀଶକ୍ତିସମ୍ପନ୍ନ ବ୍ୟକ୍ତି ଥିବାରୁ ନନ୍ଦକିଶୋରଙ୍କ ପଢ଼ାର ଅନ୍ୟ ବ୍ୟବସ୍ଥା କେନ୍ଦ୍ରାପଡ଼ା ହାଇସ୍କୁସକୁ ସ୍ଥାନାନ୍ତରିତ କରାଗଲା । ମଧୁସୂଦନ ଆତି ଦୁଃଖର ସହ ତାଙ୍କୁ ସ୍କୁଲ ପରିବର୍ତ୍ତନର ଅନୁମତିପତ୍ର ଦେଇଥିଲେ । ନନ୍ଦକିଶୋରଙ୍କ ପିତା କେନ୍ଦ୍ରାପଡ଼ାଠାରେ ଏକ ଜମିଦାରୀ ଇଷ୍ଟେଟରେ ତହସିଲଦାର ଥିଲେ । ପିତାଙ୍କ ସାକ୍ଷାତ୍ ତତ୍ତ୍ୱାବଧାନରେ ରହି ଓ ସ୍ୱନାମଧନ୍ୟ ହେଡ଼ମାଷ୍ଟର ଓ୍ୟାରସିଅଲିଙ୍କ ନିକଟରେ ଶିକ୍ଷାଲାଭ କରି ନନ୍ଦକିଶୋର ୧୮୯୭ ମସିହାରେ ପ୍ରବେଶିକା ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ବୃତ୍ତିଲାଭ କରିଥିଲେ ।

 

ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନନ୍ଦକିଶୋର କଟକ ରେଭେନ୍‌ସା କଲେଜରେ ଅଧ୍ୟୟନ କଲେ । କିନ୍ତୁ କଟକ ଅବସ୍ଥାନଦ୍ୱାରା ପୁଣି ମଧୁସୂଦନ ଓ ବିଶ୍ୱନାଥ ପ୍ରଭୃତିଙ୍କ ପ୍ରଭାବରେ ପଡ଼ି ବ୍ରାହ୍ମଧର୍ମପ୍ରତି ଆକୃଷ୍ଟ ହେବା ଆଶଙ୍କାରେ ତାଙ୍କ ମନର ପରିବର୍ତ୍ତନ ଆଣିବା ପାଇଁ ତାଙ୍କୁ ପରିଣୟସୂତ୍ରରେ ଆବଦ୍ଧ କରାଗଲା । କଟକ ଜିଲ୍ଲାର ଅସୁରେଶ୍ୱର ପ୍ରଗଣା ଅନ୍ତର୍ଗତ ବାନ୍ତଳା ଗ୍ରାମବାସୀ ହରେକୃଷ୍ଣ ସାମଲଙ୍କ କନ୍ୟା ଶ୍ରୀମତୀ କୋକିଳ ଦେବୀଙ୍କ ସହ କବିଙ୍କର ଶୁଭପରିଣୟ ସମ୍ପାଦିତ ହୋଇଥିଲା । ଏହି ବିବାହଦ୍ୱାରା ତାଙ୍କ ଜୀବନର ମାର୍ଗ ସ୍ଥିରୀକୃତ ହୋଇ ଯାଇଥିଲା । ଏହି ସମୟଠାରୁ ତାଙ୍କ ଜୀବନର ପ୍ରତ୍ୟେକ କାର୍ଯ୍ୟରେ କୋକିଳ ଦେବୀଙ୍କର ପ୍ରଭାବ ଛତ୍ରେ ଛତ୍ରେ ଅନୁଭୂତ ହୁଏ । କବି Reformed Hindu, ତଥାପି ପୌତ୍ତଳିକ ହିନ୍ଦୁ କୋକିଳ ଦେବୀଙ୍କ ପ୍ରଭାବରୁ ଆପଣାକୁ ମୁକ୍ତ କରିପାରି ନଥିଲେ । ଏହିଠାରୁ ବସ୍ତୁତଃ ତାଙ୍କର କବି−ଜୀବନ ଆରମ୍ଭ ହେଲା । ଯେପରିକି ଅନ୍ତର୍ନିହିତ ଭାବୋଚ୍ଛ୍ୱାସ ବିବାହଦ୍ୱାରା ସ୍ପନ୍ଦନଲାଭ କରି କବିତାରେ ରୂପାନ୍ତରିତ ହେଲା । “ବସନ୍ତ କୋକିଳ”ର ଅଧିକାଂଶ କବିତା ଏହି ନବବିବାହିତ କଲେଜ ଜୀବନରେ ରଚିତ ହୋଇଥିଲା । କଲେଜ ଅଧ୍ୟୟନକାଳରେ ତାଙ୍କ ପାଠ ସମୟରେ ଅଧିକ ଭାଗ ଇଂରାଜୀ ସାହିତ୍ୟ, ପ୍ରାଚୀନ, ତଥା ଆଧୁନିକ ଓଡ଼ିଆ ସାହିତ୍ୟ ଏବଂ ସମସାମୟିକ ବଙ୍ଗସାହିତ୍ୟ ପ୍ରଭୃତି ଚର୍ଚ୍ଚାରେ ବ୍ୟୟିତ ହେଉଥିଲା । ଏହାଛଡ଼ା କଲେଜ ଜୀବନ ପ୍ରାରମ୍ଭରେ ହିଁ ସେ ରୀତିମତ କବିତା ରଚନା ଆରମ୍ଭ କରିଦେଇଥିଲେ । ସେ କବି ଭାବରେ ସୁପରିଚିତ; ମାତ୍ର ସେ ଯେ ସମସାୟିକ ଶିକ୍ଷିତମଣ୍ଡଳୀରେ ଜଣେ ଉଚ୍ଚକୋଟୀର ବ୍ୟୁତ୍ପନ୍ନ ପଣ୍ଡିତ ଥିଲେ ତାହା ଯେଉଁମାନେ ତାଙ୍କର ଘନିଷ୍ଠ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଉତ୍ତମରୂପେ ଜାଣନ୍ତି । ତାଙ୍କ ସହିତ କୌଣସି ବିଷୟ ଆଲୋଚନା କଲାବେଳେ କିମ୍ବା ତାଙ୍କର ଦୈନନ୍ଦିନ କାର୍ଯ୍ୟାବଳୀରେ ଏହାର ସୂଚନା ମିଳିଥାଏ । କଲେଜରେ ଉପେନ୍ଦ୍ରନାଥ ମୈତ୍ର, ଏନ୍. ଏ. ହଲ୍‍ଓ୍ୟାଡ଼୍ ପ୍ରଭୃତି ପ୍ରବୀଣ ଅଧ୍ୟାପକମାନଙ୍କ ସଂସ୍ପର୍ଶରେ ଆସି ସେ ସ୍ୱୀୟ ଜ୍ଞାନର ପରିସର ବୃଦ୍ଧି କରିଥିଲେ ।

 

ସେ କଲେଜରେ ତୃତୀୟ ବାର୍ଷିକ ଶ୍ରେଣୀରେ ପଢ଼ିବାବେଳେ ତାଳଚେର ପଦକ ପ୍ରଦାନ ପାଇଁ ପ୍ରବନ୍ଧ ପତିଯୋଗିତା ହୋଇଥିଲା । ପ୍ରବନ୍ଧର ବିଷୟବସ୍ତୁ ଥିଲା ‘ଉତ୍କଳର ପଲ୍ଲୀଜୀବନ’ । ପରୀକ୍ଷକ ଥିଲେ କଲେଜର ଅଧ୍ୟଷ, ବିଭାଗୀୟ କମିଶନର ଏବଂ ଟ୍ରେନିଂ ସ୍କୁଲର ହେଡ୍‌ମାଷ୍ଟର କବି ମଧୁସୂନ୍ଦନ ରାଓ । ପ୍ରବନ୍ଧଟି ଇଂରାଜୀରେ ଲେଖାଯାଇଥିଲା । କବିଙ୍କ ପ୍ରବନ୍ଧଟି ଶ୍ରେଷ୍ଠ ବିବେଚିତ ହେବାରୁ ତାଙ୍କୁ ତାଳଚେର ସ୍ୱର୍ଣ୍ଣପଦକ ପ୍ରଦତ୍ତ ହୋଇଥିଲା । ମଧୁସୂଦନଙ୍କ ଠାରୁ ଉଚ୍ଚ ପ୍ରଶଂସା ଏବଂ ପ୍ରେରଣା ଲାଭକରି ଉକ୍ତ ଇଂରାଜୀ ପ୍ରବନ୍ଧଟିକୁ ସେ ଓଡ଼ିଆରେ “ପଲ୍ଲୀଚିତ୍ର” ପ୍ରଥମ ଭାଗ ନାମ ଦେଇ କବିତାରେ ରୂପାନ୍ତରିତ କରିଥିଲେ । ଏହି କବିତା ପୁସ୍ତକ ତାଙ୍କୁ ପଲ୍ଲୀକବି ଆଖ୍ୟାରେ ବିଖ୍ୟାତ କରିଥିଲା । ଏତେବେଳକୁ ସେ ଉତ୍କଳ−ସାହିତ୍ୟ ପତ୍ରିକାରେ କବିତା ଓ ପ୍ରବନ୍ଧମାନ ଲେଖି ଉତ୍କଳରେ ଜଣେ ପ୍ରସିଦ୍ଧ ଲେଖକରୂପେ ଗଣ୍ୟ ହୋଇସାରିଥିଲେ ।

 

ନନ୍ଦକିଶୋର କଲେଜରେ ଅଧ୍ୟୟନ କରୁଥିବା ସମୟରେ ଉତ୍କଳ−ସାହିତ୍ୟର ଉନ୍ନତି ପାଇଁ ଏକ ସାହିତ୍ୟ ସସଦ ଗଠିତ ହୋଇଥିଲା । ଉତ୍କଳ ଇତିହାସର ଲେଖକ ଅଭିରାମ ଭଞ୍ଜ, ସୀତାବିବାହ ନାଟକର ପ୍ରଣେତା କାମପାଳ ମିଶ୍ର, ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ରପ୍ରହରାଜ, ରାମକୃଷ୍ଣ ବୋଷ, ବିନୋଦବିହାରୀ ଦାସ, ରାମକୃଷ୍ଣ ନାୟକ ପ୍ରଭୃତି ଏହି ସଂସଦର କର୍ମୀ ଥିଲେ । ସନ୍ଧ୍ୟାସମୟରେ ସେମାନେ ଏକତ୍ର ହୋଇ ସ୍ୱରଚିତ ଗଳ୍ପ, କବିତା, ପ୍ରବନ୍ଧ ପ୍ରଭୃତିର ପାଠ ଓ ସମାଲୋଚନା କରୁଥିଲେ । ନନ୍ଦକିଶୋର ସେଥିରେ ଯୋଗଦେଇ ନିଜର ସାହିତ୍ୟିକ ସାଧନାକୁ ଅଧିକ ବିକଶିତ କରୁଥିଲେ । ପରବର୍ତ୍ତୀ କାଳରେ “କଟକ ଆଲୋଚନା ସଭା” ନାମରେ ଏକ ସାହିତ୍ୟିକ ଅନୁଷ୍ଠାନ ମଧ୍ୟ ଗଠିତ ହୋଇଥିଲା । ଏହାର ବୈଠକ ସାଧାରଣତଃ କବି ମଧୁସୂଦନଙ୍କ ବାସଭବନରେ ଓ ପ୍ରିଣ୍ଟିଂକମ୍ପାନୀ କୋଠାରେ ବସୁଥିଲା । ଏହି ଆଲୋଚନା ସଭାରେ ନନ୍ଦକିଶୋର ପ୍ରଧାନ ସମାଲୋଚକର ସ୍ଥାନ ଗ୍ରହଣ କରୁଥିଲେ । ସଭାରେ ସଧୁସୂଦନ ଓ ରାଧାନାଥ ମଧ୍ୟ ଅନେକ ସମୟରେ ଉପସ୍ଥିତ ରହୁଥିଲେ । ସେଠାରେ ନନ୍ଦକିଶୋର, ରାଧାନାଥ ଓ ମଧୁସୂଦନଙ୍କ କାବ୍ୟ କବିତାର ଯେଉଁ ସମାଲୋଚନା କରୁଥିଲେ ତାହା ଗ୍ରନ୍ଥାବଳୀରେ ନିବଦ୍ଧ କରାଯାଇଛି । ସେସବୁ ଦେଖିଲେ ନନ୍ଦକିଶୋରଙ୍କ ସାହିତ୍ୟର ମାନ ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା ଜାତ ହୁଏ । ଯେତେବେଳେ ଉତ୍କଳ ରାଧାନାଥଙ୍କର କେବଳ ଯଶୋଗାନରେ ବିଭୋର ସେତେବେଳେ ତରୁଣକବି ନନ୍ଦକିଶୋର ତାଙ୍କର ଦୁର୍ବଳ ଚରିତ୍ର ସୃଷ୍ଟି ସମ୍ବନ୍ଧରେ ଯେଉଁ ବାଣୀ ଉଚ୍ଚାରଣ କରିଥିଲେ ତାହା ଏକ ଦୁର୍ଲ୍ଲଭ ଦୁଷ୍ଟାନ୍ତ ।

 

କଲେଜ ଶିକ୍ଷା ଶେଷ ନ ହେଉଣୁ ପିତାଙ୍କର ପରଲୋକ ହେବାରୁ ନନ୍ଦକିଶୋରଙ୍କ କବି−କଳ୍ପନା ଉପରେ ପାରିବାରିକ ଦାୟିତ୍ୱ ବହନର ଚିନ୍ତା ଚାପ ପକାଇବାକୁ ଲାଗିଲା । ତେଣୁ ସେ ୧୮୯୯ ମସିହାରେ ବି. ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସଙ୍ଗେ ସଙ୍ଗେ କର୍ମକ୍ଷେତ୍ରରେ ପ୍ରବେଶ କଲେ । କବି ମଧୁସୂଦନଙ୍କ ପ୍ରତିଷ୍ଠିତ କଟକ ଟାଉନ ସ୍କୁଲରେ ସେ ଶିକ୍ଷକ କାର୍ଯ୍ୟ ଗ୍ରହଣ କଲେ । ଏହି ସମୟରେ ଟାଉନ୍ ସ୍କୁଲ୍ ଇଂରାଜୀ ସ୍କୁଲରେ ପରିଣତ ହୋଇଥିଲା ଓ ତାହାର ନାମ ଟାଉନ ଭିକ୍ଟୋରିଆ ହାଇସ୍କୁଲ ରଖାଯାଇଥିଲା । ବିଦ୍ୟାଗୁରୁ ମଧୁସୂଦନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନନ୍ଦକିଶୋର ନାମମାତ୍ର ବେତନରେ ଶିକ୍ଷକତା କରୁଥିଲେ । ସେ ଛାତ୍ରମାନଙ୍କୁ ଉତ୍ତମରୂପେ ଶିକ୍ଷା ଦେଉଥିଲେ । ଏବଂ ଶିଷାଦାନକୁ ଅର୍ଥାଗମର ଉପାୟ ସ୍ୱରୂପ ମନେ ନ କରି ଦେଶସେବାର ଅଙ୍ଗରୂପେ ଗ୍ରହଣ କରିଥିଲେ । ସେଥିପାଇଁ ସେ ଛାତ୍ର, ସହକର୍ମୀ ଓ ଜନସାଧାରଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ଶିକ୍ଷକତା ସଙ୍ଗେ ସଙ୍ଗେ ସେ ବାଣୀ ଆରାଧନାରେ ମଧ୍ୟ ନିଯୁକ୍ତ ରହିଥିଲେ । ଏହି ସମୟରେ ତାଙ୍କର ପଲ୍ଲୀଚିତ୍ର, ନିର୍ଝରିଣୀ, ଚାରୁଚିତ୍ର, ନିର୍ମାଲ୍ୟ, କୃଷ୍ଣକୁମାରୀ, ସୀତାବନବାସ ଏବଂ ଜନ୍ମଭୂମି କବିତାଗ୍ରନ୍ଥ ରଚିତ ଓ ପ୍ରକାଶିତ ହୋଇଥିଲା ।

 

୧୯୦୦ ମସିହାରେ କବିଙ୍କର “ଓଡ଼ିଆ ଲଳନା” ବ୍ୟଙ୍ଗ କବିତା ଉତ୍କଳ−ସାହିତ୍ୟ ପତ୍ରିକାରେ ‘ଶ୍ରୀ’ ନାମରେ ପ୍ରକାଶିତ ହୋଇଥିଲା । ଏ ଘେନି ଶିକ୍ଷିତ ଓଡ଼ିଆମାନଙ୍କ ମହଲରେ ଚାଞ୍ଚଲ୍ୟ ଖେଳିଯାଇଥିଲା । କବି ରାଧାନାଥ ମଧ୍ୟ ଏଥିରେ ବିଚଳିତ ହୋଇ ଉତ୍କଳ ସାହିତ୍ୟ ସମ୍ପାଦକ ଶ୍ରୀ ବିଶ୍ୱନାଥ କରଙ୍କୁ ହୁଗୁଳିଠାରୁ ଲେଖିଥିଲେ “ଏପରି କବିତା ପ୍ରକାଶ କରିବାଦ୍ୱାରା ବିଜ୍ଞତାର ପରିଚୟ ଦେଇନାହାନ୍ତି ।” ଶ୍ରୀ ବ୍ରଜସୁନ୍ଦର ଦାସ, ଶ୍ରୀ ଗୋପବନ୍ଧୁ ଦାସ ଓ ଶ୍ରୀ ହରେକୃଷ୍ଣ ନାୟକ “କର୍ତ୍ତବ୍ୟବୋଧିନୀ” ସଭା ପକ୍ଷରୁ ଓଡ଼ିଆ ନାରୀର ବେଶଭୂଷାର ନିନ୍ଦା କରାଯାଇଥିବାରୁ ପ୍ରତିବାଦ କରି ସାହିତ୍ୟ ସମ୍ପାଦକଙ୍କୁ ଜଣାଇଥିଲେ । କଟକର ଶିକ୍ଷିତ ଓଡ଼ିଆମାନେ ମନେ କରିଥିଲେ କେହି ବଙ୍ଗାଳି ଓଡ଼ିଆଙ୍କୁ ବିଦ୍ରୂପ କରି ଏପରି ଲେଖିଅଛି । ଶ୍ରୀ ଗୋକୁଳାନନ୍ଦ ଚୌଧୁରୀ, ଶ୍ରୀ ମଦନମୋହନ ଦାସ ଓକିଲମାନେ ମାନହାନି ମକଦ୍ଦମା ଦାଏର କରିବା ଉଦ୍ଦେଶ୍ୟରେ ଉତ୍କଳସାହିତ୍ୟ ସମ୍ପାଦକଙ୍କଠାରୁ ଲେଖକଙ୍କ ନାମ ଜାଣିବାକୁ ଦାବୀ କରିଥିଲେ । ସମ୍ପାଦକ ସମ୍ପାଦକୀୟ ଶିଷ୍ଟତା ରକ୍ଷାକରି ଲେଖକଙ୍କ ନାମ ଜଣାଇଲେ ନାହିଁ । ତେଣୁ ସମ୍ପାଦକଙ୍କ ନାମରେ ମାନହାନି ମୋକଦ୍ଦମା କରିବାକୁ ସ୍ଥିର କଲେ । ପରେ ଜଣାପଡ଼ିଲା ଯେ, ଏ କବିତା ଲେଖକ ଜଣେ ଓଡ଼ିଆ ଏବଂ କବିତାଟି ସମାଜସଂସ୍କାର ଉଦ୍ଦେଶ୍ୟରେ ଲିଖିତ, ସେତେବେଳେ ସେମାନେ ସେ କାର୍ଯ୍ୟରୁ ବିରତ ହେଲେ । ଏହିଠାରୁ ନନ୍ଦକିଶୋରଙ୍କ ପ୍ରତି ଶିକ୍ଷିତ ସମାଜର ଦୃଷ୍ଟି ବିଶେଷ ଭାବରେ ପତିତ ହେଲା ।

 

୧୯୦୨ ମସିହାରେ ନନ୍ଦକିଶୋର ଭିକ୍‍‌ଟୋରିଆ ସ୍କୁଲରେ ଥାନ୍ତି । ସେତେବେଳେ ରାଧାନାଥଙ୍କ ଘରେ ସୁଢ଼ଳ ଦେବ ଅବସ୍ଥାନ କରୁଥିଲେ । ସେହିଠାରେ ତାଙ୍କର ସୁଢ଼ଳ ଦେବଙ୍କ ସଙ୍ଗରେ ସାକ୍ଷାତ ହୋଇଥିଲା । ସେହି ପ୍ରଥମ ସାକ୍ଷାତରେହିଁ ଉଭୟ ଉଭୟଙ୍କ ପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ । କବିଙ୍କ ଲିଖିତ ବାମଣ୍ଡା ରାଜପ୍ରଶସ୍ତି କବିତାଟି ନନ୍ଦକିଶୋରଙ୍କର ଗୁଣଗ୍ରାହିତାର ନିଦର୍ଶନ ।

 

ସୁଢ଼ଳ ଦେବଙ୍କର ବାମଣ୍ଡାରେ ଗୋଟିଏ ରାଜସଭା ଥିଲା । ତାହା ପ୍ରାଚୀନକାଳର ବିକ୍ରମାଦିତ୍ୟଙ୍କ ରାଜସଭା ଅନୁକରଣରେ ଗଠିତ ହୋଇଥିଲା ଏବଂ ସେଥିରେ ପ୍ରାଚୀନ ଓ ଆଧୁନିକ ଉତ୍କଳ−ସାହିତ୍ୟର ଆଲୋଚନା ହେଉଥିଲା । ଅବଶ୍ୟ ସେତେବେଳେ ଓଡ଼ିଆ କବିଙ୍କ ସଂଖ୍ୟା ମୁଷ୍ଟିମେୟ ଥିଲା । କୌଣସି ଗ୍ରନ୍ଥ କେହି ଲେଖକ ଉପହାର ଦେଲେ ତାହା ସଭାରେ ଆଲୋଚନା ହେଉଥିଲା । ଥରେ ନନ୍ଦକିଶୋରଙ୍କର ‘କୃଷ୍ଣକୁମାରୀ’ କାବ୍ୟ ଉକ୍ତ ସଭାରେ ଆଲୋଚନା ହେଉଥିଲା । କାବ୍ୟର ପ୍ରଥମ ପଦ ହେଉଛି− “ଅଛି ଆର୍ଯ୍ୟାବର୍ତ୍ତେ ରାଜସ୍ଥାନ ନାମେ ଗିରିଟଙ୍କ ମରୁମୟ ଭୂଖଣ୍ଡ” କିନ୍ତୁ ତା’ର କେତେ ପଦ ପରେ ଅଛି– “ସୁଜଳା ସୁଫଳା କରି ଯେଉଁ ଭୂମି” ‘ଚିତ୍ତକୀୟା’ “ନଦୀ ନିରତେ” ବହେ” ପରି ବର୍ଣ୍ଣନା ଅସଙ୍ଗତ ବୋଲି ମତ ପ୍ରକାଶ କରାଯାଇ ରାଜସଭା ପକ୍ଷରୁ ନନ୍ଦକିଶୋରଙ୍କ ନିକଟକୁ ପତ୍ର ପଠାଗଲା । ପତ୍ରର ଉତ୍ତରରେ ନନ୍ଦକିଶୋର ଅନ୍ୟାନ୍ୟ କଥା ମଧ୍ୟରେ ଲେଖିଥିଲେ– “ଗଡ଼ଜାତ ଅରଣ୍ୟମୟ ପାର୍ବତ୍ୟ ଅଞ୍ଚଳ ହେଲେ କଣ ବୁଝିବାକୁ ହେବ ଯେ ଗଡ଼ଜାତରେ ସୁଢ଼ଳ ଦେବଙ୍କ ପରି ଜ୍ଞାନୀ ରାଜା ନାହାନ୍ତି, ରାଜସଭା ନାହିଁ ଏବଂ ରାଜସଭାରେ ଶାସ୍ତ୍ର ଆଲୋଚନା ହୁଏ ନାହିଁ ?” ଏତିକିରୁ ବୁଝିବାକୁ ହେବ ନନ୍ଦକିଶୋର କେଡ଼େ ସୂକ୍ଷ୍ଜଭାବରେ କଥାର ବିଚାର କରି ଯଥୋଚିତ ଉତ୍ତର ଦେଉଥିଲେ ।

 

ସେ ଭିକ୍ଟୋରିଆ ସ୍କୁଲରେ ତିନି ବର୍ଷ ଶିକ୍ଷକତା କରିବା ପରେ ୧୯୦୩ ମସିହାରେ କଟକ ଜିଲ୍ଲାବୋର୍ଡ ଅଧୀନରେ ସ୍କୁଲ ସବ୍‌ଇନ୍‌ସ୍ପେକ୍ଟର କାର୍ଯ୍ୟରେ ଯୋଗଦେଲେ । ପରିଦର୍ଶକ କର୍ମଚାରିରୂପେ ଏହି କାର୍ଯ୍ୟରେ ରହିବା ତାଙ୍କ ସ୍ୱାସ୍ଥ୍ୟର ଅନୁକୂଳ ହେଲା ନାହିଁ । ଚାରି ବର୍ଷ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କାର୍ଯ୍ୟରେ ଜିଲ୍ଲାର ନାନାସ୍ଥାନ ପରିଭ୍ରମଣ, ଖାଦ୍ୟପେୟର ଅନିୟମତା ପ୍ରଭୃତି କାରଣରୁ ସେ ହତୋତ୍ସାହ ହୋଇପଡ଼ିଲେ । ସାହିତ୍ୟସାଧନା ମଧ୍ୟ ବାଧାପ୍ରାପ୍ତ ହେବାକୁ ଲାଗିଲା । ସେତେବେଳେ କବି ମଧୁସୂଦନ ଓଡ଼ିଶା ଶିକ୍ଷାବିଭାଗର ଇନ୍‌ସ୍ପେକ୍ଟର ଥିଲେ । ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆବେଦନ କରିବା ଫଳରେ ମଧୁସୂଦନଙ୍କ ସୁପାରିଶକ୍ରମେ ସେ ୧୯୦୭ ମସିହାରେ କଟକ ଟ୍ରେନିଂ ସ୍କୁଲରେ ସହକାରୀ ଶିକ୍ଷକରୂପେ ନିଯୁକ୍ତ ହେଲେ । ଶ୍ରୀ ଚନ୍ଦ୍ରମୋହନ ମହାରଣା ସେତେବେଳେ ଟ୍ରେନିଂ ସ୍କୁଲର ପ୍ରଧାନ ଶିକ୍ଷକ । ସେ ଜଣେ ଉଚ୍ଚଧରଣର ସାହିତ୍ୟସେବୀ ଓ ଶିକ୍ଷକ ଥିବାରୁ ନନ୍ଦକିଶୋର ଏହି କାର୍ଯ୍ୟରେ ନିଜକୁ ଉତ୍ସାହିତ ମନେ କରିଥିଲେ-। ଟ୍ରେନିଂ ସ୍କୁଲରେ କାର୍ଯ୍ୟ କରୁଥିବାବେଳେ ୧୯୧୦ ମସିହାରେ ସେ କଲିକତା ଡେଭିଡ୍ ହେୟାର ଟ୍ରେନିଂ କଲେଜକୁ ବି. ଟି. ପଢ଼ିବା ନିମନ୍ତେ ପ୍ରେରିତ ହେଲେ । ସେଠାରେ ଅଧ୍ୟୟନ କରୁଥିବାବେଳେ ସେ କେତେକ ଉତ୍କୃଷ୍ଟ କବିତା ରଚନା କରିଥିଲେ । ‘ସନ୍ଧ୍ୟାତାରା’ କବିତା ତାହା ମଧ୍ୟରୁ ଅନ୍ୟତମ । ପ୍ରାୟ ଏକ ବର୍ଷ ଅଧ୍ୟୟନ ପରେ ସେ ବି. ଟି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଟ୍ରେନିଂ ସ୍କୁଲରେ ଆସି ପୁଣି ଯୋଗ ଦେଲେ ।

 

ଏହାପରେ ୧୯୧୧ ମସିହାରେ ନନ୍ଦକିଶୋର ସମ୍ବଲପୁର ଜିଲ୍ଲାସ୍କୁଲର ପ୍ରଧାନ ଶିକ୍ଷକପଦରେ ନିଯୁକ୍ତ ହୋଇ କଟକରୁ ସ୍ଥାନାନ୍ତରିତ ହେଲେ । ସମ୍ବଲପୁର ଅବସ୍ଥାନକାଳରେ ତତ୍କାଳୀନ “ସମ୍ବଲପୁର ହିତୈଷିଣୀ” ପତ୍ରିକାରେ ତାଙ୍କର ବହୁ ରଚନା ପ୍ରକାଶ ପାଇଥିଲା । ବ୍ୟାସକବି, ରାଧାନାଥ ପ୍ରଭୃତିଙ୍କ ରଚନା ମଧ୍ୟ ସେତେବେଳେ ହିତୈଷିଣୀ ପତ୍ରିକାରେ ପ୍ରକାଶିତ ହେଉଥିଲା । ବାମଣ୍ଡାର ତତ୍କାଳୀନ ରାଜା ସାର୍ ବାସୁଦେବ ସୁଢ଼ଳ ଦେବଙ୍କ ପୃଷ୍ଠପୋଷକତାରେ ଏହି ପତ୍ରିକା ପ୍ରକାଶ ପାଇ ଉତ୍କଳରେ ବିଶେଷ ଆଦରଲାଭ କରିଥିଲା । ଏହିଠାରେ କବି ଗଙ୍ଗାଧର ମେହେରଙ୍କ ସହ ନନ୍ଦକିଶୋରଙ୍କ ପରିଚୟ ଘଟିଥିଲା । ଗଙ୍ଗାଧରଙ୍କ କାବ୍ୟସମଷ୍ଟିକୁ ନନ୍ଦକିଶୋର ବିଶେଷ ଆଦର କରୁଥିଲେ ।

 

ଗଙ୍ଗାଧର ସେତେବେଳେ ‘ଇନ୍ଦୁମତୀ’, ‘କୀଚକବଧ’, ‘ଅହଲ୍ୟାସ୍ତବ’ ଲେଖିସାରି ଏକପ୍ରକାର ଲେଖା ବନ୍ଦ କରିଦେଇଥିଲେ । ନନ୍ଦକିଶୋରଙ୍କ ପ୍ରେରଣାରେ ସେ ପୁନଶ୍ଚ ଲେଖନୀ ଧାରଣ କଲେ । ନନ୍ଦକିଶୋରଙ୍କ ଏହି ଅବସ୍ଥାନକାଳରେ ମେହେରଙ୍କ ସର୍ବଶ୍ରେଷ୍ଠ କାବ୍ୟ “ତପସ୍ୱିନୀ” ଲେଖା ହୋଇଥିଲା । ସେ ‘ପ୍ରଣୟବଲ୍ଲରୀ’ର ପ୍ରଥମ ସର୍ଗଟି ମାତ୍ର ଲେଖି ବନ୍ଦ କରିଦେଇଥିଲେ । ନନ୍ଦକିଶୋରଙ୍କ ବାରମ୍ବାର ପ୍ରବର୍ତ୍ତନାରେ ହିଁ ‘ପ୍ରଣୟବଲ୍ଲରୀ’ ସମ୍ପୂର୍ଣ୍ଣ କରି ପ୍ରକାଶ କଲେ । ସେହି ସମୟରେ ପୂର୍ବ ଲିଖିତ ମେହେରଙ୍କର ଖଣ୍ଡକବିତାସବୁ “କବିତାକଲ୍ଲୋଳ” ଆକାରରେ ପ୍ରକାଶିତ ହୋଇଥିଲା । ନନ୍ଦକିଶୋର ଉକ୍ତ ପୁସ୍ତକର ଭୂମିକା ଲେଖି ଦେଇଥିଲେ ଓ ସେଠାର ବିଶିଷ୍ଟ ବ୍ୟବହାରଜୀବୀ ଓ ତାଙ୍କର ବନ୍ଧୁ ଶ୍ରୀ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ପ୍ରବର୍ତ୍ତାଇ ଏ ପୁସ୍ତକ ପ୍ରକାଶ କରାଇଥିଲେ ।

 

ନନ୍ଦକିଶୋର ଏହିଠାରେ ଥିଲାବେଳେ ବିଖ୍ୟାତ ବଙ୍ଗୀୟ ନାରୀକବି କାମିନୀ ରାୟ (ପରେ ସେନ୍)ଙ୍କ ଘନିଷ୍ଠ ସମ୍ପର୍କରେ ଆସିଥିଲେ । କାମିନୀ ସେନ୍ ବର୍ତ୍ତମାନ ନିର୍ବାଚନ କମିଶନର ସୁକୁମାର ସେନ୍‍ଙ୍କ ମାତା । କବି ସେହିଠାରେ ମଧ୍ୟ ବଙ୍ଗର ଭାଷାତତ୍ତ୍ୱବିତ୍ ସ୍ୱର୍ଗୀୟ ବିଜୟଚନ୍ଦ୍ର ମଜୁମଦାର ଓ ସାହିତ୍ୟରସିକ ସୋନପୁରର ମହାରାଜା ସ୍ୱର୍ଗୀୟବୀରମିତ୍ରୋଦୟ ସିଂହଦେବଙ୍କ ସମ୍ପର୍କରେ ଆସିଥିଲେ । ବୀରମିତ୍ରୋଦୟ କବିଙ୍କ ବ୍ୟବହାର ଓ ସୁନାମରେ ମୁଗ୍‍ଧ ହୋଇ ବିଜୟଚନ୍ଦ୍ରଙ୍କ ମାର୍ଫତରେ ନନ୍ଦକିଶୋରଙ୍କୁ ତିନି ଶତ ଟଙ୍କା ବେତନରେ ତାଙ୍କ ନିଜ ଷ୍ଟେଟ୍‌ର ଦେଓ୍ୟାନ କରିନେବାର ସୂଚନା ଦେଇଥିଲେ । କିନ୍ତୁ ନନ୍ଦକିଶୋର ସେତେବେଳେ ମାତ୍ର ମାସିକ ପଞ୍ଚସ୍ତରୀ ଟଙ୍କା ବେତନ ପାଉଥିଲେ ମଧ୍ୟ ଏଥିରେ ସେ ଅସମ୍ମତି ପ୍ରକାଶ କରିଥିଲେ । ଏହିଠାରେ ଅବସ୍ଥାନ ମଧ୍ୟରେ ତାଙ୍କର “ସମ୍ବଲପୁର”, “ସ୍ୱର୍ଗତ ରାମଚନ୍ଦ୍ର ଭଞ୍ଜ”, “ସୃର୍ଯ୍ୟମୁଖୀ ଫୁଲ”, “ବାଟୋଇ”, “ବର୍ଷା”, ପ୍ରଭୃତି କବିତାଗୁଡ଼ିକ ଲିଖିତ ହୋଇଥିଲା ।

 

ସମ୍ବଲପୁରରେ ଏକ ବର୍ଷ ନ ପୁରୁଣୁ ସେ ସେଠାରୁ ପୁଣି କଟକ ଟ୍ରେନିଂ ସ୍କୁଲକୁ ପରିବର୍ତ୍ତିତ ହେଲେ । ଟ୍ରେନିଂ ସ୍କୁଲରେ ମାତ୍ର ଦୁଇ ମାସ ରହିବା ପରେ ୧୯୧୨ ମସିହାରେ ସେ ବାଲେଶ୍ୱର ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକରୂପେ ସ୍ଥାନାନ୍ତରିତ ହେଲେ । ଏକ ବର୍ଷ ସେହି କାର୍ଯ୍ୟରେ ରହିବା ପରେ ବାଲେଶ୍ୱର ଜିଲ୍ଲା ସ୍କୁଲସମୂହର ଡେପୁଟି ଇନ୍‌ସ୍ପେକ୍ଟର କାର୍ଯ୍ୟରେ ନିଯୁକ୍ତ ହେଲେ । ଏହି କାର୍ଯ୍ୟରେ ୧୯୧୫ ମସିହା ଫେବୃୟାରୀ ପର୍ଯ୍ୟନ୍ତ ରହିଲେ । ବାଲେଶ୍ୱର ଅବସ୍ଥାନ କାଳରେ ବ୍ୟାସକବି ଫକୀରମୋହନଙ୍କ ସହ ତାଙ୍କର ଘନିଷ୍ଠ ଆତ୍ମୀୟତା ଜନ୍ମିଥିଲା । ଫକୀରମୋହନଙ୍କ ଗୃହରେ ପ୍ରତ୍ୟହ ସନ୍ଧ୍ୟାକାଳରେ ଉଭୟେ ବସି ଓଡ଼ିଆ ସାହିତ୍ୟ ସମ୍ପର୍କରେ ନାନା ଆଲୋଚନା କରୁଥିଲେ । ବିପତ୍ନୀକ ଫକୀରମୋହନ ସେତେବେଳେ ତାଙ୍କର ପ୍ରଶସ୍ତ ବାସଭବନରେ ଏକାକୀ ବାସ କରୁଥିଲେ । ବ୍ୟାସକବିଙ୍କର ପୁତ୍ର ଅଧ୍ୟାପକ ମୋହିନୀମୋହନ ନନ୍ଦକିଶୋରଙ୍କ ସମସାମୟିକ ଓ ଅନ୍ତରଙ୍ଗ ବନ୍ଧୁଥିଲେ । ତେଣୁ ଫକୀରମୋହନ କବିଙ୍କୁ ପୁତ୍ରବତ୍ ସ୍ନେହ କରୁଥିଲେ । ସେ ମହା ଆଦରରେ କବିଙ୍କୁ ନେଇ ତାଙ୍କର ବାସଭବନର ଏକାଂଶରେ ରଖାଇଥିଲେ । ବେନି କବିଙ୍କର ଏହି ମିଳନଦ୍ୱାରା ଉତ୍କଳ ସାରସ୍ୱତ ଭଣ୍ଡାରର ସମୃଦ୍ଧିଲାଭ ହୋଇଅଛି କହିଲେ ଅତ୍ୟୁକ୍ତି ହେବନାହିଁ । ଫକୀର ମୋହନ ତାଙ୍କ ଆତ୍ମଜୀବନୀରେ ଏହି ସାନ୍ଧ୍ୟମିଳନର କିଞ୍ଚିତ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ନନ୍ଦକିଶୋର ତାଙ୍କର ଜଣେ ବନ୍ଧୁଙ୍କର ମାମୁଁ ତାଙ୍କ ଭଣଜା ପ୍ରତି ଯେଉଁ ଅତ୍ୟାଚାର କରିଥିଲେ ସେହି କାହାଣୀଟି ବ୍ୟାସକବିଙ୍କ ଆଗରେ ଥରେ ବର୍ଣ୍ଣନା କରିଥିଲେ । ବର୍ଣ୍ଣନାଟି ଶୁଣି ବ୍ୟାସକବି ଏପରି ମର୍ମାହତ ହୋଇଗଲେ ଯେ ସେହି କଥାକୁ ଅବଲମ୍ବନକରି ତାଙ୍କର ପ୍ରସିଦ୍ଧ ‘ମାମୁ’ ଉପନ୍ୟାସ ରଚନା ଆରମ୍ଭ କଲେ (୧୯୧୪) । ପରନ୍ତୁ ଅପର ପକ୍ଷରେ କବି ନନ୍ଦକିଶୋର ଚାନ୍ଦବାଲି ଅଞ୍ଚଳ ଗସ୍ତରୁ ଫେରି ଗସ୍ତ ବେଳେ ମଫସଲରେ ଲେଖିଥିବା ଆଖଣ୍ଡଳମଣି ଦର୍ଶନ ଗଳ୍ପ ବ୍ୟାସକବିଙ୍କୁ ଶୁଣାଇଥିଲେ । ବ୍ୟାସକବି ଉକ୍ତ ଗଳ୍ପକୁ ସେପରି ଭାବରେ ପ୍ରକାଶ ନକରି ତାକୁ ପରିବର୍ଦ୍ଧିତ କରି ଗୋଟିଏ ଉପନ୍ୟାସ ଆକାରରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଲେ । ତାହାହିଁ କବିଙ୍କ ପ୍ରସିଦ୍ଧ “କନକଲତା” ଉପନ୍ୟାସ । ତାହା ୧୯୧୪ ମସିହାରେ ପ୍ରଥମେ ଲିଖିତ ହୋଇଥିଲା ।

 

କବିଙ୍କ ଲିଖିତ ‘ଲକ୍ଷ୍ମୀ’ ଗଳ୍ପଟି ଗୋଟିଏ ବାସ୍ତବ ଘଟଣା ଅବଲମ୍ବନରେ ଲିଖିତ । ଗସ୍ତରେ ଥିଲାବେଳେ କବି ଏହିପ୍ରକାର ଘଟଣା ଶୁଣି ଆସି ବ୍ୟାସକବିଙ୍କ ଆଗରେ ପ୍ରକାଶ କରିଥିଲେ । ଏହିକଥା ଶୁଣି ବ୍ୟାସକବି “ମାଧ ମାହାନ୍ତିଙ୍କ କନ୍ୟାସୁନା” ଗଳ୍ପ ଲେଖିଲେ ଏବଂ କବି “ଲକ୍ଷ୍ମୀ” ଗଳ୍ପ ଲେଖିଲେ । ବହୁ ପୂର୍ବରୁ ଅପୂର୍ଣ୍ଣ ରଖିଥିବା “ଅପୂର୍ବ ମିଳନ” ଗଳ୍ପଟିକୁ ଫକୀରମୋହନ ନନ୍ଦକିଶୋରଙ୍କ ପ୍ରରୋଚନରେ ସମ୍ପୂର୍ଣ୍ଣ କରି ‘ଲଛମା’ ଉପନ୍ୟାସ ନାମରେ ପ୍ରକାଶ କଲେ ।

 

୧୯୧୫ ମସିହାରେ କବି କଟକ ଆସିଥିଲେ । ଡେପୁଟି ଇନ୍‌ସ୍ପେକ୍ଟର ଭାବରେ ଚାରି ମାସ ରହିବା ପରେ ଓଡ଼ିଶା ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ଇନ୍‌ସ୍‌ସ୍ପେକ୍ଟର ପଦକୁ ଉନ୍ନୀତ ହେଲେ । କଟକରେ ତାଙ୍କର ଅଫିସ ଅବସ୍ଥିତ ଥିବାରୁ ସେ ପ୍ରାୟ ପାଞ୍ଚ ବର୍ଷକାଳ ଏକାଦିକ୍ରମେ କଟକରେ ଅବସ୍ଥାନ କରିଥିଲେ ।

 

ପରିଦର୍ଶକ କର୍ମଚାରୀ ଭାବରେ ଶିକ୍ଷକମାନଙ୍କ କାର୍ଯ୍ୟ ପରିଦର୍ଶନ କରିବା ତାଙ୍କର ପ୍ରଧାନ କାର୍ଯ୍ୟ ଥିଲା । ଅସାଧାରଣ ପାଣ୍ଡିତ୍ୟ ଓ ଜ୍ଞାନର ଅଧିକାରୀ ଥିବାରୁ ସେ ବିଦ୍ୟାଳୟ ପରିଦର୍ଶନ ସମୟରେ ଶିକ୍ଷକମାନଙ୍କୁ ଆଦର୍ଶ ଶିକ୍ଷାପଦ୍ଧତି ବିଷୟରେ ଉପଦେଶ ଦେଉଥିଲେ । ଏ କାର୍ଯ୍ୟ ପାଇଁ ବିଭାଗର ଉଚ୍ଚ କର୍ତ୍ତା ତଥା ଅଧସ୍ତନ ଶିକ୍ଷକମାନେ ସମସ୍ତେ ତାଙ୍କର ପ୍ରଶଂସା କରୁଥିଲେ ।

 

ନନ୍ଦକିଶୋରଙ୍କ ରଚିତ ‘ନାନାବାୟା ଗୀତ’ ଏହି କଟକ ଅବସ୍ଥାନ ସମୟରେ ଲିଖିତ । ଦିନେ ଏହି ସନ୍ଦର୍ଭର ଲେଖକଙ୍କ ସହିତ ଆଲୋଚନା ହେଲାବେଳେ ଶିଶୁଙ୍କ ମନୋରଞ୍ଜନ ନିମିତ୍ତ ଖଣ୍ଡିଏ ଶିଶୁସଙ୍ଗୀତ ରଚନାର ସଂକଳ୍ପ କଲେ । କିନ୍ତୁ ତାଙ୍କର ଅଧ୍ୟବସାୟ ଏତେ ଦୃଢ଼ ଯେ, ସେ ସେହିକ୍ଷଣି କାଗଜ କଲମ ଧରି ଲେଖିବାକୁ ବସିଗଲେ । ଗାଧୁଆ ନାହିଁ, ଖାଇବା ନାହିଁ, ପିଇବା ନାହିଁ ଦିନ ୧୦ଟାରୁ ୩ଟା ଯାଏ ବସି ସେ ଚାରି ପାଞ୍ଚଘଣ୍ଟା ଭିତରେ ନାନାବାୟା ଗୀତ ପୁସ୍ତକଟି ଶେଷକଲେ । ମାତ୍ର ୪।୫ ଘଣ୍ଟା ଭିତରେ ଏହା ଲେଖା ହୋଇଥିଲେ ସୁଦ୍ଧା ଅନେକଗୁଡ଼ିଏ କବିତା ଅତି ଉଚ୍ଚକୋଟୀର ଏବଂ ତନ୍ମଧ୍ୟରୁ କେତେକ କଲିକତା ବିଶ୍ୱବିଦ୍ୟାଳୟର ପ୍ରକାଶିତ ପାଠ୍ୟପୁସ୍ତକ (୰ବିଜୟଚନ୍ଦ୍ର ମଜୁମଦାରଙ୍କ ସମ୍ପାଦିତ) ଓଡ଼ିଆ “ସାହିତ୍ୟସଂଗ୍ରହ”ରେ ବିଶିଷ୍ଟ ସ୍ଥାନ ପାଇଅଛି । ଆଉମଧ୍ୟ ଭୂମିକାରେ ସେ କବିଙ୍କୁ ଉଚ୍ଚ ପ୍ରଶଂସା କରି ଲେଖିଅଛନ୍ତି ।

 

ଏହି ସମୟରେ ସାହିତ୍ୟିକଭାବରେ ପ୍ରଥମେ ଉତ୍କଳମଣି ଗୋପବନ୍ଧୁଙ୍କ ସହିତ ତାଙ୍କର ପରିଚୟ ଓ ବନ୍ଧୁତା ହୋଇଥିଲା । ନନ୍ଦକିଶୋର ସେତେବେଳେ ଓଡ଼ିଶା ଶିକ୍ଷାବିଭାଗର ଆସିଣ୍ଟାଣ୍ଟ୍ ଇନ୍‌ସ୍ପେକ୍ଟର ଥିବାବେଳେ ଗୋପବନ୍ଧୁ ବିହାର ଓଡ଼ିଶା କାଉନ୍‌ସିଲର ଜଣେ ନବୀନ ଉତ୍ସାହିତ ଓ ବିଶିଷ୍ଟ ସଭ୍ୟ ଥିଲେ । ଶିକ୍ଷାବିଷୟକ ପରାମର୍ଶ ଗ୍ରହଣ ଓ ଆଲୋଚନା ସମ୍ପର୍କରେ ସେ ଅନେକ ସମୟରେ ନନ୍ଦକିଶୋରଙ୍କ ଡଗରପଡ଼ା ବାସଭବନକୁ ଆସୁଥିଲେ ।

 

ସେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ଚାଲିଥାଏ । ଶିକ୍ଷାବିଭାଗର ତତ୍କାଳୀନ ଇନ୍‌ସ୍ପେକ୍ଟର ଡବ୍‍ଲିଉ. ଭି. ଡିଉକ୍ ଯୁଦ୍ଧରେ ଯୋଗ ଦେବାକୁ ଚାଲିଯିବାରୁ ନନ୍ଦକିଶୋର ଅସ୍ଥାୟୀରୂପେ ତାଙ୍କ ସ୍ଥାନରେ ନିଯୁକ୍ତ ହେଲେ । ଓଡ଼ିଶାର ସକଳ ଶ୍ରେଣୀର ବିଦ୍ୟାଳୟ ପରିଦର୍ଶନ ଭାର ତାଙ୍କ ଉପରେ ନ୍ୟସ୍ତ ଥିଲେ । ସେ ସମୟରେ ଡବ୍‍ଲିଉ. ଡବ୍‍ଲିଉ. ହେଣ୍ଡରସନ୍ ରେଭେନ୍‌ସା କଲେଜିଏଟ୍ ସ୍କୁଲର ହେଡ଼ମାଷ୍ଟର ଥିଲେ । ସେ ଜଣେ ୟୁରୋପୀୟ ଏବଂ ଗ୍ଲାସ୍‌ଗୋ ବିଦ୍ୟାଳୟରୁ ଏମ୍. ଏ. ଡିଗ୍ରୀ ଲାଭ କରିଥିଲେ । ନନ୍ଦକିଶୋର ଇନ୍‌ସ୍ପେକ୍ଟରପଦରେ ନିଯୁକ୍ତ ହେବାଦ୍ୱାରା ତାଙ୍କଠାରୁ ଉଚ୍ଚ ପଦରେ ଅବସ୍ଥାପିତ ହେଲେ । ତେଣୁ ସେ ନନ୍ଦକିଶୋରଙ୍କ ଇନ୍‌ସ୍ପେକ୍ଟର ପଦରେ ନିଯୁକ୍ତି ବିରୁଦ୍ଧରେ ବିହାର ଓଡ଼ିଶା ସରକାରଙ୍କଠାରେ ଆପତ୍ତି କଲେ । ଫଳରେ ନନ୍ଦକିଶୋରଙ୍କୁ ତାଙ୍କ ପୂର୍ବ କାର୍ଯ୍ୟକୁ ଫେରିବାକୁ ପଡ଼ିଲା ।

 

ତତ୍‍ପରେ ଆସିଷ୍ଟାଣ୍ଟ୍ ଇନ୍‌ସ୍ପେକ୍ଟର ପଦ ଉଠିଯିବାରୁ ନନ୍ଦକିଶୋର ୧୯୨୦ ମସିହାରେ ପୁରୀ ଜିଲ୍ଲା ସ୍କୁଲସମୂହର ଇନ୍‌ସ୍ପେକ୍ଟର ପଦରେ ପୁରୀରେ ଅବସ୍ଥାପିତ ହେଲେ । ପୁରୀରେ ଅବସ୍ଥାନକାଳରେ ସେ ପୁଣି ଉତ୍କଳମଣି ଗୋପବନ୍ଧୁଙ୍କ ନିକଟସମ୍ପର୍କରେ ଆସିଥିଲେ । କବି ନନ୍ଦକିଶୋର ଗୋପବନ୍ଧୁଙ୍କର ତତ୍କାଳୀନ ରଚନାଗୁଡ଼ିକ ଅତି ଆଗ୍ରହସହକାରେ ପାଠ କରୁଥିଲେ । ନନ୍ଦକିଶୋର ଆଜୀବନ ଜଣେ ସ୍ୱାଧୀନଚେତା ରାଜକର୍ମଚାରୀ ଥିଲେ ଏବଂ ସେଥିଯୋଗୁ ନିଷ୍ଠାପର ଦେଶକର୍ମୀ ଗୋପବନ୍ଧୁ ଓ ତାଙ୍କ ମଧ୍ୟରେ ପ୍ରଗାଢ଼ ବନ୍ଧୁତା ଜାତ ହୋଇଥିଲା । ସେତେବେଳେ ଗୋପବନ୍ଧୁ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନ କରି ଶିକ୍ଷାଦାନ ସମ୍ବନ୍ଧରେ ଏକ ବିରାଟ ପରୀକ୍ଷା ଚଳାଉଥାନ୍ତି । ସ୍କୁଲମାନଙ୍କରୁ କେବଳ ସରକାରୀ ଚାକିରିଆ ନ ବାହାରି କିପରି ଉପଯୁକ୍ତ ଦେଶସେବକ ବାହାରିବେ, ଏହା ତାଙ୍କ ଲକ୍ଷ୍ୟଥିଲା । ତେଣୁ ଶିକ୍ଷାର ବିଷୟ, ପ୍ରକୃତି ଓ ପ୍ରଣାଳୀ ପ୍ରଭୃତି ବିଷୟରେ ଏବଂ ଓଡ଼ିଶାର ସୀମା ସମାସ୍ୟା ତଥା ଦେଶମିଶ୍ରଣ ଘେନି ଉଭୟଙ୍କ ଭିତରେ ଅନେକ ସମୟରେ ଆଲୋଚନା ହେଉଥିଲା । ଏ ପ୍ରସଙ୍ଗରେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ନନ୍ଦକିଶୋର ପୂର୍ବ ଜୀବନରେ ଉତ୍କଳ ସମ୍ମିଳନୀର ଜଣେ ବିଶିଷ୍ଟ ଉତ୍ସାହୀ ସଭ୍ୟ ଥିଲେ । ୧୯୦୩ ମସିହା ଅପ୍ରେଲ ମାସରେ ଖଲିକୋଟର ପୁଣ୍ୟଶ୍ଳୋକ ରାଜା ସ୍ୱର୍ଗାୟ ହରିହର ମର୍ଘରାଜଦେବ ଏବଂ ପ୍ରସିଦ୍ଧ ସମ୍ପାଦକ ୰ନୀଳମଣି ବିଦ୍ୟାରତ୍ନଙ୍କ ଯତ୍ନରେ ଯେତେବେଳେ ସର୍ବପ୍ରଥମେ ଗଞ୍ଜାମ ସମ୍ମିଳନୀ ଅନୁଷ୍ଠିତ ହେଲା (ଯାହା ଉତ୍କଳ ସମ୍ମିଳନୀର ଜନ୍ମଦାତ୍ରୀ) ସେଠାକୁ ଅନ୍ୟାନ୍ୟମାନଙ୍କ ମଧ୍ୟରେ ନନ୍ଦକିଶୋର, ଶଶିଭୂଷଣ ରାୟ ଏବଂ ଗୋପବନ୍ଧୁ ଦାସ (ଛାତ୍ର) ଯୋଗ ଦେଇଥିଲେ । ନନ୍ଦକିଶୋର ବ୍ରହ୍ମପୁରଠାରେ ଅନୁରୁଦ୍ଧ ହୋଇ ସମ୍ମିଳନୀ ସକାଶେ ଗୋଟିଏ ଗୀତ ରଚନା କଲେ ଏବଂ ତାହା କଟକର ସଙ୍ଗୀତବିଶାରଦ ୰ଖାନ ମହମ୍ମଦଙ୍କଦ୍ୱାରା ହାରମୋନିୟମ ସଂଯୋଗରେ ଗାନ ହୋଇଥିଲା । ତାହାର ପ୍ରଥମ ପଙ୍‌କ୍ତି “ଉଠ ଗୋ ଦୁଃଖିନୀ ଉତ୍କଳ ଜନନୀ ପାହିଛି ବିଷାଦ ଯାମିନୀ ତବ ।” ସେତେବେଳକୁ କଟକ ଟାଉନ୍ ସ୍କୁଲଟି କଟକ ଟାଉନ ଭିକ୍ଟୋରିୟା ହାଇସ୍କୁଲରେ ପରିଣତ ହୋଇଗଲାଣି ଏବଂ ସେ କହିଁର ଦ୍ୱିତୀୟ ଶିକ୍ଷକ । ଏହି ସଂପର୍କରେ ଉତ୍କଳ ଗୌରବ ମଧୁସୂଦନଙ୍କ ସହିତ ଘନିଷ୍ଠ ଭାବରେ ପରିଚିତ ହୋଇ ଆଜୀବନ ତାଙ୍କର ସ୍ନେହ ଓ ସହାନୁଭୂତି ଲାଭକରିଥିଲେ । ସେହି ସମୟରେ ନନ୍ଦକିଶୋର ଜାତୀୟ ଭାବରେ ଉଦ୍‌ବୁଦ୍ଧ ହୋଇ ଅନେକଗୁଡ଼ିଏ ଜାତୀୟ ସଙ୍ଗୀତ ରଚନା କରିଥିଲେ । ସେଗୁଡ଼ିକ ତାଙ୍କର “ଜନ୍ମଭୂମି” ୨ୟ ଭାଗରେ ସନ୍ନିବେଶିତ କରାଯାଇଛି । ଜନ୍ମଭୂମି ପ୍ରଥମ ଭାଗରେ ସପ୍ତମ ଏଡ଼ଓ୍ୟାର୍ଡ଼ଙ୍କୁ ଦୁଃଖିନୀ ଉତ୍କଳମାତାର ଗୁହାରୀ ଶିରୋନାମାରେ ଲିଖିତ ଲେଖାଗୁଡ଼ିକ ଉତ୍କଳର ଜାତୀୟସଂପଦରୂପେ ଚିରଦିନ ସ୍ୱର୍ଣ୍ଣାକ୍ଷରରେ ବିରାଜିତ ହୋଇ ରହିଥିବ । ଗାନ୍ଧିଜୀ ତାଙ୍କର ବିଶ୍ୱବିଶ୍ରୁତ ସତ୍ୟାଗ୍ରହ ମଧ୍ୟରେ ଲବଣ ଆଇନ ଭଙ୍ଗକୁ ପ୍ରଥମସ୍ଥାନ ଦେଇଥିଲେ । କବି ତାହାର ୩୦ ବର୍ଷ ପୂର୍ବରୁ ଉକ୍ତ ଲେଖାରେ ଅତି ମର୍ମସ୍ପଶୀ ଭାଷାରେ ଲବଣ ଆଇନଦ୍ୱାରା ଦୁଃଖିନୀ ଉତ୍କଳ ସନ୍ତାନର ଦୁରବସ୍ଥା ଓ ତାହାର ପ୍ରତିକାର ବିଷୟରେ ଅତି ସ୍ପଷ୍ଟଭାବରେ ସୂଚନା ଦେଇଥିଲେ । ଜଣେ ସରକାରୀ ଚାକିରିଆ ଭାବରେ ଏପରି ଲେଖା ଅତୁଳନୀୟ । ଆଜି ଯୋଜନା କମିଶନଙ୍କର ଯୋଜନାରେ ମରୁଡ଼ି ଓ ଧୋଇର ପ୍ରତିକାର ବିଷୟରେ ଯେଉଁ ସ୍ଥାନ ଅଛି, ତାହା କବି ଅତି ଦୂରଦୃଷ୍ଟିସହକାରେ ଏହି ଲେଖାରେ ସେସବୁ ଉଲ୍ଲେଖ କରିଯାଇଛନ୍ତି । ତାଙ୍କର ଦୂରଦୃଷ୍ଟିର ଜ୍ୱଳନ୍ତ ଦୃଷ୍ଟାନ୍ତ ଭାରତର ଭବିଷ୍ୟତ୍ ଭାଷା ଶୀର୍ଷକ ଲେଖାରେ ମଧ୍ୟ ଦେଇଛନ୍ତି । ଏହା ୧୯୦୦ ମସିହାରେ ଲିଖିତ ।

ଉତ୍କଳ ସମ୍ମିଳନୀ ଗ୍ରୁପ ଫଟୋ ଦ୍ରଷ୍ଟବ୍ୟ ।

 

ଗଣକବି ବୈଷ୍ଣବ ପାଣିଙ୍କ ସହିତ କବି ଘନିଷ୍ଠ ସଂପର୍କରେ ଆସିଥିଲେ । ତାଙ୍କର ମାର୍ଜିତ ଗୀତିନାଟ୍ୟକୁ କବି ଖୁବ୍ ଉଚ୍ଛସ୍ଥାନ ଦେଉଥିଲେ । ଥରେ କବିଙ୍କ ଚଉପାଢ଼ୀରେ ପାଣିଙ୍କର “ନଳଦମୟନ୍ତୀ” ଗୀତିନାଟ୍ୟ ଅଭିନୀତ ହେଉଥାଏ, ଗାଁ ଓ ଆଖପାଖର ଅନେକ ବିଶିଷ୍ଟ ଲୋକଙ୍କ ସହ ନନ୍ଦକିଶୋର ଯାତ୍ରା ଦେଖୁଥାନ୍ତି । ଦମୟନ୍ତୀ ଭୂମିକାରେ ଅଭିନୟ କରୁଥିବା ବାଳକଟି–ନଳ ଅର୍ଦ୍ଧବସ୍ତ୍ର ଛିନ୍ନ କରି ଚାଲିଯାଇଥିବା ଅବସ୍ଥାକୁ ଲକ୍ଷ୍ୟକରି ଗୋଟିଏ କରୁଣ ସଙ୍ଗୀତ ଗାନ କରୁଥିଲେ-। ଉକ୍ତ କରୁଣ ସଙ୍ଗୀତଟି ଶୁଣି ଜଣେ ବନ୍ଧୁ ମନ୍ତବ୍ୟ ପ୍ରକାଶ କଲେ–ଏହା ଆମ ଯୁବକବି ରାଧାନାଥ ଓ ମଧୁସୂଦନଙ୍କ ଲେଖାର ସମକକ୍ଷ । ନନ୍ଦକିଶୋର ହଠାତ୍ ପ୍ରକାଶ କଲେ ରାଧାନାଥ ମଧୁସୂଦନଙ୍କ କଥା କଣ କହୁଛ, ଏହା ବ୍ୟାସ ବାଲ୍ମୀକିଙ୍କ ରଚନାର ଯୋଗ୍ୟ । ଅବଶ୍ୟ ଏହାର ମୌଳିକ ଭାବ ବ୍ୟାସ ବାଲ୍ମୀକିଙ୍କ ରଚନାରୁ ଗୃହୀତ ତଥାପି ପ୍ରକାଶ ଭଙ୍ଗୀ କବିଙ୍କର ନିଜସ୍ୱ ।

 

ନନ୍ଦକିଶୋର ଯେତେବେଳେ ବିହାର−ଓଡ଼ିଶା ସରକାରଙ୍କର Confidential reporter of Oriya publications ଥିଲେ, ସେତେବେଳେ ପାଣିଙ୍କ ଗୀତିନାଟ୍ୟ ତାଙ୍କ ସମୀକ୍ଷଣ ପାଇଁ ଆସିଥିଲା । ପାଣି ଓଡ଼ିଆ ଯାତ୍ରାର ଆମୂଳ ସଂସ୍କାର ଆଣିଥିବାରୁ ତାଙ୍କୁ ‘ରାୟ ସାହେବ’ ପଦବୀ ଦେବାକୁ ସରକାରଙ୍କୁ ସୁପାରିସ୍ କରିଥିଲେ; କିନ୍ତୁ ତତ୍‌କାଳୀନ ପୁଲିସ ସାହେବ ରିପୋର୍ଟରେ (ପାଣି ରାଜଦ୍ରୋହୀ ଅର୍ଥାତ୍ ସେ ବ୍ରିଟିଶ୍ ସରକାର ବିରୁଦ୍ଧରେ ସଙ୍ଗୀତ ଲେଖିଥିବା ଯୋଗୁଁ) ବିରୋଧ କରିବାରୁ ସରକାର ନନ୍ଦକିଶୋରଙ୍କ ପ୍ରସ୍ତାବ ଗ୍ରହଣ କରି ନ ଥିଲେ ।

 

ନନ୍ଦକିଶୋର ପୁରୀ ଜିଲ୍ଲା ସ୍କୁଲସମୂହର ଇନ୍‌ସ୍ପେକ୍ଟର ଥିବା ସମୟରେ ତତ୍‌କାଳୀନ ବିହାର−ଓଡ଼ିଶା ଗଭର୍ଣ୍ଣର ସତ୍ୟେନ୍ଦ୍ରପ୍ରସନ୍ନ ସିଂହ (ଲର୍ଡ଼ ସିହ୍ନା) ୧୯୨୨ ମସିହା ଅପ୍ରେଲ ମାସରେ ଓଡ଼ିଶା ଗସ୍ତରେ ଆସି ପୁରୀରେ ରହିଥିଲେ । ସେତେବେଳେ ସେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ଦୈନିକ ଚାରି ପାଞ୍ଚ ଜଣଙ୍କ ସହ ସାକ୍ଷାତ୍ କରୁଥାନ୍ତି ଏବଂ ସେଥିପାଇଁ ମୋଟେ ଦଶ ମିନିଟ ସମୟ ଧାର୍ଯ୍ୟ ଥାଏ । ଦିନେ କେତେ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ତତ୍କାଳୀନ ଜଗନ୍ନାଥ ମନ୍ଦିର ମ୍ୟାନେଜର ଅବସରପ୍ରାପ୍ତ ଡେପୁଟି ମାଜିଷ୍ଟ୍ରେଟ୍ ବାଳମୁକୁନ୍ଦ କାନୁନ୍‌ଗୋ ଓ ନନ୍ଦକିଶୋରଙ୍କୁ ଲର୍ଡ଼ ସିହ୍ନା ସାକ୍ଷାତ ପାଇଁ ଡାକିଥିଲେ । ନନ୍ଦକିଶୋରଙ୍କୁ ପ୍ରଥମେ ଡାକରା ହେଲା । ତାଙ୍କ ସହ ଓଡ଼ିଶାରେ ନୂତନ ଶିକ୍ଷା ପ୍ରବର୍ତ୍ତନଦ୍ୱାରା ସାଧାରଣଙ୍କର ସେଥିପତି ମମତା ଓ ପ୍ରତିକାର ଇତ୍ୟାଦି ବିଷୟରେ ଆଲୋଚନା ହେଉ ହେଉ ଦଶ ମିନିଟ୍ ସ୍ଥାନରେ ପଚାଶ ମିନିଟ ଅତିବାହିତ ହେଲା । ଆଲୋଚନାରେ ନନ୍ଦକିଶୋର ଗଭର୍ଣ୍ଣରଙ୍କୁ ଜଣାଇଲେ ଯେ, ଓଡ଼ିଶାର ପ୍ରାଚୀନ ଶିକ୍ଷାଦାନ ପଦ୍ଧତିକୁ ପୂରାପୂରି ଉଠାଇ ଦେଇ ନୂତନ ଧାରାପ୍ରବର୍ତ୍ତନଦ୍ୱାରା ଲୋକମାନେ ତାହାକୁ ଆଦର କରିପାରୁନାହାନ୍ତି । ପୂରାତନ କବିମାନଙ୍କର ଲେଖା ନୂତନ ଶିକ୍ଷାରେ ସଂଯୋଗ କରି ଶିକ୍ଷାଦାନ ବ୍ୟବସ୍ଥା କରାଗଲେ ଏବଂ ତତ୍‌ସହ ଶିଶୁଶିକ୍ଷା ପାଇଁ କିଣ୍ଡରଗାର୍ଟନ ପଦ୍ଧତି ଯୋଗ କରାଗଲେ ତାହା ଲୋକଙ୍କ ଆଗ୍ରହ ଓ ସମର୍ଥନ ଲାଭ କରିବ । ନନ୍ଦକିଶୋରଙ୍କ ଏହି ପରାମର୍ଶକୁ ଲର୍ଡ଼ସିହ୍ନା ଗ୍ରହଣ କରି ଶିକ୍ଷା ବିଭାଗକୁ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ସମୟରୁ ପ୍ରାଚୀନ କବିଙ୍କର ଲେଖା ଓ ଜୀବନୀ ଇତ୍ୟାଦି ଓଡ଼ିଶାର ଶିକ୍ଷାଦାନପଦ୍ଧତିରେ ସ୍ଥାନଲାଭ କରିଛି ।

 

ପୁରୀ ଜିଲ୍ଲାର ସ୍କୁଲ ଇନ୍‌ସ୍ପେକ୍ଟର ଥିବାବେଳେ ନନ୍ଦକିଶୋରଙ୍କୁ ୧୯୨୪ ମସିହାରେ ଇଂରେଜ ସରକାର ତାଙ୍କର କର୍ମକୁଶଳତା ଯୋଗୁଁ ରାୟସାହେବ ଉପାଧି ଦେଇଥିଲେ । ତାଙ୍କ ପୂର୍ବରୁ ରାଧାନାଥ ଓ ମଧୁସୂଦନ ଉଚ୍ଚ ଉପାଧି ପାଇଥିଲେ । ଏ ଉପାଧିମାନ କବିଙ୍କ ସାହିତ୍ୟସେବା କିମ୍ବା କବିତ୍ୱର ପୁରସ୍କାରରୂପେ ପ୍ରଦତ୍ତ କଥା ଘୋଷିତ ହୋଇ ନ ଥିଲା ।

 

ପୁରୀରେ ଅବସ୍ଥାନ ସମୟରେ କବି ଥରେ ଛୁଟିରେ ନିଜ ଗ୍ରାମ କୁସୁପୁରରେ ଥାନ୍ତି । ଏହି ସମୟରେ ନାରୀକବି କୁନ୍ତଳାକୁମାରୀ କବିଙ୍କ ଗୃହରେ ଏକ ମାସ କାଳ ଅତିଥି ହୋଇଥିଲେ । କୁନ୍ତଳାକୁମାରୀ କବି ପଲ୍ଲୀର ନିସର୍ଗଶୋଭା ଓ କବିପ୍ରତିଭାର ଯଶୋଗାନ କରି ସେହି ସମୟରେ ସ୍ୱରଚିତ କବିତା ନନ୍ଦକିଶୋରଙ୍କୁ ଉପହାର ଦେଇଥିଲେ । ଉଭୟଙ୍କ ଭିତରେ ପିତା ଓ କନ୍ୟାର ସ୍ନେହପୂର୍ଣ୍ଣ ଘନିଷ୍ଠ ସଂପର୍କ ସ୍ଥାପିତ ହୋଇଥିଲା ସେହି କବିତାଟି ନାରୀକବି ତାଙ୍କର ଅର୍ଚ୍ଚନା ପୁସ୍ତକରେ ଲିପିବଦ୍ଧ କରିଛନ୍ତି । କବି ମଧ୍ୟ ତାଙ୍କୁ ନିଜର ଏକ କବିତା ଉପହାର ଦେଇଥିଲେ । ତାହା ଜନ୍ମଭୂମିର ତୃତୀୟ ଭାଗରେ ଦ୍ରଷ୍ଟବ୍ୟ ।

 

ପୁରୀରେ ପ୍ରାୟ ୬ ବର୍ଷ ରହିବାପରେ ସେ ବାଲେଶ୍ୱର ଜିଲ୍ଲାସ୍କୁଲର ପ୍ରଧାନଶିକ୍ଷକରୂପେ ସ୍ଥାନାନ୍ତରିତ ହେଲେ । ସେତେବେଳକୁ ସେ ବହୁମୂତ୍ର ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କର ଦୃଷ୍ଟିଶକ୍ତି ମଧ୍ୟ କ୍ରମଶଃ ହ୍ରାସ ପାଉଥିଲା । ବାଲେଶ୍ୱରର ଜଳବାୟୁ ଏ ଅବସ୍ଥାରେ ତାଙ୍କପ୍ରତି ଆହୁରି ପ୍ରତିକୂଳ ହେଲା । ତେଣୁ ସେଠାରେ ବର୍ଷେ ମାତ୍ର ଅତିବାହିତ ନହେଉଣୁ ସେ ଦୀର୍ଘଛୁଟି ନେବାକୁ ବାଧ୍ୟ ହେଲେ । ୧୯୨୭ ମସିହାରେ ସ୍ୱାସ୍ଥ୍ୟହାନିବଶତଃ ସେ ସରକାରୀ କର୍ମରୁ ଅବସର ଗ୍ରହଣ କଲେ ।

 

ଅବସର ଗ୍ରହଣ ପରେ ନନ୍ଦକିଶୋର ସ୍ୱଗ୍ରାମରେ ଆସି ଅବସ୍ଥାନ କଲେ । ଗ୍ରାମରେ ରହି କ୍ରମେ ସ୍ୱାସ୍ଥ୍ୟଲାଭ କରିବେ ବୋଲି ସେ ଯେଉଁ ଆକାଙ୍‌କ୍ଷା ପୋଷଣ କରିଥିଲେ ତାହା ଫଳବତୀ ହେଲା ନାହିଁ । ସୁତରାଂ ତାଙ୍କର ଅଭିଳାଷ ଅନୁଯାୟୀ ଶେଷ ଜୀବନରେ ବାଣୀ ଆରାଧନା ମଧ୍ୟ ବିଶେଷ ଭାବରେ ସମ୍ଭବ ହୋଇ ନ ଥିଲା । ଏହି ସମୟରେ ତାଙ୍କର ଦୃଷ୍ଟିଶକ୍ତି ଅଧିକ ହ୍ରାସ ପାଇବାକୁ ଲାଗିଲା । ଫଳରେ ସ୍ୱହସ୍ତରେ ଲେଖି କବିତା ରଚନା କରିବା ପ୍ରାୟ ତାଙ୍କ ପକ୍ଷରେ ସମ୍ଭବ ହେଉ ନ ଥିଲା । କିନ୍ତୁ ଅନେକ ସମୟରେ ତାଙ୍କ ଲେଖନୀ ତଳରେ ଖାତା ରଖି ଦିଆଯାଉଥିଲେ ସେ ନିର୍ଭୁଲ ଭାବରେ କବିତା ପଙ୍‌କ୍ତିମାନ ଲେଖି ଦେଉଥିଲେ । ଏହି ଅବସ୍ଥାରେ କବି କନକଲତା ଉପନ୍ୟାସର ଶେଷ ଭାଗ ଲେଖିଥିଲେ ବୋଲି କୌଣସି ପୁସ୍ତକରେ ଉଲ୍ଲେଖ ହୋଇଛି । କିନ୍ତୁ ତାହା ଠିକ୍ ନୁହେଁ । ସ୍ୱଗ୍ରାମ ଅବସ୍ଥାନର ବହୁପୂର୍ବରୁ କେବଳ ଲେଖା ନୁହେଁ, କନକଲତାର ପ୍ରକାଶ ମଧ୍ୟ ହୋଇଯାଇଥିଲା । ଦୃଷ୍ଟିଶକ୍ତିହ୍ରାସ ଅବସ୍ଥାରେ କବିଙ୍କର ମଧ୍ୟମା କନ୍ୟା ଶ୍ରୀମତୀ ସରସ୍ୱତୀ ଅଧିକାଂଶ ଶ୍ରୁତଲିଖନ ଗ୍ରହଣ କରୁଥିଲେ । ଏହି ଶ୍ରୁତଲିଖନଦ୍ୱାରା ପ୍ରଭାତ−ସଙ୍ଗୀତ ଓ ସନ୍ଧ୍ୟା−ସଙ୍ଗୀତ ପୁସ୍ତକର କେତେକ କବିତା ରଚିତ ହୋଇଥିଲା । କବି ଏକ ଧ୍ୟାନରେ ବସି ପଙ୍‌କ୍ତି ପରେ ପଙ୍‌କ୍ତି ଡାକି ଯାଉଥନ୍ତି ଏବଂ ଶ୍ରୀମତୀ ସରସ୍ୱତୀ ସେଗୁଡ଼ିକୁ ଲିପିବଦ୍ଧ କରୁଥାନ୍ତି ।

 

ନନ୍ଦକିଶୋର କ୍ରମେ ଅଧିକ ଅସୁସ୍ଥ ହେବାରୁ ପରିବାର ଓ ବନ୍ଧୁମାନେ ତାଙ୍କୁ ଚିକିତ୍ସାପାଇଁ କଟକ ଘେନିଆସିଲେ । ଘରୁ ସବାରିକୁ ଉଠିଲାବେଳେ ସେ ବନ୍ଧୁମାନଙ୍କୁ ଚାହିଁ ସାଶ୍ରୂନୟନରେ କହି ଉଠିଲେ ‘Let me die peacefully at my native village,” ତାଙ୍କର ସେ ଆକୁଳ ଅନୁରୋଧ ରକ୍ଷିତ ନ ହୋଇ ତାଙ୍କୁ କଟକ ନିଆଗଲା । କିନ୍ତୁ ବହୁ ଚିକିତ୍ସା ସତ୍ତ୍ୱେ ସ୍ୱାସ୍ଥ୍ୟଲାଭର କୌଣସି ଲକ୍ଷଣ ଦେଖାଗଲା ନାହିଁ । ବରଂ ଅଧିକ ଅବନତି ଓ ରୋଗ ବୃଦ୍ଧି ହେବାକୁ ଲାଗିଲା । ବହୁମୂତ୍ର ରୋଗଜନିତ ନାନା ଉପସର୍ଗ ତାଙ୍କୁ ଶଯ୍ୟାଶାୟୀ କରିଦେଲା । ଏହା ଯେ ମୃତ୍ୟୁପଥର ଯାତ୍ରା କବି ତାହା ନିଶ୍ଚିତରୂପେ ଜାଣିଥିଲେ ।

 

ଏହିପରି ରୋଗବୃଦ୍ଧି ଭିତରେ ୧୯୨୮ ମସିହା ଜୁଲାଇ ମାସ ପହିଲା ତାରିଖ ରାତି ଚାରି ଘଣ୍ଟା ସମୟରେ ଓଡ଼ିଆ ଲଘୁକବିତାର ଯୁଗସ୍ରଷ୍ଟା ନନ୍ଦକିଶୋର ପଲ୍ଲୀର ଶାନ୍ତିପୂର୍ଣ୍ଣ ପଲ୍ଲବମୟ ଅଙ୍କ ଏବଂ ନଗରର ସମସ୍ତ ଆଡ଼ମ୍ବରର ମାୟା ତ୍ୟାଗକରି ମାତ୍ର ୫୨ ବର୍ଷ ବୟସରେ ପରଲୋକ ଯାତ୍ରା କଲେ । ଓଡ଼ିଶାର ବହୁ ମନୀଷୀ ଓ କବିମାନଙ୍କର ସମାଧିଭୂମି ସତୀଚଉରାଠାରେ କବିଙ୍କର ଶେଷକୃତ୍ୟ ସମାପ୍ତ କରାଗଲା । କଟକର ବହୁ ବିଶିଷ୍ଟ ଲୋକ ଓ ଛାତ୍ରମାନେ ତାଙ୍କର ଶୋଭାଯାତ୍ରାରେ ଯୋଗଦେଇ ବରେଣ୍ୟ କବିଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ମୃତ୍ୟୁ ସମୟରେ କବିଙ୍କ ନିକଟରେ ତାଙ୍କର ପତ୍ନୀ ଶ୍ରୀମତୀ କୋକିଳ ଦେବୀ, ପୁତ୍ର କୃଷ୍ଣକିଶୋର, ହେମନ୍ତକିଶୋର ଓ ବସନ୍ତକିଶୋର, ମଧ୍ୟମା କନ୍ୟା ସରସ୍ୱତୀ ଏବଂ ଜାମାତା, କନିଷ୍ଠା କନ୍ୟା ଲକ୍ଷ୍ମୀ ରହିଥିଲେ । ନନ୍ଦକିଶୋରଙ୍କ ତିନି କନ୍ୟାଙ୍କ ଭିତରୁ ଜ୍ୟେଷ୍ଠା କନ୍ୟା ପାର୍ବତୀ ଓ କନିଷ୍ଠା କନ୍ୟା ଲକ୍ଷ୍ମୀ ବର୍ତ୍ତମାନ ଜୀବଦ୍ଦଶାରେ ନାହାନ୍ତି ।

 

ନନ୍ଦକିଶୋର ଗୁଣର ପୂଜାରୀ ଥିଲେ । ଗୁଣୀଲୋକମାନଙ୍କୁ ଜାତିଧର୍ମନିର୍ବିଶେଷରେ ଆଦର କରୁଥିଲେ । ଛାତ୍ର, ଲେଖକ ଓ ଯୁବକମାନଙ୍କୁ ଉଚ୍ଚ ଆଦର୍ଶ ଗ୍ରହଣ କରିବାକୁ ଉପଦେଶ ଦେଇ ଉତ୍ସାହିତ କରୁଥିଲେ । ତାଙ୍କର ଧର୍ମମତ ନୀତି ଉପରେ ପ୍ରତିଷ୍ଠିତ ଥିଲା । ସେ କୌଣସି ଲୌକିକତାର ପକ୍ଷପାତି ନ ଥିଲେ । ହିନ୍ଦୁଧର୍ମ ମଧ୍ୟରେ ପଶିଥିବା ସାମାଜିକ କୁସଂସ୍କାର ଦୂର କରିବାରେ ସେ ପ୍ରୟାସୀ ଥିଲେ । ବାଲ୍ୟବିବାହ ଓ ବାଳବୈଧବ୍ୟର ବିରୁଦ୍ଧରେ ସେ ତୀବ ସମାଲୋଚନା କରିଛନ୍ତି । “କନକଲତା” ଉପନ୍ୟାସର ‘ରାଜେନ୍ଦ୍ର’ ଚରିତ୍ରଚିତ୍ରଣ ତାଙ୍କ ନିଜ ଚରିତ୍ରର ବ୍ୟାଖ୍ୟାନ ଅଟେ । ‘ରାଜେନ୍ଦ୍ର’ ଜୀବନର ଆଦର୍ଶହିଁ ତାଙ୍କର ଆଦର୍ଶଥିଲା ।

 

ନନ୍ଦକିଶୋର ଅତି ସ୍ୱାଧୀନଚେତା ଥିଲେ । ସେ ଭାରତୀୟ ସଂସ୍କୃତିର ଉପାସକ ଥିଲେ । ବିଶ୍ୱଭାରତୀର ହିନ୍ଦୀ ଅଧ୍ୟାପକ କବିଙ୍କ ବାର୍ଷିକ ଶ୍ରାଦ୍ଧବାସରରେ କହିଛନ୍ତି, ପାଶ୍ଚାତ୍ୟ ନାଗରିକ ସଭ୍ୟତା ଆମର ଜାତୀୟ ଜୀବନକୁ ଗ୍ରାସ କରିବାକୁ ଯାଉଥିଲାବେଳେ ଆମର ଜାତୀୟ ସଂସ୍କୃତିର ଅଧିନେତାମାନେ ଆମର ଦୃଷ୍ଟି ପଲ୍ଲିଅଭିମୁଖୀ କରିବାକୁ ଉଦ୍ୟମ କରିଥିଲେ । ରବୀନ୍ଦ୍ରନାଥ, ଗାନ୍ଧିଜୀଙ୍କର ଏହାହିଁ ଥିଲା ଜୀବନର ଆଦର୍ଶ । କବି ନନ୍ଦକିଶୋର ମଧ୍ୟ ଏହି ଆଦର୍ଶକୁ ତାଙ୍କ ଲେଖାରେ ସଜୀବ ପ୍ରକାଶ କରିଦେଇଯାଇଛନ୍ତି ।

 

ଏଠାରେ ବିନୟର ସହ କହିବାକୁ ହୁଏ ଯେ, ନନ୍ଦକିଶୋରଙ୍କ ମୃତ୍ୟୁରେ ଯେ ଏକ ବିରାଟ ଜାତୀୟ କବିଙ୍କ ଅବସାନ ଘଟିଲା ତାହା ସେତେବେଳର ଓଡ଼ିଶାର ତରୁଣ କବିମାନେ ଅନୁଭବ କରିପାରି ନ ଥିଲେ । ‘ଉତ୍କଳ ସାହିତ୍ୟ’ ଓ ‘ମୁକୁର’ ମାସିକପତ୍ର ସେତେବେଳେ ମଧ୍ୟ ଜୀବିତ ଥାଏ । ତାହାର ସ୍ୱନାମଧନ୍ୟ ସଂପାଦକଦ୍ୱୟ ମଧ୍ୟ ଥାଆନ୍ତି । କିନ୍ତୁ ଏ ଘଟଣାରେ ସେମାନେ ସେପରି ସ୍ପନ୍ଦନଶୀଳ ହେବା ଦେଖାଯାଇ ନ ଥିଲା । ସତକହିବାକୁ ଗଲେ ନନ୍ଦକିଶୋରଙ୍କ ମୃତ୍ୟୁ ସମୟକୁ ଓଡ଼ିଆ ସାହିତ୍ୟରେ ଏକ ସନ୍ଧିକ୍ଷଣ ପହଞ୍ଚି ଥାଏ । “ଉତ୍କଳ ସାହିତ୍ୟ”ରେ ସେତେବେଳେ ନୂତନ କବିତା ନାମରେ ଅବୋଧ୍ୟ ସାହିତ୍ୟର ପ୍ରାଦୁର୍ଭାବ ଚାଲିଥାଏ । ଜାତୀୟ ସାହିତ୍ୟରେ କଣ ଭଲ ଓ କଣ ମନ୍ଦ ତାହା ମଧ୍ୟ ସୁଧୀ ବିଶ୍ୱନାଥ କରଙ୍କୁ ବିଚାର ସଙ୍କଟରେ ପକାଇଥିଲା ପରି ଜଣାପଡ଼େ । ସୁତରାଂ ଏହି ସମୟ ଏକ ବିରାଟ ପ୍ରଶ୍ନବାଚକର କାଳ । ଏହି ପ୍ରଶ୍ନବାଚକତା ଭିତରେ ନନ୍ଦକିଶୋର ମହାପ୍ରସ୍ଥାନ କଲେ । ସେଥିରେ ସମ୍ବୋଧନର ଅବକାଶ ହୁଏତ ସୃଷ୍ଟି ହୋଇପାରିଲା ନାହିଁ । କିନ୍ତୁ ସୁଖର କଥା ଯେ, ଓଡ଼ିଆ ସାହିତ୍ୟର ସେ ନିଶ୍ଚେଷ୍ଟ କାଳ ଏବେ ଅନ୍ତର୍ହିତ ହୋଇଛି ଏବଂ ତରୁଣ ସାହିତ୍ୟିକଗଣ ସେମାନଙ୍କର ପ୍ରାରମ୍ଭ କାଳର ଫେନୋଚ୍ଛ୍ୱାସ ପରେ ସାହିତ୍ୟର ଧୀର ନିର୍ମଳ ନୀରଧାରା ପାଖକୁ ଆଜି ଫେରିଆସି ପାରିଛନ୍ତି । ଆଜି ସେମାନେ ହୃଦୟଙ୍ଗମ କରିଛନ୍ତି ଯେ, ନନ୍ଦକିଶୋରଙ୍କ ଆହ୍ୱାନ ହିଁ ଶତାଦ୍ଦୀ ଓ ଯୁଗର ଆହ୍ୱାନ । ଏ ଆହ୍ୱାନ ନିକଟରେ ଅତିକ୍ରାନ୍ତ ହେବା ସମ୍ଭବ ନୁହେଁ । ନନ୍ଦକିଶୋରଙ୍କ ଆହ୍ୱାନ ଶେଷରେ ପଲ୍ଲୀ, ଜାତି ଓ ସମାଜର ପରିସରକୁ ମଧ୍ୟ ଅତିକ୍ରମ କରିଛି । ତାଙ୍କର ସେହି ଆହ୍ୱାନ ଶାଶ୍ୱତ ମାନବିକତାସୃଷ୍ଟିର ଆହ୍ୱାନ । ତାହାକୁ ଚିରଦିନ ସକଳ କବି ନିଜ ନିଜର କାମନା ପୂରଣର ବାଣୀରୂପେ ଗ୍ରହଣ କରି କହିବେ–

 

“ହେ ଈଶ୍ୱର, ହର ମୋର ସର୍ବ ଅଧୀନତ,

ଦିଅ ମୋତେ ଆକାଙ୍‌କ୍ଷିତ ପ୍ରାଣ−ସ୍ୱାଧୀନତା ।”

କୁସୁପୁର

 

 

 

 

ତା ୨୫ । ୪ । ୧୯୫୫

 

 

 

ଶ୍ରୀ ସୂର୍ଯ୍ୟମଣି ଜେନା

 

ଉତ୍‌ସର୍ଗ

 

ମୋର ବାଲ୍ୟଗୁରୁ, ଯୌବନସଖା, ଚିରଜୀବନ ସାହିତ୍ୟସେବୀ, ଉତ୍କଳ−ସାହିତ୍ୟ" ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ପଣ୍ଡିତ ବିଶ୍ୱନାଥ କର ମହାଶୟଙ୍କ ଶ୍ରୀକରକମଳରେ ଏହି ପୁସ୍ତିକା ଭକ୍ତିସହକାରେ ସମର୍ପିତ ହେଲା ।

 

କୁସୁପୁର

ତା ୨୦।୫।୫୬

 

ଶ୍ରୀ ନନ୍ଦକିଶୋର ବଳ

 

 

(ପ୍ରଥମ ଓ ଦ୍ୱିତୀୟ ଭାଗ)

 

DEDECATED

TO

 

Robert Mc. Combe Esqr., B. A. (T. C. D.)

Inspector of Schools, Orissa Division

As a token of the Author’s

heart−felt respect for

him for his devotion to duty,

sincere sympathy, and the unexpected

improvements he brought about in

the education of the division

during his short stay

amongst us.

 

ପ୍ରଥମ ଭାଗ

 

ବାୟାଚଡ଼େଇ

ବାୟା ଚଢ଼େଇ ରେ            ବାୟା ଚଡ଼େଇ ତୁ

କୃଷ୍ଣ ଦୁଆରକୁ ଆ—

କୃଷ୍ଣ ସଙ୍ଗତରେ            ଖେଳି ବୁଲି ସାରି

ଦୁଧ ପିଇଦେଇ ଯାଆ ।

ବାୟା ଚଡ଼େଇ ରେ            ବାୟା ଚଡ଼େଇ ତୁ

କୃଷ୍ଣ ସଙ୍ଗକରେ ଥିବୁ,

ଆଖି ବୁଜିକରି            କୃଷ୍ଣ ଶୋଇଲେ ତୁ

ବସାକୁ ଉଡ଼ିଣ ଯିବୁ ।

ତୋ ବସା ବାଇଆ            ଉଚ୍ଚ ତାଳଗଛେ

ବାଆ କଲେ ଦୋହଲଇ

ଘୋରବରଷାରେ            ତୋ ବସାଭିତରେ

ପାଣି ପଶି ନ ପାରଇ ।

ନଈ ବଢ଼ି ଘୋର            ଗରଜନ କଲେ

ତୋତେ ନ ମାଡ଼ଇ ଡର,

ଏତେ ବିପଦରୁ            ତୋତେ ଯେ ରଖନ୍ତି

ଧନ୍ୟ ଧନ୍ୟ ସେ ଈଶ୍ୱର ।

 

ବଣୀଚଢ଼େଇ

 

ବଣୀ ଚଡ଼େଇ, ବଣୀ ଚଡ଼େଇ,            ରହିବୁ ଖାସା ପିଞ୍ଜରାରେ

କେଉଁ ବଣେ ତୋର ଘର ?            କିଛି ନ ଯିବ ଜଣା ।

ଆସ ଆସ ଆମ ଘରକୁ                  ପୋକ ଜୋକ ଖୁଣ୍ଟି ଖାଉ

କରିବା ଖେଳ ଘର ।                  ବୁଲି ବିଲ ବାଡ଼ି,

ଖାଇବାକୁ ଦେବି ଦୁଧଭାତ            ରହ ରେ ଆସ ମଉଜରେ

ପିଇବୁ ନବାତ−ପଣା,                   ଆମ ପାରାଭାଡ଼ି ।

ସଞ୍ଜ ସକାଳେ ସଙ୍ଗ ହୋଇ            ଉଡ଼ିଗଲା ବଣୀ ଚଡ଼େଇ

ବୁଲିବାକୁ ଯିବା,                  କହି “ନାହିଁ ନାହିଁ,

ଏକା ସଙ୍ଗେ ଖେଳି ବୁଲି                  ଲୋଡା ନାହିଁ ଘର ଦୁଆର,

ସାଥି ହୋଇ ଥିବା ।                  ବଣ ଭଲ ଭାଇ ।”

 

ପୋଷା କୁକୁର

ଆରେ ମୋର ପୋଷା କୁକ,

ତୋତେ କି କରୁଛି ଭୋକ ?

ଦାଣ୍ଡଆଡ଼େ ଶୋଇଥାଉ,

ଭାତ ଦେଲେ ଗଣ୍ଡେ ଖାଉ ।

ରାତିଯାକ ଜଗିଥାଉ,

ଭୁକୁଥାଉ ଭୋଉ ଭୋଉ ।

ବାଘ ଗରଜଇ ବଣେ,

ଆମେ ଥାଉଁ ଘରକଣେ

ତୋତେ କି ନ ମାଡ଼େ ଡର,

ଧନ୍ୟ ଧନ୍ୟ ଛାତି ତୋର !

ଚୋର ଯେବେ ଆସେ ଘରେ,

ପଲାଏ ସେ ତୋର ଡରେ ।

ତାକୁ ଦେଖି ଭୁକୁଥାଉ,

ପଛେ କାମୁଡ଼ି ଗୋଡ଼ାଉ ।

ଡରେ ପଲାଏ ସେ ଚୋର,

ଆ ଆ ରେ କୁକୁର ମୋର ।

 

ପେଟପୂରାଇ ତୁ ଖାଆ,

ଦାଣ୍ଡରେ ଶୋଇଣ ଥାଆ ।

ମୁହିଁ ଯେ ସଞ୍ଜ ସକାଳେ

ବୁଲି ଯିବି ନଈକୂଳେ,

ମୋ ସଙ୍ଗରେ ଯିବୁ ତୁହି,

ସଙ୍ଗେ ସଙ୍ଗେ ଥିବୁ ରହି ।

 

ବିଲେଇ ନାନୀ

ବିଲେଇ ନାନୀ ଲୋ ବିଲେଇ ନାନୀ,

ମୂଷା ଧରି ଖାଉ ପତଳାକାନୀ ।

ବିଲେଇ ନାନୀ ଲୋ ବିଲେଇ ନାନୀ,

ଚୋରାଇ ଖାଉ ତୁ ସର ଲବଣୀ ।

କାଲିଆ ଗରୁଡ଼ ବିଷ ରଖିଲେ,

ଚାଟିଦେଉ କେହି ଜଗି ନ ଥିଲେ,

ଆଖି ବୁଜି ଖାଉ ଦୁଧ ଲହୁଣୀ,

ନ ଦେଖିବେ କେହି ଅଖାଇନାନୀ ।

ଏତେ ବୁଦ୍ଧି ତୋର ବିଲେଇ ନାନୀ,

ସେଥିପାଇଁ ଖାଉ ଠେଙ୍ଗା କହୁଣୀ ।

ବିଲେଇହାତରେ ପୋଡ଼ିଲା ପିଠା,

କେମନ୍ତେ ମଉଜ ଧେଇତାକଟା ।

ଦିନେବେଳେ ଆଖି ଥାଏ ତୋ ଗାର,

ଗୋଟାଳି ପରାଏ ହୁଏ ରାତିର ।

କହିଲି ଓଳିଆ କାଟେ ଚୂଟିଆ,

ଚୂଲିକନ୍ଦାରେ ତୁ ଶୋଇଛୁ କିଆଁ ?

 

ବୋବାଉଛୁ ତୁହି “ମିଆଉଁ ମିଆଉଁ;

ଦୁଧଭାତ କରି ଗୁଣ୍ଡିଏ ଦେଉଁ ।

ପେଟ ପୂରି ଯେବେ ହୋଇଛି ଥଣ୍ଡା

ମୂଷା ମାରି ଦେବି ଗଣ୍ଡାକୁ ଗଣ୍ଡା ।”

 

ମାନକଲେ ରାଣୀ ରଜାଙ୍କ ପାଇଁ,

ଗମ୍ଭୀରି ଭିତରେ ଶୁଅନ୍ତି ଯାଇଁ ।

କବାଟ କିଳିଣ ଶୁଅନ୍ତି ରାଣୀ,

ନ ପାରନ୍ତି ରଜା ସେ କଥା ଜାଣି ।

 

କହୁ ରେ ବିଲେଇ ମିଆଉଁ ମିଆଉଁ,

ଦୁଧ ଭାତ କରି ଗୁଣ୍ଡିଏ ଦେଉଁ ।

ମନ ଖୁସି କରି ପେଟେ ଖାଇବି

ଗମ୍ଭୀରିକୁ ବାଟ କଢ଼ାଇ ନେବି ।”

 

ଦୁଧ ପିଏ ନାହିଁ କହ୍ନାଇ ଯେବେ,

“ମିଆଉଁ” “ମିଆଉଁ” ବୋବାଉ ତେବେ ।

ନାହିଁ ନାହିଁ ବିଲି ଆସିବୁ ନାହିଁ,

ପିଇଦେବ ସବୁ ଦୁଧ କହ୍ନାଇ ।

 

“ବାଘ ରଜାର ତୁ ହେଉ କି ଦେଈ,

“ବାଘ ନ ଦେଖିଲେ ଦେଖ ବିଲେଇ ।”

ଛକି ଛକି କରି ବିଲେଇ ଯିବ,

ଗାତପାଖେ ମୂଷା ମାଡ଼ି ବସିବୁ ।

କଟାସିଆ ଆଖି ଲମ୍ବନିଶୁଆ,

ଛୁଆ ଖାଇଯାଏ କାମୁଡ଼ି ଭୁଆ ।

 

ଚୁଟିଆ ମୂଷା

ଚୁଟିଆ ମୂଷା ରେ ଚୁଟେଇ ମୂଷି,

ଧାନ ଅମାରକ ଖାଉଥା ବସି ।

କରୁଥା ଯାହା ତୋ ମନର ଖୁସି,

ଘର ଛାଡ଼ି ମୁହିଁ ଯାଉଛି ଋଷି ।

ଟିକି ଟିକି ଧାନ ଶଏ ଭରଣ,

ସାତଟା ଅମାର କଲୁଣି ଶୂନ୍ୟ ।

ଗଣେଶବାହନ ଅଟୁରେ ମୂଷା,

ତୋତେ ମାରିବାକୁ ନାହିଁ ଭରସା ।

ପାଠ ନ ଆସିବ ମାରିଲେ ତୋତେ

ଅବଧାନ ବେତ ମାରିବେ ମୋତେ ।

ଟୁଉକୁ ମୂଷା ରେ ଟୁକେଇ ମୂଷି ।

ଖାଇବୁ ଯେତେକ ଖାରେ ଖୁସି ।

ଦୁଧ ପିଇବାକୁ କାନ୍ଦିଲେ କୃଷ୍ଣ,

କାନ କାଟି ନେଇ ଯିବୁ କି ଦୃଷ୍ଟ ?

ଅମାରେ ଯେତେକ ଧାନ ତୁ ଖାଉ,

ଚାଉଳ ହାଣ୍ଡିରୁ ଚାଉଳ ନେଉ ।

 

ବିହନ ଓଳିଆ କାଟୁ କିପାଇଁ,

ଏତେ ଖାଇ ପେଟ ପୂରଇ ନାହିଁ ?

ରାତିରେ ବାହାରି ରୁଉଟୁ ରୁଟୁ,

କଖାରୁ ଗଛଟି ମୂଳରୁ କାଟୁ ।

 

ଝାଉଁଳି ପଡ଼ଇ ପିଢ଼ା କଖାରୁ,

କେତେ କଷିଫୁଲ ମୂଷା ରେ ମାଛ !

ଖରା ଗଡ଼ିଯାଏ ବୁଡ଼ଇ ବେଳ,

ସାହି ପିଲାମାନେ ହୋଇଣ ମେଳ,

 

ଗୀତ ଗାଇ ଗାଇ ବୁଲନ୍ତି ଗାଆଁ,

“ଜହ୍ନିଫୁଲ ଫୁଟେ ଠୋ−ଠା ।

ଚୁଟିଆ ମୂଷା କହି ଯାଇଛି

“ଚାଉଳ ମୁଠିଏ ଦେଇ ଯା ।”

 

ବେଙ୍ଗୁଲୀ ରାଣୀ

ବେଙ୍ଗୁଲୀ ବେଙ୍ଗୁଲୀ ପାଣି ଦେ,

ନଈ ସମୁଦର ଭସେଇ ଦେ ।

ଇନ୍ଦ୍ର ରାଜାଙ୍କର ବେଙ୍ଗୁଲୀ ରାଣୀ,

ବୋବେଇ ଦେଲେ ସେ ବରଷେ ପାଣି ।

ବେଙ୍ଗୁଲୀ ବସଇ ସାରୁମୂଳରେ,

ଛତ୍ରି ଧରିଅଛି ସାରୁ ପତରେ ।

ବେଙ୍ଗୁଲୀ ବୋବାଏ କେଁ କଟର,

ପାଣିରେ ଭାସଇ ଦୁଆର ଘର ।

ପାଣି ପଶିଗଲା ସାପ−ଗାତର,

ସାପମାନେ ହେଲେ ଛିନିଛତର

ଖରାଦିନେ ସାପ ବେଙ୍ଗ ଖାଇଲା,

ବରଷା ଦିନରେ ଫଳ ପାଇଲା ।

ଇନ୍ଦ୍ରଦେବତାଙ୍କ ବେଙ୍ଗୁଲୀ ରାଣୀ,

ସାପ କାମୁଡ଼ିଲା ତାଙ୍କ ଘରଣୀ ।

ଇନ୍ଦ୍ର ରଜା ପାଣି ବରଷି ଦେଲେ,

ନଈ ସମୁଦ୍ରର ଭସାଇ ଦେଲେ ।

ସାପଘରେ ପଶିଗଲା ରେ ପାଣି,

ହୁଳୁହୁଳି ଦେଲା ବେଙ୍ଗୁଲୀ ରାଣୀ ।

ପାଟି ପାକୁ ପାକୁ କରି ବେଙ୍ଗୁଲୀ

ଫକର ଫକର ଯାଉଛି ବୁଲି ।

 

ଇନ୍ଦବରଙ୍କର ହୋଇ କନିଆ,

ମହୁଛୁବ କରୁ ଧରିଣ ଜିଆ ।

ନଳାମୁହେଁ ପଶି ପିଉ ତୋରାଣି,

ଏଡ଼େ ଅସନୀ ତୁ ବେଙ୍ଗୁଲୀ ରାଣୀ ?

 

ହୋଓ ପଛେ ଇନ୍ଦ୍ରରଜାଙ୍କ ରାଣୀ,

ନ ଆସିବୁ ଆମ ଘରକୁ ପୁଣି ।

ଭାଡ଼ିତଳୁ ଶୁଣି କେଏଁ କଟର,

ରାତିରେ ମାଡ଼ଇ କୃଷ୍ଣକୁ ଡ଼ର ।

 

ଯେ ଘରେ ବେଙ୍ଗୁଲୀ ରହଇ ଯାଇଁ

ପଶେ ତହିଁ ସାପ ଅଧାର ପାଇଁ ।

ତେଣୁ ବେଙ୍ଗ ଦେଖି ମାଡ଼ଇ ଡର,

ବେଙ୍ଗ ପରା ଜନ୍ତୁ କେତେ ମାତର ।

 

ତତେ ମୁହିଁ ମାରି ପାରଇ ନାହିଁ,

“ନିଦୋଷୀ ପରାଣୀ ମାରନ୍ତି ନାହିଁ ।”

ମାରିଲେ ହୁଅନ୍ତି କାଲ ଅଟର,

ବେଙ୍ଗ ବେଙ୍ଗୁଲୀଙ୍କୁ ଦୂରୁଜୁହାର ।

 

ବିଲୁଆ ଭାଇ

ବିଲୁଆ ଭାଇରେ ବିଲୁଆ ଭାଇ,

ଏତେ ବୋବାଉ ତୁ କୋଉଥି ପାଇଁ ?

ବୋବାଇ ଉଠି ତୁ “ହୁକେ ହୋ ।”

କୁକୁର ଭୁକଇ “ଭୋଓ ଭୋଓ” ।

ଗୋଟାଏ ଡାକିଲେ ଉପାୟ ନାହିଁ,

ଡାକନ୍ତି ଯେତେ ବିଲୁଆଭାଇ ।

ନ ଡାକିଲେ ଛାତି ଫାଟେ କି ସତେ ?

ଏ କଥା ତ ମତେ ନୁହେ ପରତେ ।

‘ହୁକେ ହୋ ରେ ହୁକେ ହୋ ।’

କେତେ ବୋବାଉଛୁ ଶୋଓ ରେ ଶୋ ।

ବାଘ ଦେଖି ତୋତେ ଡର କି ମାଡେ,

ଶୀତ ଦିନେ ଅବା କୁହାଟୁ ଜାଡ଼େ ?

ବିଲୁଆ ଭାଇ ରେ ବିଲୁଆ ଭାଇ,

“ହୁକେ ହୁକେ” ଛଡ଼ା ଗୀତ କି ନାହିଁ ?

ସ୍ୱଭାବ ଏ ତୋର ବିଲୁଆ ଭାଇ,

ଆଉ କିଛି କଥା ଏଥିରେ ନାହିଁ ।

ସଞ୍ଜବେଳେ ଭାତଖିଆ ପହରେ,

ରାତି ଅଧେ, ପାହାନ୍ତିଆ ପହରେ,

ପହରକେ ତୁହି ବୋବାଉ ଥରେ,

ଚାରିଥର ଡାକୁ ଚାରି ପହରେ ।

 

ପହର ଗଣି ତୁ ଡାକୁ କେମନ୍ତେ,

ଆଚମ୍ବିତ ଲାଗେ ଏ କଥା ମତେ ।

ଦିନେ ଯେବେ ଡାକୁ ହୋଇ ଖତେଇ,

ଛ ମାସେ ଛ ପକ୍ଷେ ମରଇ କେହି ।

 

ଖରା ଥାଉଁ ପଡ଼େ ବରଷା ଯେବେ,

ତୋ ପୁଅର ବାହା ହୁଏ କି ତେବେ ?

“ଖରା କରୁଅଛି ମେଘ କରୁଛି,

“ବିଲୁଆ ପୁଅର ବାହା ହେଉଛି ।”

 

“ବିଲୁଆ ନନା ରେ ବିଲୁଆ ନନା,

“ଘର ପାଡ଼ିଗଲା ପଛକୁ ଅନା ।”

ପିଲାଏ ଗାଆନ୍ତି ବଜାଇ ତାଳି,

ରାତିରେ ବୋବେଇ ଦେଉ କି ଗାଳି ?

 

 

ପୁଅ ବାହା କଲୁ ବିଲୁଆ ଭାଇ,

ଡାଲି ଭାତ ଖିରି ପିଠା ମୋ କାହିଁ ?

ବିଲୁଆ ଭାଇରେ ବିଲୁଆ ଭାଇ,

ଆଉ ତୋ ଗୀତ ମୁଁ ଗାଇବି ନାହିଁ ।

 

ବାଘ ଗୀତ

 

ଆଇଲା ମହାବଳ ବାଘ ମାଇଲା ଛେଳି ମେଣ୍ଢା,

ରାତିଯାକ ବୋବେଇ ଉଠିଲେ ଗାଁ ମୁଣ୍ଡେ ଭେରଣ୍ଡା ।

ପବତରୁ ଗଡ଼ି ବାଘ ଷୋଳ କୋଶ ବୁଲି,

ବକଟେ ମଣିଷ ଗୋରୁ ଦେଖିଲେ ଉଠେ ଫୁଲି ।

 

ପଦାରେ ମଣିଷ ବୁଲିଥିଲେ ବାଘ ଯାଏ ଖାଇ,

ଘରେ ପଶି କାନ୍ଧରେ ପକାଇ ନିଏ ଗୋରୁ ଗାଈ ।

ଶିକାରୀମାନେ ବନ୍ଧୁକ ଟିପି ବାଘକୁ ପକାନ୍ତି ମାରି !

ବଡ଼ ହେଲେ ପେମ କେତେ ମାରିବ ମହାବଳ,

ଘିଅ, ଦୁଧ ଡାଲିଭାତ ଖାଇଲେ ହେବ ବଳ ।

 

ସକାଳ

ସକାଳ ହେଲାଣି ଉଠ ଲୋ ପାରା,

କାନ୍ଥ ବାଡ଼ ଗଛେ ପଡ଼ିଲା ଖରା ।

ଗଛ ଡାଳେ ବସି ରାବଇ କାକ,

ଉଠିଲେଣି ପିଲା ଶୁଣି ତୋ ଡାକ ।

ତା ରାବ ଶୁଣନ୍ତେ ଜଗତ ଜନ,

ଉଠି ନିଜ କାମେ ଦିଅନ୍ତି ମନ ।

ପିଲାମାନେ ଉଠି ଖେଳନ୍ତି ଦାଣ୍ଡେ,

ବଡ଼ ପିଲା ଯାନ୍ତି ଚାହାଳୀ ଚାଣ୍ଡେ ।

ନୂଆ ବୋହୂ ମାନେ ପିଣ୍ଡା ଦୁଆର,

ଖରକି ପକାନ୍ତି ପାଣି ଗୋବର ।

ବାସନ ମାଜିଣ ଚଉକା ଦେଇ,

ସାତ ପାଞ୍ଚ ମିଳି ଯାନ୍ତି ଗାଧୋଇ ।

ଚଷାମାନେ ହଳ ବଳଦ ନେଇ,

ବିଲକୁ ଯାଆନ୍ତି ହଳ ବୁଲେଇ ।

ଗଉଡ଼ ନିଅଇ ଗୋରୁ ଗୋଠକୁ,

ହାଟୁଆ ଗଣ୍ଠିରି ନିଏ ହାଟକୁ ।

 

ମୁଢ଼ି ଚୁଡ଼ା ତେଲ ଲୁଣ ପସରା

ସାହି ସାହି ଆସି ବୁଲଇ ତ୍ୱରା ।

ଦରବାରେ ଗଲେ ଦାଣ୍ଡଗାରିଆ,

ହିସାବ କରନ୍ତି ମହାଜନିଆ ।

 

ସ୍ନାଆନ ସାରିଲେ ଭକତମାନେ,

ଦେବ−ସେବା ପୂଜା କଲେ ବାହ୍ମଣେ ।

 

ବେଳବୁଡ଼

ଖରା ନଇଁଲାଣି ପଦାକୁ ଯିବା,

ପଦାରେ ସମସ୍ତେ ଖେଳି ବୁଲିବା ।

ଫୁଲ ଫୁଟିଅଛି ବାସ ଆସଇ,

ତା ବସନା ମୁହିଁ ନାକେ ସୁଙ୍ଘଇ ।

ଗଛ ଲଟା ସବୁ ଦିଶେ ସୁନ୍ଦର,

ଭଲ ଦିଶୁଅଛି ଡାଳ ପତର ।

ପକ୍ଷୀ ରାବୁଅଛି ଡାଳରେ ବସି,

ପିଲା ଖେଳୁଛନ୍ତି ଦଉଡ଼ି ହସି ।

କଳ କଳ କରି ବହୁଛି ନଈ,

କୂଳେ ଚରୁଛନ୍ତି ବାଛୁରୀ ଗାଈ ।

ମେଣ୍ଢା ଛେଳିମାନେ ଚରନ୍ତି ପାଖେ,

ଛେଳି ଛୁଆ ମୁହିଁ ଧରିବି କାଖେ ।

ଉଡ଼ି ଯାଉଛନ୍ତି ଚଡ଼େଇମାନେ,

ତାଙ୍କ ଗୀତ ମୁହିଁ ଶୁଣଇ କାନେ ।

ଆଖି ଫେରାଇଲେ ମଥା ଉପର,

ନୀଳ ଆକାଶ ଯେ ଦିଶେ ସୁନ୍ଦର ।

 

ସମସ୍ତ ଗଢ଼ିଛ ଆହେ ଈଶ୍ୱର,

ଦଣ୍ଡବତ ଘେନ ପ୍ରଭୁ ମୋହର ।

 

ମୋର ଅଧେ, ତୋର ଅଧେ

 

ଗଛଟିଏ ଦିଶେ କେଡ଼େ ସୁନ୍ଦର,

କେମନ୍ତ ସୁନ୍ଦର ଡାଳ ପତର !

ନଇଁ ପଡ଼ିଅଛି ଫୁଲରେ ଡାଳ,

ଫୁଲ ତୋଳି ଆସ ଗୁନ୍ଥିବା ମାଳ ।

 

ଗଛମୂଳେ ମୁହିଁ ଢାଳିବି ଜଳ,

ଗଛରେ ଫଳିବ ସୁନ୍ଦର ଫଳ ।

ସେ ଫଳ ପାଚିବ ଅଳପକାଳେ,

ପାଚି ଝୁଲୁଥିବ ପବନ ଡାଳେ ।

 

ତୋଳି ଆଣି ମୁହିଁ ଧରିବି ଫଳ,

ହାତକୁ ଲାଗିବ କେଡ଼େ କଅଁଳ ।

ସେ ଫଳ ପାଚିଲେ ଭାଙ୍ଗିବି ମୁହିଁ,

ଅଧେ ମୁଁ ଖାଇବି, ଅଧିକ ତୁହି ।

 

ସତ୍ୟ ଯୁଗ ଫଳ

 

ଆମ୍ବ ବଉଳଇ ଫଗୁଣ ମାସେ,

ଦିଗ ଚହଟଇ ତାର ସୁବାସେ ।

ଗୁଣ୍ଡ ଗୁଣ୍ଡ କରି ମହୁ ମାଛିଏ,

ବସନ୍ତି ଆସିଣ ବଉଳ ଦେହେ ।

 

ମହୁ ଘେନି ଉଡ଼ି ଯାଆନ୍ତି ଚାଲି,

ନ ଖାଇ ନ ପିଇ ସଞ୍ଚନ୍ତି ଖାଲି

ପତ୍ର ଗହଳରେ କୋକିଳ ବସି

“କୁହୁ” “କୁହୁ” ତାନ ଦିଏ ବରଷି ।

 

ଚଣା ଧରି ଆମ୍ବ ହୁଅଇ କଷି,

ଲେନ୍ତି ଲେନ୍ତି ଡାଳେ ଝୁଲଇ ହସି ।

ଟୁଣୁ ଟୁଣୁ ପାଚି ହଳଦିବନ,

ଖାଇବାର ଥାଉ, ଦିଶେ ଯତନ ।

 

ଆମ୍ବ କି ମଧୁର କେଡ଼େ ସୁନ୍ଦର,

ଏ ଫଳ ଅଟେ କି ସତ୍ୟଯୁଗର ?

 

ବର୍ଷାଗୀତ

ମେଘ ବରଷଇ            ଟପର ଟପର

କେଶୁର ମାଇଲା ଗଜା,

କେଉଁ ରାଇଜରେ            ରହିଲେ ରଜା ଗୋ

ତେଲିଙ୍ଗ ବାଇଦ ବଜା ।

ମେଘ ବରଷଇ            ଟପର ଟପର

ସୁଅରେ ବହଇ ପାଣି,

ପାଣିରେ ଡ଼ାକନ୍ତି            କେଏଁ କଟର ହୋ

ବେଙ୍ଗ ଓ ବେଙ୍ଗଲି ରାଣୀ ।

ନୁଆ ପାଣି ପାଇ            ଦାଣ୍ଡେ ଦବଘାସ

ଚକା ଚକା କଅଁଳିଲା,

ଲାଲ ଗୁଲୁ ଗୁଲୁ            ପାଟଶାଢ଼ୀ ପିନ୍ଧି

ସାଧବ ବୋହୁ ହସିଲା ।

ଅଳତା ସମାନ            ରକତ ବନର

ଓଳିପାଣି ପଡ଼େ ତଳେ,

ତଳ ପାଣି ସଙ୍ଗେ            ମିଶିଗଲା ବେଳେ

ମୋତି ଫୁଲ ପରି ଝଳେ ।

 

ପାଣିରେ ଫଟୁକା            ଫୁଟିଯାଏ ଭାସି

କ୍ଷଣକେ କାହିଁ ଉଭାଏ,

‘ସାଧବ ଘରର            ବୋହୂ ବୁଡ଼ି ମଲା’

ବୋଲି ନାଚନ୍ତି ପିଲାଏ ।

 

ନୂଆ ପାଣି ପାଇ            ଫୁଟି ଉଠେ ଛତୁ

ହୁଙ୍କା ବାଲିଆରା ବିଲେ,

ସକାଳୁ ଉଠିଣ            ଚାଙ୍ଗୁଡ଼ା ଧରିଣ

ପିଲାଏ ଛତୁ ତୋଳିଲେ ।

 

ଦୋଳି ଗୀତ

 

ଦୋଳ ଦୋଳ ଧନମଣି, ଦୋଳ ଅତି ଉଚ୍ଚେ,

ନାହିଁ କିଛି ଡ଼ର ଧନ, ମା ଅଛନ୍ତି ପଛେ ।

ହସି ହସି ଦୋଳ ଧନ, ଦୋଳି ଦୋଳି ହସ,

ଯେତେ ଉଚ୍ଚେ ପାରୁଧନ, ସେତେ ଉଚ୍ଚେ ବସ ।

 

ହେଇ ଚାଲି ଯା ଉପରକୁ, ହେଇ ଚାଲି ଯା ତଳ,

ଦୋଳି ଖେଳି ଖେଳି ଧନ, ବଢ଼ିଯିବ ବଳ ।

ଦୋଳ ଦୋଳ ଧନମଣି, ପାଖେ ଅଛନ୍ତି ମା,

ଯା ଚାଲି ଯା ଉପରକୁ, ଆ ପାଖକୁ ଆ ।

 

ନାଚଗୀତ

 

ଥେଇ ଥେଇ ନାଚ ଧନ, ନାଚ ଥେଇ ଥେଇ,

ଉଠେଇ ପକେଇ ଗୋଡ଼ ଉଠେଇ ପକେଇ ।

ଧିନି ତାକ ଧିନି ତାକ ଧିନି ତାକ ଧେଇ,

ହସି ହସି ନାଚ ଧନ, ଥେଇ ଥେଇ ଥେଇ ।

ନାଚ ନୀଳମଣି ଗୀତ ଗାଉଛନ୍ତି ମାଆ,

ଧିନି ତାକ ଧିନି ତାକ ଥେଇ କଟ ତାଆ ।

 

ମୁହିଁ ଦୁହିଙ୍କର

 

ଏଡ଼େ ଟିକେ ସରସ୍ୱତୀ ହସ ହସ ମୁଖ,

ତା ହସ ଦେଖିଲେ ହୁଏ ମନେ କେତେ ସୁଖ ।

ପାରା ଯେବେ ମୁହଁ ହଲାଇ କହେ ତାକୁ କଥା,

ଠୋ ଠୋ ହସୁଥାଏ ହଲାଇଣ ମଥା ।

କୃଷ୍ଣ କହେ “ମୋ ବଉନୀ”, ପାରା କହେ “ମୋର”,

ସର କହେ, କାଖେଇଲେ ମୁହିଁ ଦୁହିଙ୍କର ।

 

କାଉ ଓ ବାଳିକା

 

ବାଳିକା—ଡାମରା କାଉ ରେ ଡାମରା କାଉ,

କାଆ କାଆ ରାବି କୁଆଡ଼େ ଯାଉ ?

କାଉ—ପାର୍ବତୀ ଦେଈ ଗୋ ପାର୍ବତୀ ଦେଈ,

ବନ ପରବତେ ମୁହିଁ ରାବଇ ।

ବାଳିକା—ଡାମରା କାଉ ରେ ଡାମରା କାଉ,

ନଈ ସମୁଦର କେମନ୍ତେ ଡେଉଁ ?

କାଉ—ପାର୍ବତୀ ଦେଈ ଗୋ ପାର୍ବତୀ ଦେଈ,

ଉଚ୍ଚ ଆକାଶରେ ମୁହିଁ ଉଡ଼ଇ ।

ନଈ ସମୁଦର ରହନ୍ତି ତଳେ,

ଉଡ଼ି ଚାଲିଯାଏ ମୁଁ ଜଳେ ଥଳେ ।

ବାଳିକା—ଡାମରା କାଉ ରେ ଡାମରା କାଉ,

ଦିନଯାକ ଉଡ଼ି କଅଣ ଖାଉ ?

କାଉ—ପାର୍ବତୀ ଦେଈ ଗୋ ପାର୍ବତୀ ଦେଈ,

ନାନାଜାତି ଫଳ ଗଛେ ପାଚଇ ।

ମନ ଖୁସି ହୋଇ ମୁଁ ତାହା ଖାଏ,

ସଞ୍ଜ ବେଳ ହେଲେ ବସାକୁ ଯାଏ ।

ବାଳିକା—ଡାମରା କାଉ ରେ ଡାମରା କାଉ,

ଜାଡ଼ରେ ଫୁଙ୍ଗୁଳା କେମନ୍ତେ ଶୋଉ ?

କାଉ—ପାର୍ବତୀ ଦେଈ ଗୋ ପାର୍ବତୀ ଦେଈ,

ଜାଡ଼ ଲୁଗା ମୁହିଁ ଲୋଡ଼ଇ ନାହିଁ ।

ବାର ମାସ ମୋର ଏ ଡେଣା ପର,

ରକ୍ଷା କରେ ମୋତେ ଖରା ଶୀତର ।

ବିଳିକା—ଡାମରା କାଉ ରେ ଡାମରା କାଉ,

ରାତି ଗୋଟାଯାକ କେମନ୍ତେ ଶୋଭ ?

କାଉ—ପାର୍ବତୀ ଦେଈ ଗୋ ପାର୍ବତୀ ଦେଈ,

ରାତି କାଟେ ମୁହିଁ ଗଛରେ ଶୋଇ ।

ବାଳିକା—ଡାମରା କାଉରେ ଡାମରା କାଉ,

ଗଛ ଡାଳଟାରେ କେମନ୍ତେ ଶୋଭ ?

କାଉ—ପାର୍ବତୀ ଦେଈ ଗୋ ପାର୍ବତୀ ଦେଈ,

ଗଛ ଡାଳେ ଶୁଏଁ ଗୋଡ଼ ଲମ୍ବେଇ ।

ବନ ପରବତ ଡାଳ ପତରେ,

ଶୋଇପଡ଼େ ମୁହିଁ ରାତିକାଳରେ ।

ରାତି ପାହାନ୍ତାରୁ ମୁହିଁ ଉଠଇ,

ପିଢ଼ା ଗଛ ବାଡ଼େ ବସି ରାବଇ,

ମୋ ଡାକ ଶୁଣିଣ ଜଗତଜନ

ଉଠି ନିଜ କାମେ ଦିଅନ୍ତି ମନ ।

 

ପାରା ଯୋଡ଼ିକ

ଚାଲୁଣି ଚଳଉଁ ଚଳଉଁ ପାଇଳଇଁ ମୁଁ ଗୋଡ଼ି,

କି ସୁନ୍ଦର ପାରା ଯୋଡ଼ିକ ଯାଉଅଛନ୍ତି ଉଡ଼ି ।

ଆସ ଆସ ପାରା ଯୋଡ଼ିକ ମୋର ପିଣ୍ଡାରେ ବସ,

ଖାଇବାକୁ ଦେବି ତୁମକୁ ମୁହିଁ ନଡ଼ିଆ ରସ ।

ପିଇବାକୁ ଦେବି ତୁମକୁ ବେଣ୍ଟ ପୋଖରୀ ପାଣି,

ଶୋଇବାକୁ ଦେବି ଖଟୁଲି ମାଳୀଘରୁ ମୁଁ ଆଣି ।

ମାଳୀଘର ଖଟୁଲିରେ ଯେ ବାଉଁଶର ପାତିଆ,

ରଜାଘର ଝିଅ ଗୋଡ଼ରେ ରତନର ଝୁଣ୍ଟିଆ ।

ରତନ ଝୁଣ୍ଟିଆ ମଝିରେ ଥିଲା ମାଣିକ୍ୟ ମରି,

ଖସିଗଲା ଝୁଣ୍ଟିଆରୁ ସେ ଖୁଣ୍ଟି ନେଲା ତା ଶାରୀ ।

ଶାରୀ ପଚାରିଲା ଶୁଆ ଲୋ କେଉଁ ବାଟରେ ଯିବା,

ଶୁଆ ବୋଲେ ଶାରୀ ଚାଲ ମୋ ସ୍ୱର୍ଗଦାଣ୍ଡରେ ଯିବା

ସ୍ୱର୍ଗଦାଣ୍ଡେ ଯାଉଁ ଯାଉଁ ମୁଁ ପାଏ ଗୋବର ଲଣ୍ଡି,

ଲିପି ପୋଛି ଦେଇ ଯାଅ ମା ପୂଜୂ ମଙ୍ଗଳଚଣ୍ଡୀ ।

ମଙ୍ଗଳଚଣ୍ଡୀ ଗୋ ମଙ୍ଗଳଚଣ୍ଡୀ କଥାଏ କହ,

ଲିପି ପୋଛି ଏଥି ଦେଇଛି ମା ଦଣ୍ଡକ ରହ ।

 

କିସ୍ କଥା କିସ୍ କଥା ସେ ରଜା ପୁଅର କଥା,

ହଁ ଭରୁଥିବୁ ଶୁଣିବୁ ହାତେ ରଖିଣ ମଥା ।

ଚାଲୁଣି ଚଲଉ ଚଲଉ ପାଇଲଇଁ ମୁଁ ଗୋଡ଼ି,

ଥଣ୍ଟେ ମଣି ଧରି ପାରାଏ ଯାଉଥିଲା ଯେ ଉଡ଼ି ।

 

ମଣି ଘେନି ଉଡ଼ି ଯାଆନ୍ତେ ଥଣ୍ଟୁ ପଡ଼ିଲା ଖସି,

ରାଜାପୁଅ ବିଜେ ପାରିଧି ଘୋଡ଼ା ଉପରେ ବସି ।

ଘୋଡ଼ା ଝପଟାଇ ସେ ମଣି ରଜାପୁଅ ଧଇଲା,

ରାଜକନ୍ୟା ରୂପ ମଣିରେ ଅଙ୍କା ଥିଲା ଦେଖିଲା ।

 

କେବଣ ଦେଶେ ସେ ରଜାର ଘର ମନରେ ଭାଳି,

ତିନି ସଙ୍ଗାତଙ୍କୁ ଘେନିଣ ଘୋଡ଼ା ଦେଲା ସେ ଚାଲି ।

ଅଶୀ କୋଶେ ରାତି ହୁଅନ୍ତେ ଘୋଡ଼ା ବାନ୍ଧି ସଙ୍ଗାତେ,

ପହରକେ ଜଣେ ଜଗିଲେ ଯାପିବାକୁ ସେ ରାତ୍ରେ ।

 

ପହିଲି ପହରେ କଟ୍ୱାଳ−ପୁଅ ଶୁଣିଲା କାନ୍ଦ,

ବିଚାରିଲା ମନେ ମନେ ସେ ଭୂତଙ୍କର ଏ ଫାନ୍ଦ ।

ସାଧବପୁଅ ଦ୍ୱିପ୍ରହରେ ଶୁଣେ ବନସ୍ତେ କାନ୍ଦ,

ବିଚାରିଲା ମନେ ମନେ ସେ ଗନ୍ଧର୍ବଙ୍କ ଏ ଫାନ୍ଦ ।

 

ରଜାପୁଅ ଶେଷ ପ୍ରହରେ ଶୁଣି ବନସ୍ତେ କାନ୍ଦ,

ଆକାଶକୁ ଚାହିଁ ଦେଖିଲା ହସେ ପୂନେଇ ଚାନ୍ଦ ।

ଚାନ୍ଦମୁଖେ ଦେଖେ ହସୁଛି ସେହି ରଜାର ଝିଅ,

ଘୋଡ଼ା ଚଢ଼ି କାନ୍ଦ ଆଡ଼କୁ ଗଲା ରଜାର ପୁଅ ।

 

ଦେଖେ ଗଜଦନ୍ତ ପଲଙ୍କେ ବସି କାନ୍ଦେ ସୁନ୍ଦରୀ,

ରୂପ ଝଟକଇ ଯେସନେ ମର୍ତ୍ତ୍ୟେ ସ୍ୱରଗପରୀ ।

ପୁଚ୍ଛଇ ସେ ରାଜକୁମର ସେହି କନ୍ୟାକୁ ଧୀରେ,

“କେମନ୍ତେ ଏକାକୀ ଆସିଲ ଏହି ନିର୍ଜ୍ଜନ ପୁରେ ।”

 

ରାଜକନ୍ୟା କହେ, “ଅଛଇ ଏକ ଅସୁରୀ ବୁଢୀ,

ଚରିବାକୁ ଯାଏ ରାତିରେ ଦିନେ ଆସଇ ଉଡ଼ି ।

ଖାଇଗଲା ବାପ ମାଆଙ୍କୁ ମାରି ସପତ ଭାଇ,

ମୋ ବିନା ଦେବାକୁ ଏକୁଳେ ପାଣି କେହି ତ ନାହିଁ ।

 

ଘୋଡ଼ାଶାଳୁ ଘୋଡ଼ା ଯାଇଛି ହାତୀଶାଳରୁ ହାତୀ,

ସୁବର୍ଣ୍ଣ ପୁରୀ ତ ପଡ଼ିଛି ଜନ ପ୍ରାଣୀ ନାହାନ୍ତି ।

ଏଡ଼େ ରାଜକୁଳ ଉଚ୍ଛନ୍ନ, ଧିକ ମୁଁ ଅଛି ରହି,

ରାତିଯାକ ଘୋର ନିର୍ଜନେ ବିକଳେ ମୁଁ କାନ୍ଦଇ ।

 

 

ସବୁଘରେ ମୁହିଁ ଯାଉଛି ଏକ ଘର ଯେ ମନା,

ନିଶା ଗରଜିଲେ ସେ ଘରୁ କଥା ଯାଉଛି ଶୁଣା ।”

କବାଟ ଭାଙ୍ଗିଣ ରଜାର ପୁଅ ଘରେ ପଶିଲା,

ଦେଖି ତାକୁ କଳା ଘୋଡ଼ାଟା ତାର ବଶ ଯେ ହେଲା ।

 

କାନ ଫୁଙ୍କି ରାଜକୁମାର ପିଠି ଆଉଁସି ଦେଲା,

କଟାକ୍ଷେ ଦୂରନ୍ତ ଘୋଡ଼ାଏ ଢଳେ ଟାପୁ ମାରିଲା ।

ଘୋଡ଼ାଟାପୁ ତଳେ ଖୋଲିଣ ତଳେ ଦେଖିଲା ପଶି,

ଅନେଶ୍ୱତ ମୁଣ୍ଡ କହିଲେ ତାକୁ ବିକଟେ ହସି ।

 

“ତୋହପରି ଦିନେ ଆମ୍ଭର ଥିଲା ରକତ ମାଂସ,

ଗୋଟି ଗୋଟି କରି ଅସୁରୀ ହାତେ ଗଲୁ ଟି ନାଶ ।

ତୋତେ ଖାଇ ଶଏ ପୂରିବ, ପଳା ନେଇ ଜୀବନ ।”

“କିପରି ଅସୁରୀ ମରିବ” ଯୁବା ପୁଚ୍ଛେ ପ୍ରଶନ ।

 

“ଶଏ ଯୋଜନରେ ଅଥପା ମଣ୍ଡପରେ ନଅର,

ପୋଖରୀ ଭିତରେ ସେ ପୁରୀ, ଜଗେ ତା ଅଜଗର ।

ଅଜଗର ଶିରେ ମାଣିକ୍ୟ ଅସୁରୀର ଜୀବନ,”

ପକ୍ଷୀରାଜେ ଚଢ଼ି ଯୁବକ କଲା ତହିଁ ଗମନ ।

 

 

 

ଆଣି ସେ ମାଣିକ୍ୟ ମାରିଣ ସେହି ବୁଢ଼ୀ ଅସୁରୀ,

ବିଭା ହୋଇ ରାଜକନ୍ୟାକୁ ଭୋଗ କଲା ସେ ପୁରୀ ।

ସାହସରେ ମରି, ସାହସେ ଘୋର ବିପଦେ ତରି,

ସାହସରେ ଭାଇ ସଂସାରେ ଘର ଦୁଆର କରି ।

 

ସୁନା ପଇତା

କାଶୀରଜା ଝିଅ ଲୋ ତୁ ନଳରଜା ବୋହୂ,

ନଳରଜା ବୋହୂ ଲୋ ତୁ ନଈକୁ ଗାଧୋଇ ଯାଉ ।

ନଈକୁ ଗାଧୋଇ ଯାଉ ଯାଉ ପାଇଲୁ ଗୋଡ଼ବଳା,

ଛେଳି କିଣିବାକୁ ନେଇ ଗଲୁ ସେହି ବଳା ।

ଟିପିଟିପିକା ଛେଳି ଅଛି ପାତାଳ ଭିତରେ,

ରଜାପୁଅ ଖୋଜୁଅଛି ବନସ୍ତ ମଧ୍ୟରେ ।

ବନସ୍ତ ଭିତରେ ଅଛି ରଜାର ନଅର,

ରତନ ପଲଙ୍କ ଅଛି ନଅର ଭିତର ।

ପଲଙ୍କେ ଅଇଲି ଛାଡ଼ି ସୁନ୍ଦର ଫରୁଆ,

କିଏ ଚୋରି କରିନେଲା ସିନ୍ଦୁର ଫରୁଆ ।

ମୋ ସୁନ୍ଦର ଫରୁଆଟି ନେଲା ରଜାପୁଅ,

ବାହୁନି ବାହୁନି କାନ୍ଦେ ରଜାଘର ଝୁଅ ।

ଖୋଜି ଖୋଜି ରଜାପୁଅକୁ ବନସ୍ତେ ପାଇଲି,

ରଜାପୁଅ ରହିବ ବୋଲି ଦେଉଳ ତୋଳାଇଲି ।

ଦେଉଳ ଚାରିପିଠିଯାକ କଉଡ଼ି ମଣ୍ଡାଇଲି,

କଡ଼େ କଉଡ଼ି ଊଣା ହେଲା କନ୍ୟା ମୂଲାଇଲି ।

 

କନ୍ୟା ହାତରେ କାଚ ଯୋଡ଼ିକା ରୁଣୁଝୁଣୁ ବାଜେ,

ବୋଉ ବେକରେ ସୁନାପଇତା ଖଣ୍ଡେଦୂରକୁ ସାଜେ

ଯେତେହେଲେ ସୁନାପଇତା ଗୁଣ ଯେବେ ନାହିଁ,

ବିଅର୍ଥ ଜୀବନ ତେବେ ବହୁ କାହିଁପାଇଁ ?

 

ଡାମରା କାଉ

—୧—

ଡାମରା କାଉ ରେ ଡାମରା କାଉ,

ଉଞ୍ଚ ପରବତେ ବୋବାଉଥାଉ ।

ଉଞ୍ଚ ପରବତ ଘୁଞ୍ଚିଘୁଞ୍ଚିକା

ତହିଁରେ ବସିଛି ତିନି ମଞ୍ଜିକା ।

ତିନି ତିନି ପଣ ଅଠର ପଣ,

ଭାଇଙ୍କୁ ଡକାଇ କଉଡ଼ି ଗଣ ।

କଉଡ଼ି ଗଣାରେ ପାହିଲା ରାତି,

ଚୋର ନେଇଗଲା କଜଳପାତି ।

ଷାଠିଏ ଟଙ୍କାର ବଳଦ ମଲା,

ଏକା କାଳି ଗାଈ ମଥାନ କଲା ।

ଆସ ଗୋ ସଙ୍ଗାତ ଗାଧୋଇ ଯିବା,

କଇଞ୍ଚିକାକୁଡ଼ି ତୋଳି ଆଣିବା ।

କଇଁଞ୍ଚି କାକୁଡ଼ି ମୁଣ୍ଡରେ ପିତା,

ଛଅ ବୋହୂଙ୍କର ଛଅ ଦୁହିତା ।

ମଝିଆଁ ବୋହୂ ଯେ ଲବଙ୍ଗଲତା,

ସବା ସାନବୋହୂ ଗଜମୁକୁତା ।

 

ଲବଙ୍ଗଲତାକୁ ଗଜମୁକୁତା,

କହିଲେ ଭଉଣୀ କହ ଲୋ କଥା ।

ସୁଖ କହିବି କି ଦୁଃଖ କହିବି,

ଅଙ୍ଗେ ଲିଭାଇବା କଥା କହିବି ।

 

—୨—

ସାଧବ ଘରର ଛଅଟି ପୁଅ,

ରଜାଘରେ ଥିଲେ ଛଅଟି ଝୁଅ ।

ଛଅ ଭାଇଯାକ ବୋଇତେ ଗଲେ,

ଦେଶ ବିଦେଶରେ ବଣିଜ କଲେ ।

 

ଅଷ୍ଟଧାତୁ ନବରତନ କେତେ,

ଜାହାଜେ ଭରିଲେ ଯାହାକୁ ଯେତେ ।

ମଝି ଦରିଆରେ ଝଡ଼ ବହିଲା,

ଅଥପା ମଣ୍ଡପେ ବୋଇତ ଗଲା ।

 

ଅଥପା ମଣ୍ଡପେ ଅସୁର ପୁଅ,

ଜଗିଅଛି ଛଅ ରଜାର−ଝୁଅ ।

ଅସୁରକୁ ମାରି ହୋଇଲେ ବାହା,

ଛଅ ଭଉଣୀ ଯେ ଛଅଟି ଯାଆ ।

 

ପରଶ ପଥର ମାଆ ଯେ ଦେଲେ,

ଛଅ ଝିଅଯାକ ପଣନ୍ତେ ନେଲେ ।

ପକ୍ଷୀରାଜ ଘୋଡ଼ା ଛଅଟି ଭାଇ,

ରଜାଘରୁ ନେଲେ ଯୌତୁକ ପାଇ ।

 

ଛଅ ବର କନ୍ୟା ଚଢ଼ିଣ ଗଲେ,

ଆପଣା ରାଇଜେ ମିଳିଲେ ଭଲେ ।

ଦୂବ ବରକୋଳି ବନ୍ଦାଣଥାଳୀ,

ବନ୍ଦାଇଲେ ସାତ ସାଧବ ବାଳୀ ।

ଧନରତ୍ନ ଘେନି ଗଲେ ସେ ଘର,

ସରିଗଲା ଏଠି କଥା ମୋହର ।

 

ନାନାବାୟା ଗୀତ

ବରଷା ରାତିରେ            ଯେ ଯାହାର ଘରେ

ଶୁଅନ୍ତି ସମସ୍ତେ ଯାଇଁ,

କେଉଁଠାରେ କିଏ            ଗୀତ ଗାଉଥାଏ

ପିଲା ଶୁଆଇବା ପାଇଁ ।

ପହିଲି ଆଷାଢ଼େ            ବରଷଇ ମେଘ

ଆଣ୍ଠୁ ଆଣି ହୁଏ ପାଣି ।

ପାଣିରେ ଡ଼ିଅନ୍ତି            ଫକର ଫକର

ବେଙ୍ଗ ଆଉ ବେଙ୍ଗରାଣୀ ।

ଗହନେ ବାଜଇ            ଯୋଡ଼ି ମହୁରୀ ଗୋ

ଘନ ଘନ ରାବେ କାକ,

ବୋହୂ ବାପ ଘରୁ            ଭାର ଆସୁଛି ହୋ

ଶୁଭଇ ଉଠିଆ ଡାକ ।

ଆକାଶରେ ଚାଲେ            କଳା ବଉଦ ଗୋ

ସୁଲୁ ସୁଲୁ ବହେ ବାଆ,

ବସା ଗଛ ଆଡ଼େ            ଉଡ଼ିଯାଏ କାଉ

ରାବ ଦେଇ କାଆ କାଆ ।

 

ଜଳୁଜଳୁ ଜଳେ            ଜୁଳୁ ଜୁଳିଆ ଗୋ

ଶାଶୁ ଘରେ ଗଲେ ତରା,

ମାଆ ଯାଇଛନ୍ତି            ମାମୁଁ ଘରକୁ ଗୋ

ତୁରିତେ ଆସିବେ ପରା ।

 

ହୁଙ୍କା ଗିରିପିଠି            ଫୁଟିଛି ଛତୁ ଗୋ

କିଏ ସେ ଛତୁ ତୋଳିଲା,

ଦୁଇକୁଳ ଖାଇ            ପର୍ବତ ପ୍ରମାଣେ

ନଈ ତ ମାଡ଼ି ଆସିଲା ।

 

ଅକାତ ପାଣିରେ            ଶାଶୁ ନଣନ୍ଦଙ୍କ

ଗଞ୍ଜଣା ସହି ନ ପାରି,

ବିସଜନ ଦେଲା            ସୁବର୍ଣ୍ଣ ପ୍ରତିମା

କାହାର ଏ ନବ ନାରୀ ?

 

ଶ୍ରାବଣର ଧାରା            ଶୋକପସରା ଗୋ

ବାଟ ଚାଲେ ବଳଦିଆ,

କେଣେ ଯାଉଛ            ରେ ବଳଦିଆ ଭାଇ

ମେଘ ତ କଳାହାଣ୍ଡିଆ ।

 

ଗାଆଁ ତଳ ବିଲେ            ମଇଁଷିପଲ ଗୋ

କୁହାଟେ ମଇଁଷିଆଳ,

ମଇଁଷି ଦୁଧକୁ            ବାସ ଚାଉଳ ଗୋ

ଜାଳିବାକୁ ଘଷିଫାଳ ।

 

ପୋଖରୀହୁଡ଼ାରେ            ଘୁଷୁରୀପଲ ଗୋ

କିଏ ସେ କଣ୍ଟା ମାଡ଼ିଲା,

ଗହୀର ବିଲରେ            ଗୀତ ଗାଏ ଚଷା

ପବନ ଖରେ ବହିଲା ।

 

ନଈ ସୋପାରିରେ            ଘୋର ଅନ୍ଧାର ଗୋ

କିଏସେ ଗୀତ ଗାଉଛି,

ରହ ରହ ଆହୋ            ବିଦେଶୀ ବାଟୋଇ

ମେଘ ତ ମାଡ଼ି ଆସୁଛି ।

 

ଶ୍ରାବଣମାସରେ            ଘୋର ବରଷା ହୋ

ଶୁଭେ ଘନ ଗରଜନ,

ପର୍ବତନାସୀର            ମହାବଳ ବାଘ

କ୍ଷେପି ବୁଲେ ଗ୍ରାମ ବନ ।

 

 

ଗିରି ଗହନରେ            ଝରଇ ଝରଣା

ମୟୂର ରାବ ଦିଅଇ,

ପର୍ବତକୋଳକୁ            ତେଜି ଯାଏ ନଈ

ଦୂର ସିନ୍ଧୁପାଶେ ବହି ।

 

ପଶୁ ପକ୍ଷୀ ନର            ଗଛ ଘରଦ୍ୱାର

ଭାସିଯାଏ ଜଳ ସଙ୍ଗେ,

ଜଳମୟ ଦିଶେ            ଚଉଦିଗ ଯାକ

ପିଲା ଗୀତ ଗାନ୍ତି ରଙ୍ଗେ ।

 

ମେଘ ବରଷିଲା            ଟପର ଟପର

କେଶୁର ମାଇଲା ଗଜା,

କେଉଁ ରାଇଜରେ            ରହିଲେ ମୋ ରଜା

ତେଲିଙ୍ଗି ବାଇଦ ବଜା ।

 

ହୋଓ ରେ ବାଇଆ ହୋଓ

ବିଲରେ ପାଚଇ            ରଙ୍ଗଣୀ ଧାନ ଗୋ

ହୋଓରେ ବାଇଆ ହୋଓ,

ଯେଉଁ କିଆରିରେ            ବହୁତ ଧାନ ତୁ

ସେଇ କିଆରିରେ ଶୋଓ ।

ଟୁଣୁ ଟୁଣୁ ପାଚି            ବାସନା ଧାନ ଗୋ

ନାଲି ଗୁଲୁ ଗୁଲୁ ଦିଶେ,

ଥାଳି ଚାଲି ଦେଲେ            ଗୋଟିଏ ପାଖରୁ

ବୁଲିଣ ଆସିବ କି ସେ । ୧ ।

ଭୋଦୁଅମାସରେ            ମାଣ୍ଡିଆ ପାଚଇ

ହୋ ରେ ବାଇଆ ହୋଓ,

ଯେଉଁ କିଆରିରେ            ଗହଳ ମାଣ୍ଡିଆ

ସେଇ କିଆରିରେ ଶୋଓ । ୨ ।

ମାଣ୍ଡିଆ ବାରିରେ            ଶଲରାବାଡ଼ ଗୋ

ଟୋକେଇକୁଣ୍ଡେଇ ଫୁଲ,

ଟୋପଲି ଧରିଣ            କୃଷ୍ଣ ତୋଳିବ ଗୋ

କିଏ ଦେବ ତାର ମୀଲ ?

 

ଥିରି ଥିରି କରି            ତୋଳିବୁ କୃଷ୍ଣ ରେ

କଣ୍ଟା ପଶିଯିବ ହାତେ,

ଲକ୍ଷେ ଚମ୍ପା ଦେଇ            କେତେ ଆତୁରରେ

ଧନ ରେ ପାଇଛି ତୋତେ । ୩ ।

 

ବାଡ଼ି ଚାରିପାଖେ            କଣ୍ଟେଇକୋଳି ଗୋ

କୃଷ୍ଣ ତୋଳି ଯିବ କୋଳି,

କୋଳି ଖାଉଁ ଖାଉଁ            ଶିଆରୀ ଲଟାରେ

କୃଷ୍ଣ ଖେଳୁଥିବ ଦୋଳି ।

 

ଶିଆରୀବଣରେ            ବାଇଆ ବସା ଗୋ

ହୋଓ ରେ ବାଇଆ ହୋଓ,

ଯେଉଁ କିଆରିରେ            ଗହଳ ଧାନ ତୁ

ସେଇ କିଆରିରେ ଶୋଓ । ୦ ।

 

ବାଇଆପୁଅର            କିସ ଯାଉଛି ସେ

ବାଆ କଲେ ଦୋହଲୁଛି,

ଲମ୍ବ ତାଳଗଛ            ବାଉଁ ବରଡ଼ାରେ

ବସାରେ ବସିଛି ଲୁଚି ।

 

ଗଜା ବଉଦକୁ            ଖର ପବନ ଗୋ

ଉଡ଼ାଇ ନିଏ ବହନ,

ଦାଣ୍ଡ ତାଳଗଛ            ଦୋହଲି ଦୋହଲି

ବାୟା ରାବେ ଘନ ଘନ । ୫ ।

 

ଦୁଇ କୂଳ ଖାଇ            ବଢ଼ିଅଛି ନଈ

ପାଳରେ ପାରିଛି ଧାନ,

ପଲ ବାନ୍ଧି ପକ୍ଷୀ            ଆକାଶେ ଉଡ଼ନ୍ତି

ଶୁଭୁଥାଏ ତାଙ୍କ ଗାନ ।

 

ତା ଶୁଣି ପିଲାଏ            ଗାଉଛନ୍ତି ଗୀତ

ହୋଓ ରେ ବାଇଆ ହୋଓ,

ଯେଉଁ କିଆରିରେ            ଗହଳ ଧାନ ତୁ

ସେଇ କିଆରିରେ ଶୋଓ । ୬ ।

 

Unknown

ମାତୃସ୍ନେହ

କହିଛନ୍ତି ମାତା            କୃଷ୍ଣକୁ ବୁଝାଇ

ବାହୁନି ଉଝଟପଣ

ଏମନ୍ତ ଉଝଟ            କାହିଁକି ହେଲୁ ତୁ

ଆରେ ମୋର ଗଣ୍ଠିଧନ !

ବାପା ତୋର କୃଷ୍ଣ            ଏକବାଜିଆ ରେ

ତୁହି ହେଲୁ ସେହିପରି,

ଦିନରାତି ତମ            ସେବା ନ ସରଇ

ବାପ ପୁଅ ଏକା ସରି ।

ମୁହିଁ ଯେବେ ପୁତ,            ମାମୁଘର ଯିବି

ଚଳିବୁ କି ବାପଧନ,

ଖରାରୁ ଛାଇକି            କିଏ ଡାକିବ କି

ଆରେ ମୋ କୁଳନନ୍ଦନ ।

ଅଫଟା ଖଣି ମୋ            ମହୁଡ଼ମଣି ରେ

ମୋ ଚମ୍ପାଚାଙ୍ଗୁଡ଼ି ତୁହି,

ଭାତ ନ ରୁଚଇ            ନିଦ ନ ମାଡ଼ଇ

ପାଖେ ନ ଦେଖିଲେ ମୁହିଁ ।

 

ଚନ୍ଦ୍ରମାବଦନୁଁ            ଝାଳ ବୋହୁଥିଲେ

ପଣନ୍ତେ ପୋଛିବ କେହୁ,

ବଳେଇ ବଳେଇ            ଭାତ ଖୋଇ ଦବ

ଧୂଳି ଝାଡ଼ି ଦେଇ ଦେହୁଁ ।

 

ପିଠି ଆଉଁଷିଣ            କୋଳେ ବସ ଇଣ

ଆଖିରୁ ପୋଛିଣ ଲୂହ,

ମୁହଁ ଚୁମି ଚୁମି            ଗୀତ ଗାଇ ଗାଇ

ବୋଧ ଦେବ କିଏ କହ ।

 

କାଖ କରି କିଏ            ସାଇ ବୁଲାଇବ

ଗଛୁଁ ଦେବ ଫୁଲ ତୋଳି,

ଚଡ଼େଇଙ୍କ ଗୀତ            କିଏ ଶୁଣାଇବ

କିଏ ଖେଳାଇବ ଦୋଳି ?

 

ନଈ ପୋଖରୀକୁ            ଗାଧୋଇ କେ ନେବ

କିଏ ଦେଖାଇବ ଜହ୍ନି,

ମୁହଁକୁ ଅନାଇ            ଭୋକବେଳ ଜାଣି

ଖୋଇବ ମନାଇ ମନ ?

 

ମାତା ମୁଖ ଚାହିଁ            କହୁଛନ୍ତି କୃଷ୍ଣ

ମାମୁଘର ତୁ ନ ଯିବୁ ?

ମାମୁଘର ଗଲେ            ତୋହ ସଙ୍ଗତରେ

ମତେ ସିନା ନେଇଯିବୁ ।

 

ମତେ ଛାଡ଼ିଗଲେ            କେମନ୍ତ ପ୍ରକାରେ

ଏକୁଟିଆ ମୁଁ ରହିବି,

ଥିର ହୋଇ ଏବେ            ଗାଧୋଇ ଖାଇବି

ଆଉ ଉଝଟ ନୋହିବି ।

 

ଦ୍ୱିତୀୟ ଭାଗ

 

କୁଜିକାଉ

କୁଜି କାଉ ରେ କୁଜି କାଉ,

କାଆ କାଆ ରାବି କଅଣ ଗାଉ ?

ପାର୍ବତୀ ଦେଈ ଗୋ ପାର୍ବତୀ ଦେଈ,

ବାରତା ଦିଅଇ ସଭିଙ୍କୁ ନେଇ ।

ବନ ପରବତ ଡ଼େଇଁ ମୁଁ ଯାଏ,

ଘର କଥା ନେଇ ପ୍ରବାସେ ଦିଏ ।

ମୋ ରାବ ଶୁଣନ୍ତେ ପ୍ରବାସୀ ଜନ,

ଘରକଥା ଭାଳି ବିରସ ମନ ।

ବିଦେଶି−ବାରତା ଶୁଣି ମୁଁ ଆସେ,

ଉଡ଼ି ରାବେ ଆସି ତା ଘର ପାଶେ ।

ଚାଉଳ ଅଧାର ପାଇଲେ ମୁହିଁ,

ସବୁରି ବାରତା ଦିଅର କହି ।

କୁଢ଼ କୁଢ଼ ଦେଲେ ଅଧାର ମତେ,

ଆଗ ଖାଇ ମୁହିଁ କହିବି ସତେ ।

କୁଜି କାଉ ରେ କୁଜି କାଉ,

ବାପାଙ୍କ କତିକି ସତେ କି ଯାଉ ?

 

ମୋ ବାପା ଅଛନ୍ତି ବହୁତ ଦୂରେ,

ଉଡ଼ି ଯାଅ କାକ ସମ୍ବଲପୁରେ ।

ଦେଉଛି ଅଧାର କାଉ ରେ ଖାଆ,

ବାପାଙ୍କ ବାରତା କହି ତୁ ଯାଆ ।

 

କେତେଥର ଖାଇ ଯାଉ ଅଧାର,

ବାପା ତ ଆସନ୍ତି ନାହିଁ ରେ ଘର ।

ଦାଣ୍ଡ ଦୁଆରେ ମୁଁ ଅନାଇଥାଏଁ,

ରାତି ହେଲେ ଦୁଃଖେ ଘରକୁ ଯାଏଁ ।

 

ବିକଳ ହୁଏ ମୋ ମନ ଯେସନ,

ନୁହେ କି ସେପରି ବାପାଙ୍କ ମନ ?

ତେବେ କିପାଁ ବାପା ଆସନ୍ତି ନାହିଁ,

ସାହେବ ଦୂରକୁ ଦେଲା ପଠାଇ ?

 

କୁଜିକାଉ ରେ କୁଜିକାଉ,

ମତେ ମିଛ କହି କି ଯଶ ପାଉ !

ଏଥର କହିବୁ କାଉ ରେ ସତ,

ଖାଇବାକୁ ଦେବି ବାସନା ଭାତ ।

 

ପିଇବାକୁ ଦେବି ନଡ଼ିଆ ପାଣି,

ବାପାଙ୍କ ବାରତା ଦେବୁ ତୁ ଆଣି ।

ଏଥର ଆସିଲେ ବାପା ଘରକୁ,

ନ ଛାଡ଼ିବି ଆଉ ବିଦେଶେ ତାଙ୍କୁ ।

 

ଯେବେ ସେ ମୋ କଥା ନ ମାନି ଯିବେ,

ପୁଣି ଆମ ଘରେ କିପାଁ ଆସିବେ ?

ଯେବେ ଯିବେ ତେବେ ସଙ୍ଗରେ ଯିବି,

ବାପାଙ୍କ ସଙ୍ଗତେ ସର୍ବଦା ଥିବି !

 

ତାଙ୍କରି ସଙ୍ଗରେ ଗାଧୋଇ ଖାଇ,

ତାଙ୍କରି କୋଳରେ ପଡ଼ିବି ଶୋଇ ।

ମତେ ସଙ୍ଗେ ସଙ୍ଗେ ଘେନି ବୁଲିବେ,

ସଞ୍ଜବେଳେ କାଉ ଗୀତ ଶୁଣିବେ ।

 

ଆରେ କାକ ତୁହି ଉଡ଼ିଣ ଯିବୁ,

ବାପାଙ୍କ ମୋ ମନକଥା କହିବୁ ।

ବୋଉ ମୋତେ ମାରେ ଖାଇବା ପାଇଁ,

ବାପା କିପାଁ ଧାଇଁ ଆସନ୍ତି ନାହିଁ ।

 

 

ତାଙ୍କୁ ଦେଖି ବୋଉ ମାରିବ ନାହିଁ,

ଚଞ୍ଚଳ ଚଞ୍ଚଳ ଦେବି ମୁଁ ଖାଇ ।

ଭାତ ଖାଇ ତାଙ୍କ ସାଙ୍ଗେ ଯାଆନ୍ତି,

ନଈ ନାଳକୂଳେ ବୁଲି ଆସନ୍ତି ।

 

ସଞ୍ଜ ହେଲା କାକ ଯାଆ ରେ ଉଡ଼ି,

ସୂର୍ଯ୍ୟଦେବତା ତ ଗଲେଣି ବୁଡ଼ି ।

 

ଘରଛାଆଳୀ

ଘରଛାଆଳୀ ରେ            ଘରଛାଆଳୀ ତୁ

କେଉଁ ଦେଶେ ତୋର ଘର ?

ସଙ୍ଗୀ ଘେନି କାହୁଁ            ଆସିଣ ଓଲାରୁ

କାହ୍ନୁ ଘର କି ସୁନ୍ଦର !

ତୁହି ଯେତେବେଳେ            ଓଲାରୁ ରେ ଘର

କାହ୍ନୁ ଯାଏ ଆନ ଘର,

ପର ହୋଇ ତୁହି            ରହୁ କାହ୍ନୁ ଘରେ

ନିଜ ଘରେ କାହ୍ନୁ ପର ।

ପିତା ମାତା ଭାଇ            ନ କହନ୍ତି କିଛି

ଆପଣା ଘର ଚାକର,

ଘର ଢିଙ୍କି ପୁଣି            କୁମ୍ଭୀର ହୋଇ ସେ

ତୋ ସଙ୍ଗେ ଓଲାରେ ଘର ।

କାହ୍ନୁ କହେ କାନ୍ଦି,            ଏ ଘରଛାଆଳୀ

କିପାଁ ଆମ ଘର ଭାଙ୍ଗେ,

କି ସୁନ୍ଦର ଘର କି            କଲା ସେ ଆସି

ମାରିବି ମୁଁ ତାକୁ ଡାଙ୍ଗେ,

 

କବାଟକଣରେ            ଲୁଚି ନୂଆ ବୋହୂ

କାଇଁଚ ଗଙ୍ଗଡ଼ା ବୁଣି,

“ପୁଅଙ୍କର ବୁଦ୍ଧି            ଦେଖ ସାଆନ୍ତାଣି”

କହେ କାହ୍ନୁ କଥା ଶୁଣି ।

 

ତାଙ୍କ ହସ ଦେଖି            କାବା ହୁଏ କାହ୍ନୁ

ହସୁଥାନ୍ତି ପିତା ଭ୍ରାତା,

ଆଖି ଛଳ ଛଳ            ଦେଖି ଚୁମା ଦେଇ

କୋଳକୁ ନିଅନ୍ତି ମାତା ।

 

ଘରଛାଆଳୀ ରେ            ଘରଛାଆଳୀ ତୁ

କେଉଁଆଡ଼େ ତୋର ଘର,

ସମସ୍ତେ ତୋହର            କାହ୍ନୁ ହେଲା ଏକା,

ଏଥିରେ ଜୟ ତୋହର ।

 

ଚିନ୍ତା କରି କରି            ଶୋଇ ପଡ଼େ କାହ୍ନୁ

ମନେ ତାର ରାଗ ଭାରି,

ସ୍ୱପନରେ ଛଣ—            ବିଡ଼ା ଧରି ଘର−

ଛାଆଳୀଙ୍କୁ ଦିଏ ମାରି ।

 

ନିଦ୍ରାରେ ଏ ଚେଷ୍ଟା            ଦେଖିଣ ଜନନୀ

କରାନ୍ତି ତା ଜାଗରଣ,

ଉଠି ଶୁଣେ କାହ୍ନୁ            ନୁଆ ବୋହୂଙ୍କର

ଟହ ଟହ ହସସ୍ୱନ ।

 

ଦେଖେ ମାତ୍ର ସତ୍ୟ            ବୋହୂଙ୍କର ହସ

ଆଉ ତ ସବୁ ସ୍ୱପନ,

ଘର ଛାଆଁ ଘର            ଠିଆ ହୋଇଅଛି

କେବଳ ଧବଳ ବନ ।

 

ଲିପା ପୋଛା ହେଲେ            ରାନ୍ଧିବାଢ଼ି ବୋହୂ

ଡାଲି ଭାତ ପରଷନ୍ତି,

କାହ୍ନୁ ବାଳୋଚିତ            ଅଜ୍ଞାତ ସ୍ନେହରେ

ଇଙ୍ଗିତ କରି ହସନ୍ତି ।

 

କେଉଁଆଡ଼େ ଗଲା            ପିଲା ଦିନ କଥା

କେଉଁଆଡ଼େ ପିତା ମାତା,

ଭାଇବିବାଦରେ            ସେହି ଭ୍ରାତୃଜାୟା

କାହ୍ନୁକୁ ନ କହେ କଥା ।

 

ପଥିକ ଓ ବରଗଛ

ଦିନେ ଏକ ପାନ୍ଥ            ହୋଇ ପଥଶ୍ରାନ୍ତ

ଶୋଇ ବରଗଛ ତଳ,

ଭାବଇ “ବିଧାତା            କିବା ଅବିବେକୀ

ନାହିଁ ତା ବିଚାର ବଳ;

ଏଡ଼େ ବଡ଼ ମହା−            ତରୁ ବରଗଛ

ଫଳ ତାର କେଡ଼େ ସାନ,

ନାଉନଟା କେଡ଼େ            ସରୁ କିନ୍ତୁ ତାର

କେଡ଼େ କେଡ଼େ ଫଳମାନ !”

ଏମନ୍ତ ସମୟେ            ପଥିକ ହୃଦୟେ

ଗଲା ବରଫଳ ପଡ଼ି,

“କେମନ୍ତେ ଦୟାଳୁ            ପ୍ରଭୁ ଭଗବାନ”

ବୋଲିଣ ଛାଡ଼ିଲା ରଡ଼ି ।

“ବରଫଳ ଯେବେ            ବଡ଼ ହୋଇଥାନ୍ତା

ଯେସନେ ଢିଙ୍କିଆ ନାଉ,

ମୋ ଛାତ ଉପରେ            ପଡ଼ି ଯାଇଥିଲେ

ବଞ୍ଚି ଥାଆନ୍ତି କି ଆଉ ।”

 

କବି କହେ, “ସର୍ବ            ବିଧାତା ବିଧାନ

ଜଗତ ମଙ୍ଗଳ ପାଇଁ,

ଅଳ୍ପ ଜ୍ଞାନୀ ହୋଇ            ଜ୍ଞାନର ବଡ଼େଇ

ନ କର ପଥିକ ଭାଇ ।”

 

ଅଦିନ ମେଘ

ଖରା କରୁଅଛି            ମେଘ ବରଷୁଛି

ବିଲୁଆ ପୁଅର ବିଭା,

ଗାତରୁ ବାହାରି            ହିଡ଼ରେ କଙ୍କଡ଼ା

ଖରା ପଉଁଛନ୍ତି କିବା !

ଘୋର ଘଡ଼ଘଡ଼ି            ଘଡ଼ଘଡ଼ି ରଡ଼ି

କମ୍ପେ ପ୍ରାଣ ତାହା ଶୁଣି

“ଗରଜିଲ୍ଲା ମେଘ            ନ ବରଷେ ପାଣି”

କିଏ କହୁଥାଏ ପୁଣି ।

ଜକ ଜକ ମେଘ            ଦିଶଇ ବିଜୁଳି

ତାଳଗଛ ଯାଏ ଜଳି,

ପିଲାଏ ଶୁଣିଣ            ମେଘ ଗରଜନ

ଛାଡ଼ନ୍ତି ଉଝଟ ଅଳି ।

ବିଜୁଳି ଘେନଇ            ଜୀବର ଜୀବନ

ଦିଶେ ସୁନାଲଟା ପରି

ଶବଦ ମାତର            ଘଡ଼ଘଡ଼ି ସିନା

ତାହାକୁ କିପାଇଁ ଡରି ।

 

ପାଣି ସଙ୍ଗେ ପଡ଼େ            ସ୍ୱରଗ ପଥର

ତାହା ଦେଖି ପିଲାମାନେ

ସାଉଁଟି ଖାଇଣ            ଗୀତ ଗାଉଥାନ୍ତି

ନାଚି କୁଦି ତାନମାନେ ।

 

ପାହାନ୍ତା

ରାତି ପାହିଲାଣି            କାକ ରାବିଲାଣି

ପୂରୂବ ଆକାଶ ସିନ୍ଦମୟ

ବହଇ ଶୀତଳ            ପାହାନ୍ତା ପବନ

କି ସୁନ୍ଦର ଆହା ଏହି ସମୟ ।

ପକ୍ଷୀମାନେ ଆସି            ଡାଳେ ଡାଳେ ବସି

ଗାଉଛନ୍ତି ଗୀତ କିବା ସୁନ୍ଦର,

ଶୁଣିଲେ ସେ ଗୀତ            ଲାଖିଯାଏ ଚିତ୍ତ,

ଉଠ ଉଠ ଆଉ ମଠ ନ କର ।

ଗଛରୁ କାକର            ପଡ଼େ ଝର ଝର

ବିନ୍ଦୁ ବିନ୍ଦୁ ମଣ୍ଡି ଘାସ ପତର,

ଇନ୍ଦ୍ରନୀଳମଣି            ଗଛରେ ଫଳିଛି

ସ୍ୱଚ୍ଛ ହୀରା ଫଳ କିବା ସୁନ୍ଦର !

ନାନାଜାତି ଫୁଲ            ଫୁଟି ଚହଟଇ

ଦିଗ ମହକଇ ଫୁଲ ସୁବାସେ,

ମିଠା ମିଠା ଖରା            ପିଢ଼ା ଗଛ ପତ୍ରେ

କିବା ସୁନାବନ ଶୋଭା ପ୍ରକାଶେ ।

 

ଏ ନୀଳ ଆକାଶ            ସୁନ୍ଦର ପୃଥିବୀ

ଯାହାଙ୍କ ମହିମା ପ୍ରଚାର କରେ,

ସେ ପ୍ରଭୁଙ୍କ ନାମ            ଚାଲ ହେ ଗାଇବା

ଏ ପବିତ୍ର କାଳେ ଭକତିଭରେ ।

 

ବାଟୋଇ ଓ ନାଉରିଆ

ବାଟୋଇ—

ମେଘ ବରଷଇ            ବିଜୁଳି ମାରଇ

ପବନ ବହଇ ଖର,

ବାଟ ଚାଲି ଚାଲି            ପଡ଼ିଛି ମୁଁ ଥକି

ଦୂର ଦେଶ ମୋର ଘର ।

ଘୋର ଗରଜନେ            ଦିଗ ଚମକଇ

ମେଘ ତ କଳାହାଣ୍ଡିଆ,

ଅନେକ ଦୂରର            ବିଦେଶୀ ବାଟୋଇ

ନାବ ଆଣ ନାଉରିଆ ।

ନାଉରିଆ—

ଦୁଇ କୂଳ ଖାଇ            ଉଛୁଳଇ ନଈ

ଖରେ ବହୁଅଛି ବାଆ,

ମେଘ ଗରଜର            ବିଜୁଳି ମାରଇ

କେମନ୍ତେ ମୁଁ ନେବି ନାଆ ?

ଭଉଁରି ଖେଳାଇ            ଫେଣ ଚବକାଇ

ଘୋର ଗରଜଇ ନଈ,

ଅକାତ ପାଣିରେ            ଆହୁଲା ନ ମାନେ

କେମନ୍ତେ ନାବ ନେବଇଁ ।

ବୋଟୋଇ—

ଗହ ଗହ ପାଟ            ଏପାରି ପାଳରେ

ସିରି ସିରି ବହେ ବାଆ,

ନାହିଁ ଜନ ପ୍ରାଣୀ            କାଉ କୋଇଲି ରେ

ନାହିଁ କିରେ ତୋର ମାୟା ?

ଠକ ଠକ ପଡ଼େ            ସ୍ୱରଗ ପଥର

ସାଙ୍ଗ ସାଥି କେହି ନାହିଁ,

ରହି ଦୟା ଭାବ            ବାହିଆଣ ନାବ

ଆରେ ନାଉରିଆ ଭାଇ ।

ନାଉରିଆ—

ବନସ୍ତେ ଗରଜେ            ଲତା ପତର ହୋ

ଆକାଶେ ଗରଜେ ଘନ,

କେମନ୍ତେ ବାହିବି            ସେପାରିକି ନାଆ ?

ବହେ ପୂବେଇ ପବନ ।

 

ଡରୁଅଛୁ ଆରେ            ବାଟୋଇ ଭାଇ ତୁ

ଦେଖି ବିଲ ନିଛାଟିଆ,

କେଉଁ ଛାତିରେ ମୁଁ            ବାହି ନେବି ନାବ

ନଈ ବଡ଼ ଚହୀରିଆ ।

ବାଟୋଇ—

ବହୁତ ଦିନରୁ            ଦୂର ପରବାସୀ

ମନ ମୋର ଛନ ଛନ,

ଘରେ ଛନ୍ତି ମୋର            ନୟନପିତୁଳି

ଦେଖିବାକୁ ବଡ ମନ ।

ମୁଣ୍ଡ ଗୁଞ୍ଜିବାକୁ            ନଈ ଏପାରିରେ

ନାହିଁ ନାହିଁ ତିଳେ ଠାଇଁ,

ଥରି ଉଡ଼ୁଅଛି            ପାଣି ପବନରେ,

ନାବ ଆଣ ବେଗେ ବାହି ।

ନାଉରିଆ—

ତୁହାଇ ତୁହାଇ            ମେଘ ବରଷଇ

ନଈରେ ତ ଖର ସୁଅ,

କେଉଁ ଛାତିରେ ମୁଁ            ନାବ ବାହି ନେବି

ମୁହଁକୁ ନ ଦିଶେ ମୁହଁ ।

ଦେଖିବୁ ଘରେ            ତୁ ନୟନପିତୁଳି

ତେଣୁ ଉଚ୍ଛନ୍ନ ତୋ ମନ,

କାହା ଓଳି ତଳେ            ଠିଆ ହେବେ ପିଲ

ଯେବେ ଯିବ ଏ ଜୀବନ ।

ବାଟୋଇ —

କୁଳର ଅଙ୍କୁର            ନୟନପିତୁଳା

ଅନ୍ଧ−ନଉଡ଼ି ମୋହର

ଏକୋଇର ବଳା            ବିଶିକେସନ ମୋ

କରିଅଛି ତାକୁ ଜର ।

ମାଆ ତାର ହୋଇ            ବାଇଆଣୀ ପରି

ଲେଖି ବିନୟ ପତର,

ବସିଲା ଠାବରୁ            ଉଠି ଆସିବାକୁ

ପଠାଇ ଥିଲା ଖବର ।

ମଉଷଧି ନେଇ            ତର ତର ହୋଇ

ନ ମାନି ପାଣି ପବନ,

ଦୂର ବିଦେଶରୁ            ଯାଉଅଛି ଘରେ

ରଖିବି ତାର ଜୀବନ ।

ନାଉରିଆ—

ବରଷୁ ପଛକେ            ଘୋର ବରଷା ରେ

ବହୁ ପଛେ ଖର ବାଆ,

ସୁଅ ପାଣି ପଛେ            ତଡ଼ି ନେଇ ଯାଉ

ତଳକୁ ତଳକୁ ନାଆ ।

 

ପଡ଼ୁ ପଛେ ମୋତେ            ଘୋର ବିପଦ ରେ

ପାରି କରିଦେବି ତୋତେ,

ଦୟାମୟ ହରି            ଦୀନେ ଦୟା କରି

ଉଦ୍ଧାରିବେ ଭାଇ ମୋତେ ।

 

ବିପଦ ପଡ଼ିଲେ            ବାଟୋଇ ଭାଇ ରେ

ସାହା ଯେ ନୋହେ ଆନକୁ,

ତାହାର ଜୀବନ            ମରଣ ସମାନ,

ଧିକ ତାହା ଜୀବନକୁ !

 

ବାଳିକା ଓ ପକ୍ଷୀ

ବାଳିକା—

ସାନ ଚଡ଼େଇ ରେ            ସାନ ଚଡ଼େଇ ତୁ

ମୋ ପାଶକୁ ଆସ ଧାଇଁ,

ଶାଗୁଆ ବନର            ପିଞ୍ଜରାଟି ଏ ମୁଁ

ରଖିଛି ତୋହରି ପାଇଁ ।

 

ଅନେକ ସୁନ୍ଦର            ତୋରା ଫୁଲମାନ

ଦେବି ମୁହିଁ ତୋତେ ଆଣି,

ପାଚିଲା ପିଜୁଳି            ଦେବି, ଲାଗିଥିବ

ଯହିଁରେ କାକର ପାଣି ।

 

ପକ୍ଷୀ—

ଧନ୍ୟ ଧନ୍ୟ ମୋର            ସାନ ବାଳିକା ଗୋ,

ତୁମର ଯତନପାଇଁ,

ନିର୍ମଳ ଶୀତଳ            ପବନ ସମାନ

ମୋର ପ୍ରିୟ ଆଉ ନାହିଁ ।

 

ପୁରାତନ ବର—            ଗଛେ ଯେଉଁ ସାନ

ବିଜନ ବସା ଅଛଇ,

ସୁନା ପିଞ୍ଜରାର            ସୁଖଠାରୁ ତାହା

ଅନେକ ଭଲ ଅଟଇ ।

ବାଳିକା—

ସାନ ଚଢ଼େଇ ରେ            ସାନ ଚଡ଼େଇ ତୁ

କେଉଁଠାକୁ ଯିବୁ ଉଡ଼ି,

ଯେତେବେଳେ ସବୁ            ବିଲବାଡ଼ି ଯିବ

ବରଷା ଜଳରେ ବୁଡ଼ି ।

ଓଦା ହୋଇଯିବ            ପୁରାତନ ବର—

ଗଛ ବରଷା ଜଳରେ,

ସାନ ଚଡ଼େଇ ରେ            ସାନ ଚଡ଼େଇ ତୁ

ରହି ମୋହରି ସଙ୍ଗରେ ।

ପକ୍ଷୀ—

ନାହିଁ ନାହିଁ ନାହିଁ            ସାନ ବାଳିକା ଗୋ,

ଉଡ଼ି ଚାଲିଯିବି ମୁହିଁ,

ଶ୍ୟାମଳ ବନର            ବିଲ ଅଛି ପୁଣି

ନିର୍ମଳ ଆକାଶ ଯହିଁ ।

ଯେତେବେଳେ ନବ            ବସନ୍ତ ଫେରିବ

ଦକ୍ଷିଣା ପବନ ସଙ୍ଗେ,

ସେତେବେଳେ ମୋର      ଆନନ୍ଦ ସଙ୍ଗୀତ

ପୁଣି ମୁଁ ଗାଇବି ରଙ୍ଗେ ।

ବାଳିକା—

ସାନ ଚଡ଼େଇ ରେ            ସାନ ଚଡ଼େଇ ତୋ

କିଏ ଦେଖାଇବ ପଥ ?

ନିର୍ଜନ ପର୍ବତ            ପଥ ଭୟଙ୍କର

ବିଜନ ସମୁଦ୍ର ପଥ ।

ନିର୍ବୁଧିଆ ପକ୍ଷୀ ଆ            ଆ ରେ ମୋ ଘରେ

ମୋହରି ସାଥିରେ ଥିବୁ,

ନ ମାନି ମୋ ବୋଲ            ଚାଲିଗଲେ ନିଶ୍ଚେ

ଜାଣିଥା ପଥ ହୁଡ଼ିବୁ ।

ପକ୍ଷୀ—

ସାନ ବାଳିକା ଗୋ            ସାନ ବାଳିକା ମୋ

ପଥ ଦେଖାନ୍ତି ଈଶ୍ୱର,

ନିର୍ଜନ ପର୍ବତ            ଅବା ଜନପ୍ରାଣୀ—

ଶୂନ୍ୟ ସମୁଦ୍ର ଉପର ।

ପ୍ରଭାତ ପବନ            ସମାନ ସ୍ୱାଧୀନ

ହୋଇ ମୁହିଁ ଉଡ଼ିଯିବି,

ସୂର୍ଯ୍ୟକିରଣର            ପଛେ ପଛେ ଯିବି

କେଭେ ପଥ ନ ହୁଡ଼ିବି ।

 

ଘରଚଟିଆ

 

—୧—

ଘରଚଟିଆ ରେ ଘରଚଟିଆ,

ଟିକି ଚଡ଼େଇଟି ଅଟୁରେ ତୁହି;

ତୋତେ ଦେଖିଲେ ରେ ପୁରୁଣା ବନ୍ଧୁଟି

ପିଲାଦିନ କଥା ଭାବଇ ମୁହିଁ ।

 

ଖପ ଖପ କରି ଡେଇଁ ଡେଇଁ ଯାଉ

ଉଡ଼ିଯାଇ ପିଢ଼ା ବାଡ଼ରେ ବସୁ,

ଯେତେ ଯତ୍ନ କରେ ତୋତେ ଧରିବାକୁ

ଚାହୁଁ ଚାହୁଁ ତୁହି ପାଖରୁ ଖସୁ ।

 

ଏଡ଼େ ଟିକି ପକ୍ଷୀ କେତେ ତୋର ବଳ

ଦେଇଛନ୍ତି ତୋତେ ପରମେଶ୍ୱର;

ଯେତେ ବୁଦ୍ଧିବଳ ଥାଉ ମନୁଷ୍ୟର

ଉଡ଼ିବା ଶକତି ନାହିଁ ତାହାର ।

 

ହାତୀ ଘୋଡ଼ା ବାଘ ବଡ଼ ସେ ହେଉନ୍ତୁ

ତୋପରି କ୍ଷମତା ନାହିଁ ତାଙ୍କର;

ପାଖେ ବସିଯାଉ ଧାନ ଖୁଣ୍ଟି ଖାଉ

ଉଡ଼ି ବସୁ ପିଢ଼ା ବାଡ଼ଉପର ।

 

ଧନ୍ୟ ସେ ଈଶ୍ୱର ବଳ ଦୁର୍ବଳର

ଯାହାର ଯା ଲୋଡ଼ା ଦିଅନ୍ତି ତାହା;

ହାତଯୋଡ଼ି ତାଙ୍କୁ ଜଣାଉଛି ମୁହିଁ

ଜ୍ଞାନବଳେ ମୋର ହୁଅନ୍ତୁ ସାହା ।

 

ତୁହି ରେ ଯେପରି ଉଡ଼ି ଯାଇକରି

ନିରାପଦେ ରହୁ ଗଛଉପରେ;

ମୁହିଁ ସେହି ପରି ଜ୍ଞାନଲାଭ କରି

ପ୍ରବଳହାତରୁ ତରିବି ଥରେ ।

 

—୨—

ତୋତେ ଦେଖି ପକ୍ଷୀ ମୋ ମନେ ପଡ଼ଇ

କେତେ କେତେ କଥା ପିଲାଦିନର;

ସଖାସଖୀ ମେଳ ପିଲାଦିନ ଖେଳ

ଭାଇ ଭଉଣୀଙ୍କ ସଙ୍ଗ ସ୍ନେହର ।

 

ପିତାମାତାଙ୍କର ମଧୁର ମୂରତି

ଖଣ୍ଡ ଖିରୀ ଆଦି ଖାଇବା ଚିଜ,

ପାଚିଲା ଧାନବ କିଆରୀକୋଣରେ

ଦୁଧ ଗୁଡ଼ ଦେଇ ରାନ୍ଧିବା ନିଜ ।

 

ତୁହି ଯେତେବେଳେ ଧାନ ଖାଉଥାଉ

ଆମେ ଖାଉଥାଉଁ ମଧୁର ଖିରୀ;

ତୋତେ କେମନ୍ତେ ରେ ଭଲ ଲାଗୁଥାଏ

ଗିଳିଦେଉ ଧାନ ହରଡ଼ ବିରି ।

 

ଯାହାକୁ ଈଶ୍ୱର ଯାହା ଦେଇଛନ୍ତି

ତହିଁରେ ମିଳଇ ତାହାର ସୁଖ,

ଏ କଥା ଭାବିଣ ମୋ ଦୁଃଖଦଶାରେ

ସବୁବେଳେ ପାଉଥିବି ମୁଁ ସୁଖ ।

 

—୩—

କେଉଁଆଡ଼େ ଗଲେ ପିଲାଦିନ ସାଥୀ

କେଉଁଆଡ଼େ ଗଲା ଚାଲି ସେ ଦିନ,

ଏହା ଜାଣି ମୁହିଁ ଦୁଃଖରେ ଶୋକରେ

ନୋହିବି ରେ ପକ୍ଷୀ ଅତ୍ୟନ୍ତ ଦୀନ ।

 

ସବୁ ଯାଇଅଛି ଅଛନ୍ତି ଈଶ୍ୱର

ଏ କଥା ସୁମରି କରି ସାହସ,

ଈଶ୍ୱରଙ୍କଠାରେ ରଖିବି ବିଶ୍ୱାସ

ସବୁ ଦୁଃଖ ସେ ମୋ କରିବେ ନାଶ ।

 

—୪—

ଧୂଳି−ସ୍ନାନ କଲେ ଘରଚଟିଆ ତୁ

ବରଷା ହୁଅଇ କହନ୍ତି ଜନେ,

ତୋର ଧୂଳି−ସ୍ନାନ ଦେଖି ଆରେ ପକ୍ଷୀ

ବରଷା−ଭରସା ବାନ୍ଧନ୍ତି ମନେ ।

 

ସ୍ୱଭାବରେ ଶିଶୁ କ୍ଷୁଦ୍ର ବିହଙ୍ଗରେ

ଦେଇଁ ଡେଇଁ ଆସି ଧୂଳିରେ ବସୁ,

ନଖରେ ଥଣ୍ଟରେ ଧୂଳି ଉଡ଼ାଇଣ

ଆନନ୍ଦମନରେ ତହିଁରେ ପଶୁ ।

 

—୫—

ତୋହ ପରି ପିଲାଦିନରେ ପକ୍ଷୀ ରେ

ମୁହିଁ ହେଉଥିଲି ଧୁଳିଧୂସର,

ଧୂଳି ବୋଳି ହୋଇ ଧୂଳିଘର କରି

ଖେଳୁଥିଲି ଧୂଳି ସାଥୀସଙ୍ଗର ।

 

 

ଧୂଳିରୁ ସଂସାରେ ସବୁ ହୋଇଅଛି

ଧୂଳିରେ ସମସ୍ତେ ମିଶିଣ ଯିବ,

ତୋର ମୋର ଦେହ ଧୂଳି ହୋଇଯିବ,

କିଛି ହିଁ ତହିଁରେ ଭେଦ ନ ଥିବ ।

 

ଶିଶୁର ପ୍ରଥମ ଶୋକ

ଶିଶୁ—ଡାକିଆଣ ମୋର            ଭାଇକି ମୋ ପାଶେ

ଏକା ମୁଁ ନ ପାରେ ଖେଳି,

ଫୁଲ ମହୁମାଛି            ବସନ୍ତ ଆସଇ

କାହିଁ ଗଲା ଭାଇ ଚାଲି ?

ପାର୍ବତୀ ଚଡ଼େଇ            ଉଜ୍ଜ୍ୱଳ ଦିଶଇ

ମିଠା ମିଠା ଖରା ପାଇ,

ଗୋଡ଼ାଇବାକୁ ମୋ            ମନ ହେଉ ନାହିଁ

ସଙ୍ଗତେ ନାହିଁ ମୋ ଭାଇ ।

ବଗିଚାରେ ଫୁଲ−            ଗଛ ଲଗାଇଲୁଁ

ଉଜୁଡ଼ି ଗଲାଣି ତାହା,

ବହଳ ବଉଳ            ଭାଙ୍ଗିପଡ଼େ ଡାଳ,

କେଉଁ ଦେଶେ ଭାଇ ଆହା !

ମାତା—ଆରେ ବାବୁ ସେ      ମୋ କଥା ନ ଶୁଣିବ

ଆଉ ସେ ଫେରିବ ନାହିଁ,

ହସୁଥିଲା ଯଥା            ଫୁଟନ୍ତା ଫୁଲ ଯେ

ଜୀବନେ ନାହିଁ ସେ ଭାଇ ।

 

ଫୁଲ ପରି ପୁଟି            ଝଡ଼ି ପଡ଼ିଲା ସେ

ଥିଲା ଫୁଲର ଜୀବନ

ଭାଇ ତୋର ଅଛି            ସ୍ୱରଗପୁରରେ

ଏକା ଖେଳ ପ୍ରାଣଧନ ।

 

ଶିଶୁ—ବଗିଚାର ପୁଲ      ବଣର ଚଡ଼େଇ

ଛାଡ଼ି ଚାଲିଗଲା ଭାଇ,

ଏକା ହୋଇ ଦାଣ୍ଡେ            କେମନ୍ତେ ଖେଳିବି

ଡାକ କି ଶୁଣିବ ନାହିଁ ?

 

ନଈକୂଳେ ଅବା            ନିକୁଞ୍ଜବନରେ

ଆଉ କି ବୁଲିବୁଁ ନାହିଁ ?

ଆହା ଭଲ ପାଇ—            ଥାନ୍ତି ମୁଁ ଆହୁରି

ପ୍ରାଣେ ଥିଲା ଯେବେ ଭାଇ ।

 

ମହୁମାଛି

ଶିଶୁ—ଆରେ ମହୁମାଛି,            ରାବୁଅଛୁ ତୁହି

ଗୁଣୁ ଗୁଣୁ କାହିଁପାଇଁ ?

ମହୁମାଛି—ମୋର ମନ      ଆଜି ଭାରି ଖୁସି ଅଛି,

ବସନ୍ତ ଆସିଛି ଧାଇଁ ।

ମୁହିଁ ଭଲ ପାଏ            ନବୀନ ବସନ୍ତ

ଦକ୍ଷିଣା ମିଠା ପବନ,

ଚାରିଆଡ଼େ ଫୁଟେ            ତୋରା ଫୁଲମାନ

ଆକାଶ ଉଜ୍ଜ୍ୱଳ ବନ ।

ଆକୁ ଛାଡ଼ି ତାକୁ            ତାକୁ ଛାଡ଼ି ଆକୁ

ସବୁ ପୁଲେ ବୁଲେ ଉଡ଼ି,

କେବେହେଁ ମୁହିଁ ଗୋ      ନ କରେ ଉଛୁର

ନୁହଇ ମୁଁ କାମକୁଢ଼ୀ ।

ଲାଗିପଡ଼ି ମୁହିଁ            କାମ କରୁଥାଏଁ

ଭଲ ଥିବାଯାଏ ବେଳ,

ଚତୁମାସ୍ୟା ପାଇଁ            ସଞ୍ଚି ରଖେ ମୁହିଁ

ମଧୁର ମହୁଭଣ୍ଡାର ।

 

ଶିଶୁ— ଆରେ ମହୁମାଛି      ଉଡ଼ିଯାଆ ତୁହି

ତୋର ମହୁଫେଣାଘରେ,

ଜାଣିଲି ନିଶ୍ଚେ ରେ            ଭଲ ହେବ ତୋର

ଲାଗିଛୁ ନିଜ କାମରେ ।

 

ଈଶ୍ୱର

ଦେଖନ୍ତି ଈଶ୍ୱର            ମୋତେ ପ୍ରତିଦିନ

କାର୍ଯ୍ୟ କରେ ଖେଳେ ଯେବେ,

ପାଠ ପଢେଁ ଅବା            କଥା କହେଁ ମୁହିଁ

ଖରେ ଧାଏଁ ଚାଲେ ଯେବେ,

ଭାତ ଖାଏ ଅବା            ଜଳ ପିଏଁ ମୁହିଁ

ବସି ବସି ଭାବେଁ ଯେବେ,

ସୁଖେ ହସେ ଅବା            କାନ୍ଦେ, ନିକଟରୁ

ଦେଖନ୍ତି ଈଶ୍ୱର ତେବେ ।

ଯେବେ ଥାଏ ଶାନ୍ତ            କି ଅବା ଦୁର୍ଦାନ୍ତ,

ଯେବେ ଭଲ, ମନ୍ଦ ଯେବେ,

ଯେବେ ଆନନ୍ଦିତ,            ଯେବେ ବିଷାଦିତ,

ଯେବେ ଦୁଃଖୀ, ସୁଖୀ ଯେବେ,

ଛିଣ୍ଡାଏ ସୁନ୍ଦର            ଉପବନେ ଥିବା

ସୁରଭି କୁସୁମ ଯେବେ,

ଯେବେ କ୍ଷୁଦ୍ର ମାଛି            ଦଳେ; ଆକାଶରୁ

ଦେଖନ୍ତି ଈଶ୍ୱର ତେବେ ।

 

ସୂର୍ଯ୍ୟ ଦିଏ ଯେବେ            ଉତ୍ତାପ ଆଲୋକ

ତୋରା ତାରା ଜଳେ ଯେବେ,

ଯେବେ ମୋ ଶେଯରେ            ଚନ୍ଦ୍ରାଲୋକ ପଡ଼େ

ଅନାନ୍ତି ଈଶ୍ୱର ତେବେ ।

 

ଦିବାନିଶି ହାଟ            ଦେବମନ୍ଦିରେ ବା

ଅତି ପାଶେ ପ୍ରଭୁ ଥାନ୍ତି,

ଦେଖନ୍ତି ଯାହା ମୁଁ            କରଇଁ କହଇଁ

ସତପଥ ସେ ଦେଖାନ୍ତି ।

 

ଦୁଇ କର୍ଣ୍ଣ ଏକ ମୁଖ

 

ବେନି କର୍ଣ୍ଣ ତବ            ମାତ୍ର ଏକ ମୁଖ

ଜାଣ କି ଏହା କାରଣ ?

ନ କର ପ୍ରକାଶ            ସବୁରିଙ୍କ ପାଶ

ଯାହା କରିବ ଶ୍ରବଣ ।

 

ଅଛି ବେନି ନେତ୍ର            ଏକ ମୁଖ ମାତ୍ର

ଜାଣ କି ଏହା କାରଣ ?

ନ କର ପ୍ରକାଶ            ସବୁରିଙ୍କ ପାଶ

ଯାହା କରିବ ଦର୍ଶନ ।

 

ତୁନି ହୋ

 

ତୁନି ହୋ ତୁନି ହୋ            ଢେଉ ଆସେ ମାଡ଼ି

ଫେଣ ଦିଶେ ଧଳାବନ,

ଗର୍ଜନ ମଧ୍ୟରେ            କାର୍ଯ୍ୟରତ ପିତା,

ଘରେ ଶୋଇଛି ମୋ ଧନ ।

 

ତୁନି ହୋ ପବନ            ଧାଇଁ ଧାଇଁ ଆସ

କରି ଘୋର ଗରଜନ,

ଭାଇ ଖୋଜୁଛନ୍ତି            ହଜିଲ୍ଲା ମେଷକୁ,

ଘରେ ଶୋଇଛି ମୋ ଧନ ।

 

ତୁନି ହୋ ବରଷା            ଟପି ଆସେ ବିଲେ

ଶୁଭେ ଶବ୍ଦ ସନସନ,

ଦେଈ ଯାଇଛନ୍ତି            ଗାଈ ଖୋଜିବାକୁ

ଘରେ ତ ଶୋଇଛି ଧନ ।

 

କୃଷକ

 

ସୁସ୍ଥ ଦେହ ବୁଦ୍ଧ            କୃଷକ ସୁବଳ

ଅତି ସୁଖୀ ତାର ଚିତ୍ତ,

ଉଷାର ଭରତ            ସଙ୍ଗେ ଶଯ୍ୟା ତେଜି

ଆନନ୍ଦେ ଗାଏ ସେ ଗୀତ ।

 

ଅତୀବ କର୍ମଠ            କୃଷକ ସୁବଳ

ପ୍ରତିଦିନ କର୍ମେ ଯାଏ,

ହଳ ବୁଲାବେଳେ            ବୁଣିବା ବେଳେ ସେ

ଆନନ୍ଦରେ ଗୀତ ଗାଏ ।

 

ସନ୍ତୁଷ୍ଟ−ଅନ୍ତର            କୃଷକ ସୁବଳ

ସ୍ୱାଧୀନ, ସୁଖୀ, ନିଶ୍ଚିନ୍ତ,

ଶୀତଳ ବରଷା            ଉଜ୍ଜ୍ୱଳ ଗ୍ରୀଷମେ

ଆନନ୍ଦେ ଗାଏ ସେ ଗୀତ ।

 

ଘଣ୍ଟା ଗୀତ

 

ଶୁଣ ହେ ସଙ୍ଗୀତ            ଘଣ୍ଟା ଗାଏ ଗୀତ।

ବାଜିଲ୍ଲାବେଳେ ସେ ଗାଏ,

କହିବ କିଏ ସେ            କାହିଁକି କି ଗୀତ

“ଠୁଣ୍ ଠଣାଠଣ” ଗାଏ ?

ଏହି ତା ସଙ୍ଗୀତ            ଗାଏ ସେ ଏ ଗୀତ

ଏହି ଶବ୍ଦ ବାଜେ କାନେ—

“ଖେଳ ଶେଷ ହେଲା      କାର୍ଯ୍ୟ ଆରମ୍ଭିଲା

ଖେଳ ଭାଙ୍ଗ ପିଲାମାନେ ।”

ଶୁଣ ହେ ସଙ୍ଗୀତ            ଘଣ୍ଟା ଗାଏ ଗୀତ

ବାଜିଲ୍ଲାବେଳେ ସେ ଗାଏ,

କହିବ କିଏ ସେ            କାହିଁକି କି ଗୀତ

‘‘ଠଣ୍ ଠାଣଠଣ” ଗାଏ ।

ଏହି ତା ସଙ୍ଗୀତ ଗାଏ      ସେ ଯେ ଗୀତ

ଏହି ଶବ୍ଦ ବାଜେ କାନେ—

ଦିନ ଶେଷ ହେଲା            ଖେଳ ବେଳ ହେଲା

ଖେଳ ଆସି ପିଲାମାନେ ।”

 

ଅଧ୍ୟବସାୟ

 

ଆଣ୍ଟ କରି କଣ୍ଟା            ମାର ହେ ବାଳକେ

ତାଳୁରେ କରି ପ୍ରହାର,

ତାଇଲା ଉପରେ            ମାଇଲା ଭଲ ହେ

ଯଥାସାଧ୍ୟ ବଳେ ମାର ।

କର୍ମ କରିବାର            ଥିଲେ ହେ ବାଳକେ

ମନ ଦେଇ ତାହା କର,

ଶିଖରେ ପହଞ୍ଚି            ଅଛି ଯେ ବାଳକେ

ତଳୁଁ ଚଢ଼ିଛି ନିକର ।

ତଳେ ଠିଆ ହୋଇ            ଆକାଶ ଆଡ଼କୁ

ବାଳକେ ରହିଲେ ଚାହିଁ

ଯତନ ନ କଲେ            ପର୍ବତଶିଖରେ

ଚଢ଼ି ତ ପାରିବ ନାହିଁ ।

ଚାଲୁ ଚାଲୁଁ ଝୁଣ୍ଟି            ପଡ଼ିଲେ ବାଳକେ

ହତାଶ ନୋହିବ କେବେ,

ଲାଗିପଡ଼ି କର            ଯତନ ବାଳକେ

ସାଧନାରେ ସିଦ୍ଧି ତେବେ,

 

ପଢ଼ାଶୁଣା

 

ପଢ଼ିଲା ବେଳରେ            ପଢ଼ ହେ ବାଳକେ

ଖେଳିଲା ବେଳରେ ଖେଳ,

ଏହିପରି ପଢ଼ି            ଖେଳ ଆନନ୍ଦରେ

ବିତିଯାଉ ତବ ବେଳ ।

ବଡ଼ ଲୋକ ହେବ            ମଟର ଚଢ଼ିବ

ଜଜ୍ କିଲଟର ହେବ,

ଟଙ୍କା ସୁନା ପାଇ            ବଡ଼ ଲୋକ ହୋଇ

ସା’ବ ଟୋପି ମୁଣ୍ଡେ ଦେବ ।

ନ ପଢ଼ିଲେ ପାଠ            ହାଣିବ ରେ କାଠ

ଖାଇବାକୁ ନ ପାଇବ,

ଲୁଗା ନ ମିଳିବ            ଘର ଭାଙ୍ଗିଯିବ

ବଡ଼ କଷ୍ଟ ହେ ପାଇବ ।

ତେଣୁ ମନଦେଇ            ପଢ଼ାଶୁଣା କର

ହୋଇଚ ସଂସାରେ ସୁଖୀ,

ଦାନ ଧ୍ୟାନ କରି            ପାଳି ଭୋଙ୍କାଶୋଷୀ

ସେବିବ ହେ ରଙ୍କୀଦୁଃଖୀ ।

 

ଗଛ ଓ କାଠୁରିଆ

ରହ ଆରେ କାଠୁରିଆ ନ ପକାଅ ହାଣି

ଶୁଣ କାନ ଡେରି ଥରେ ଏ ଗଛକାହାଣୀ ।

ନ ଫୁଟୁ ପଛକେ ବାସ−ଫୁଲ ତାହା ଦେହେ,

ନ ଉଡ଼ୁ ପଛକେ ମଧୁମକ୍ଷିକା ସେନେହେ ।

ବସି କୁହୁ କୁହୁ ତାନେ ନବ ମଧୁକାଳେ,

ନ ଗାଉ କୋକିଳ ପଛେ−ଫୁଲଭରା ଡାଳେ ।

ନ ଫଳୁ ପଛେ ଏ ଗଛେ ମିଠା ମିଠା ଫଳ,

ଖରାବେଳେ ବାଟୋଇ ତ ବସେ ଏହା ତଳ ।

ଛାଡ଼ିଯାଆ କାଠୁରିଆ ନ ପକାଅ ହାଣି,

ଶୁଣ କାନ ଡେରି ଥରେ ଏ ଗଛ କାହାଣୀ ।

କାଠୁରିଆ ନ ହାଣ ସେ ଗଛ ରହ ରହ

ତାହାକୁ ଲଗାଇ ଗଲେ ପିତୃପିତାମହ ।

କେତେ ଦୁଃଖ ସୁଖ ସେ ଯେ ଦେଖିଛି ଆମ୍ଭର,

କେତେ ନୂଆ ପୁଅ, କେତେ ଯାତ, ବିଭାଘର ।

ମନେ ପଡ଼େ ପିଲାଦିନେ ଏହାରି ମୂଳରେ

ଖେଳୁଥିଲୁ ମୁହିଁ ଖେଳ ସାଥିଗହଳରେ ।

 

ଏବେ ବାଲ୍ୟକାଳେ ପୋଥି ଧରି ଛାଇତଳେ,

ବସିଣ ପଢ଼େ ମୁଁ ସଞ୍ଜ ସକାଳେ ନିଶ୍ଚଳେ ।

କାଠୁରିଆ ନ ହାଣ ସେ ଗଛ ରହ ରହ,

ଦେଖିଅଛି ଏ ଗଛ ମୋ ପିତୃ ପିତାମହ ।

 

ନ ହାଣ ଏ ଗଛ ଶୁଣ ଶୁଣ ମୋର ବାଣୀ,

ଥାଉଁ ମୁଁ ଜୀବନେ ଗଛ ନ ପାରିବ ହାଣି ।

ଦେଖି ତାକୁ କେତେ କଥା ହୁଏ ମୋ ସ୍ମରଣ,

ତା ସଙ୍ଗେ ଜଡ଼ିତ ମୋର ବିଗତ ଜୀବନ ।

 

ପଷ୍ଚିମଆକାଶେ ସୂର୍ଯ୍ୟ ଯାଉଥାଏ ବୁଡ଼ି,

ଏହି ବସାଗଛେ ପକ୍ଷୀ ଆସୁଥାନ୍ତି ଉଡ଼ି ।

ପୂରୂବ ଆକାଶେ ସୂର୍ଯ୍ୟ ଉଦେ ପ୍ରଭାତରେ,

ଉଠନ୍ତି ପକ୍ଷୀଏ ରାବି ଏହାର ଡାଳରେ ।

 

ଯାଅ ଯାଅ କାଠୁରିଆ ଏ ଗଛ ନ ହାଣି,

ରଖିବି ଏ ଗଛ ମୁହିଁ ସତ୍ୟ ମୋର ବାଣୀ ।

ଯାହା ନେବୁ ତାହାଦେବି, ଏ ଗଛ ନ ହାଣ,

ମୁଁ ଥାଉଁ ଏ ହଣା ହେବ, ନ ସହିବ ପ୍ରାଣ ।

 

ଏ ଟେକାଟି କିଏରେ

ଶେଯେ ଶୋଇ ହସୁଥାଏ ଏ ଟୋକାଟି କିଏ ରେ,

କଜଳପାତି କହି ଯାଇଛି ମୁଣ୍ଡରେ ଲୁଗା ଦେ ରେ ।

ଠୁକୁରୁ ଠୁକୁରୁ ଚାଲୁଥାଏ ନାଥୁ ନାଥୁ ପଡ଼ି,

କିଛି ଦିନେ ସାହୀଦାଣ୍ଡେ ଦଉଡେ ଗିଡ଼ି ଗିଡ଼ି ।

“ଆ ଆରେ ଜହ୍ନମାମୁଁ” ଡ଼ାକେ ହାତ ଠରି

ଖାଇବୁ ମୋର ସଙ୍ଗେ ଡ଼ାଲି ଭାତ ତରକାରୀ ।”

ନ ନାଜ ତି ଫୁଲ ତୋଳି ପଚାରେ କେ କି ବନ,

ଚିହ୍ନେ ନାନାଜାତି ପକ୍ଷୀ ଶୁଣି ତାଙ୍କ ସ୍ୱନ ।

ରାତିରେ ତାରା ଚିହ୍ନି ଥାଏ ଏ ଟୋକାଟି କିଏ ରେ,

କଜଳପାତି କହିଯାଇଛି ମୁଣ୍ଡରେ ଲୁଗା ଦେ ରେ ।

ସକାଳୁ ଉଠି ଚାଟଶାଳିକୁ ଯାଏ ସବାଆଗ,

ସାଥୀ ପିଲା କହନ୍ତି ତାକୁ “ଆଗ ସୁନା ପାଗ” ।

କାହାକୁ କଟୁ ଅବା ମିଛ କଥା କହେ ନାହିଁ,

ସାଥୀ ପିଲାମାନଙ୍କୁ ସେ ମଣେ ଯେହ୍ନେ ଭାଇ ।

ଆଜି ପାଠ ଆଜି ପଢ଼ି ବୁଝି କରେ ପାଣି,

ନ ଜାଣିଲା କଥା ବୁଝେ ପାଠୁଆ ଲୋକ ଜାଣି ।

ପଢ଼ିଲାବେଳେ ପଢ଼ି ପାଠ ଖେଳିଲାବେଳେ ଖେଳେ,

ପରୀକ୍ଷାରେ ପହିଲା ହୁଏ ସଭିଙ୍କୁ ଜିଣି ହେଲେ ।

ପହିଲା ହୋଇ ପାଇଲା ବୃତ୍ତି ଏ ଟୋକାଟି କିଏ ରେ,

ସବୁବେଳେ ଲଗାଇ ମନ ପଢ଼ୁଥିଲା ଯେ ରେ ।

ଚାକିରି କରି କଉଡ଼ି ଅର୍ଜି ପୋଷେ ପରିବାର,

ପାଖ ପଡ଼ିଶା ଦୁଃଖୀରଙ୍କାର କରେ ଉପକାର,

ଘରେ ପରେ ହଟେ ବାଟେ ରାଜଦରବାରେ,

ଧର୍ମଭୀରୁ ସତ୍ୟବାଦୀ ବିଶୁଦ୍ଧ ଆଚାରେ,

ବିଶ୍ୱାସଘାତକେ କରେ ଦୂରରୁ ଜୁହାର,

ସାଧୁଜନେ ମଣେ ଯେହ୍ନେ ଭାଇ ଆପଣାର ।

ଯେ ଆଡ଼େ ଯାଏ ଆଦର ପାଏ ଏ ଲୋକଟି କିଏ ରେ,

ସ୍ୱର୍ଥ ତେଜି ପରଉପକାର କରେ ଯେ ରେ ।

ଶହ ହଜାର ମିଳି ସଭା, ତଟସ୍ଥ ସଭିଏ,

ଉଭା ହୋଇ ବୀର ପରି କଥା କହେ କିଏ ।

କେତେ ଗ୍ରନ୍ଥ କେତେ କାଳ କେତେ ଦେଶୁଁ ଯାଇ

ତେଳି ଅଣି କଥା କହେ ଗଛାଇ ଗଛାଇ ।

କି ଅପୂର୍ବ କଥା କହେ ହସାଇ କନ୍ଦାଇ,

ସହଜ ନ ଦିଅନ୍ତି ତାଳି ତୁହାଇ ତୁହାଇ ।

ମନୁଷ୍ୟ ପରି ମନୁଷ୍ୟଟିଏ ଏ ଲୋକଟି କିଏ ରେ,

ପିଲାଦିନେ ମନ ଦେଇ ତପ କରୁଥିଲା ଯେ ରେ ।

ତ୍ରିସନ୍ଧ୍ୟାରେ ଇଷ୍ଟଦେବ ନାମ କରେ ଧ୍ୟାନ,

ନାନାଶାସ୍ତ୍ର ପଢ ଅର୍ଜୁ ଥାଏ ଧନ ଜ୍ଞାନ,

ଅତିଥିସେବାରେ ରତ ଅନ୍ନ ବସ୍ତ୍ର ଦାନ,

ଜନହିତେ ସମର୍ପଣ କରେ ଧନ ପ୍ରାଣ,

ଦେଶ−କୁଳ−ଧନ୍ୟକାରୀ କର୍ମବୀର କିଏ ରେ,

ତୁଳସୀ ପରି ଦୁଇ ପତରୁଁ ବାସୁଥିଲା ଯେ ରେ ।

 

ଚନ୍ଦ୍ରତାରା

 

କେତେ ଚନ୍ଦ୍ର ତାରା            ଅଛି ଆକାଶରେ

ଆଣିଦେବି ବାପଧନ,

ଚନ୍ଦ୍ରମା ତାରକା            ଘେନି ଖେଳିବାକୁ

ହେବ ଯେବେ ତୋର ମନ ।

 

ତୋ ଆଖିରେ ତାରା      ଦେଖି ଲୁଚିଯିବେ

ଆକାଶର ତାରା କାହିଁ ।

ତୋ ମୁଖଚନ୍ଦ୍ରମା            ଦେଖି ଲାଜେ ଚନ୍ଦ୍ର

ମୁହଁ ଦେଖାଇବ ନାହିଁ ।

 

ଚନ୍ଦ୍ରମା ତାରା କି            କଥା କହିବେ ସେ

ଯେତେ ହେଲେ ଜକଜକ,

ଚନ୍ଦ୍ର ତାରା ତେଣୁ            ଭଲ ନ ଲାଗଇ

ମୁଁ ତୋ ମୁଖନେତ୍ରରଙ୍କ ।

 

ପାଠପଢ଼ା

 

କାହିଁକି କାନ୍ଦୁ ରେ            ମୋର ପ୍ରାଣଧନ

କିଏ ମାଇଲା କି ତତେ

ମଣିଷ ହୋଇ ତୁ            ଘର କରିବୁ ରେ

ନେନ୍ତ୍ରେ କି ଦେଖିବି ସତେ ?

 

ପାଠ ପଢ଼ିବୁ ତ            ବଡ଼ଲୋକ ହେବୁ

ପାଲିଙ୍କି ପାଟର ଛତା

ଘୋଡ଼ା ହାତୀ ଦାସ            ଦାସୀ ହେବେ ତୋର

ମାଡ଼ି ବୁଲୁଥିବୁ ଜୋତା ।

 

ଏ ଘର ଦୁଆର            ଦିଶିବ ସୁନ୍ଦର

ଧବଳମୟ ଏ ପୁର,

ଦେଖିଣ ଡରିବେ            ଶତ୍ରୁ ଶଙ୍କି ଯିବେ

ଲାଜେ ହୋଇଯିବେ ଦୂର ।

 

କକଛୁଆ

 

ପିଇଦେ ରେ ଦୁଧ            ପିଇଦେ ଚଞ୍ଚଳ

କକଛୁଆ ଅଛି ବନେ,

ଆରେ ବାଇଧନ            ନ କର କ୍ରନ୍ଦନ

ଆସିବ ସେ ଘରକଣେ ।

 

ତୁନି ହୋ ତୁନି ହୋ            ଆରେ ପ୍ରାଣଧନ,

ବଡ଼ ଦୁଷ୍ଟ କକଛୁଆ,

ତୋର କାନ୍ଦ ଶୁଣି            ବଣରୁ ଆସିବ

କରିବ ବଡ଼ ଅଡ଼ୁଆ ।

 

ତୁନି ହୋଇ କୃଷ୍ଣ            କହନ୍ତି ମାତାଙ୍କୁ

“କକଛୁଆ କି କରିବ,

ବଣରୁ ଆସିଲେ            ଆମ ଘରକୁ ସେ

ମାଡ଼ ଖାଇକରି ଯିବ ।”

 

ନିଦ

 

କିଏ ସେ ମାଇଲା            ମୋ ବାଇଧନକୁ

କିପାଁ କାନ୍ଦୁ କଇଁ କଇଁ,

ନିଦେ ପ୍ରାଣଧନ            ସପନ ଦେଖି କି

ଚମକଇ ରହି ରହି ।

 

ଅଫିଟା ଖଣି ମୋ            ମଉଡ଼ମଣି ସେ

ଦରିଦ୍ର ଘର ରତନ,

ଅନ୍ଧର ନଉଡ଼ି            ଚମ୍ପାଇ ଚାଙ୍ଗୁଡ଼ି

ମୋର ପ୍ରାଣର ଚନ୍ଦନ ।

 

ନିଦେ ପ୍ରାଣଧନ            ହସୁଛି କାନ୍ଦୁଛି

ଆଗୋ ଷଠଦୁସୀ ମାଅ,

କାହିଁକି କନ୍ଦାଇ            ହସାଉଛୁ ତାକୁ ?

କଲ୍ୟାଣ କରିଣ ଯାଆ ।

 

ନିଦ ମାଉସୀ

 

ନିଦ ମାଉସି            ନିଦ ମାଉସି

ହେମ ଘରକୁ ତୁ ଆ,

ଆଖି ଦୁଇଟି            ବୁଜେଇ ଦେଇ

ଶୋଇ ପକେଇ ଯାଆ ।

ନିଦ ମାଉସି            ନିଦ ମାଉସି

ଦୋଳି ତୁ ଖେଳାଇବୁ,

ଝୁଲେଇ ଝୁଲେଇ            ହେମକୁ ମୋର

ନିଦରେ ହସାଇବୁ ।

ନିଦ ମାଉସି            ନିଦ ମାଉସି

ହେମ ପାଖରେ ଥିବୁ,

ଯେତେକଯାକ            ଭଲ ସ୍ୱପନ

ହେମକୁ ଦେଖାଇବୁ ।

ନିଦ ମାଉସି            ନିଦ ମାଉସି

ହେମ ଆଖିରେ ଥିବୁ

କାଆ କାଆ କରି            କାଉ ରାବିଲେ

ଘରକୁ ବାହୁଡ଼ିବୁ ।

 

ହୋଓରୋ ବାଇଆ ହୋଓ

ଦିନ ତ ଯାଇଛି            ରାତି ତ ଆସିଛି

ହୋଓରେ ବାଇଆ ହୋଓ,

ଝଙ୍କାଳିଆ ଗଛେ            ଗହଳିଆ ଡାଳେ

ତୁନି ହୋଇ କରି ଶୋଓ ।

ଦିନ ତ ଯାଇଛି            ରାତି ତ ଆସିଛି

ହୋଓରେ ବିଲେଇ ହୋଓ,

ହାଣ୍ଡିଶାଳପାଖେ            ଚୁଲି ମୁଣ୍ଡରେ ତୁ

ଉଷୁମ ଜାଗାରେ ଶୋଓ ।

ଦିନ ତ ଯାଇଛି            ରାତି ତ ଆସିଛି

ହୋଓରେ କୁକୁର ହୋଓ,

ଦାଣ୍ଡାପାଆଭାଗେ            ପଥର ପାହାଚେ

କାନ ଡେରିକରି ଶୋଓ ।

ସଞ୍ଜ ନ ଗଡ଼ିଛି            ପହଡ଼ ପଡ଼ିଛି

ହୋଓରେ ବିଲୁଆ ହୋଓ,

ବଣବୁଦାତଳେ            ହିଡ଼ତଳ ଗାତେ

ହୁକେ ହୁକେ କରି ଶୋଓ ।

 

ସଞ୍ଜବେଳ ଗଲା            ନିଶା ଗରଜିଲ୍ଲା

ହୋରେ ବାଘମାମୁ ହୋଓ,

ଗହନ ବନସ୍ତେ            ଷୋଳ କୋଶ କ୍ଷେମ

ଝରଣାପାଖରେ ଶୋଓ ।

 

ଦିନ ତ ଯାଇଛି            ରାତି ଆସିଅଛି

ହୋଓରେ ବାଇଆ ହୋଓ,

ସମସ୍ତେ ଶୋଇଲେ            ବାଇଆଧନ ତୁ

ଆଖି ବୁଜିକରି ଶୋଓ ।